Human interest story : ବାପା-ମା’ଙ୍କ ଯିବା ପରେ ବଦଳିଗଲା ଜୀବନର ଗତିପଥ, କୁଲି କାମରେ ଉଚ୍ଚଶିକ୍ଷିତା ଆଦିବାସୀ ଯୁବତୀ ସୁକାନ୍ତି

କୋରାପୁଟ, ୪/୮ (ଦିଲ୍ଲୀପ ମହାନ୍ତି) : ହାତରେ ଡିପ୍ଲୋମା ଡିଗ୍ରୀ । ଆଖିରେ ଆଖିଏ ସ୍ୱପ୍ନ । ଇଚ୍ଛା ଥିଲା ଭଲ ଚାକିରିଟିଏ କରିବେ। ବଦଳିଯିବ ତାଙ୍କ ଭାଗ୍ୟ । ଅଥଚ ନିୟତିର ନିୟମ ଥିଲା କିଛିଟା ଅଲଗା । ବାପା-ମାଆଙ୍କ ମୃତ୍ୟୁ ପରେ ବଦଳିଯାଇଛି ତାଙ୍କ ଜୀବନର ଗତିପଥ । ସବୁ ଆଶା ଧୂଳିସାତ୍ ହୋଇଯାଇଛି । ହାତରେ ଡିଗ୍ରୀ ଥିଲେ ବି ମୁଣ୍ଡରେ ସିମେଣ୍ଟ, ବାଲି ଓ ପଥରର ବୋଝ । କୁଲି କାମ କରିବାକୁ ବାଧ୍ୟ ହୋଇଛନ୍ତି କୋରାପୁଟ ବ୍ଲକ ମହାଦେଇପୁଟ ପଞ୍ଚାୟତ ମୁଣ୍ଡାଗୁଡ଼ାର ଉଚ୍ଚଶିକ୍ଷିତା ଆଦିବାସୀ ଯୁବତୀ ସୁକାନ୍ତି ପରଜା ।
ଛୋଟବେଳୁ ପଢ଼ାରେ ପାରଙ୍ଗମ ଥିଲେ ସୁକାନ୍ତି । ଅଭାବ ଅଟନଟ ଭିତରେ ବି ଆତ୍ମବିଶ୍ୱାସକୁ ଆଣ୍ଟ କରି ମାଟ୍ରିକ୍ ପାସ୍ କରିଥିଲେ । ସ୍ଥାନୀୟ ଏକ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇଥିଲେ । ବିଶ୍ୱାସ ଥିଲା ଶିକ୍ଷା ହିଁ ତାଙ୍କ ଭାଗ୍ୟ ବଦଳାଇଦେବ । ପାଠ ପଢ଼ିବା ସମୟରେ ହିଁ ବାପାମା’ ଦୁହେଁ ଆରପାରିକୁ ଚାଲିଗଲେ । ଜୀବନରେ ମାଡ଼ିଆସିଥିଲା ଅନ୍ଧକାର । ପରିବାରର ଆଉ ଆର୍ଥିକ ସହଯୋଗ ମିଳିଲାନି । ଆଗକୁ ପଢ଼ିବାର ସ୍ୱପ୍ନ ଅଧାରେ ଅଟକି ଯାଇଥିଲା । ଡିପ୍ଲୋମା ଶିକ୍ଷା ସାରିବା ପରେ ସୁକାନ୍ତି ବହୁ ସରକାରୀ ଓ ଘରୋଇ ସଂସ୍ଥାରେ ଚାକିରି ପାଇଁ ଆବେଦନ କରିଥିଲେ । ଅନେକ ସ୍ଥାନରେ ସାକ୍ଷାତକାର ମଧ୍ୟ ଦେଇଥିଲେ । ଅଥଚ ମିଳିନଥିଲା ସଫଳତା । ଗୋଟିଏ ପରେ ଗୋଟିଏ ସୁଯୋଗ ହାତଛଡ଼ା ହୋଇଯାଇଥିଲା । ଶେଷରେ ପେଟର ଭୋକ ଆଗରେ ହାର୍ ମାନିଥିଲା ଉଚ୍ଚଶିକ୍ଷା । ବଞ୍ଚିବା ପାଇଁ ବାଧ୍ୟ ହେଲେ କୁଲି ଲାଗିବାକୁ । ବର୍ତ୍ତମାନ ସୁକାନ୍ତି କୋରାପୁଟ ସହରରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଗୋଡ଼ି, ବାଲି, ଇଟାପଥର ବୋହୁଛନ୍ତି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖରା, ବର୍ଷାରେ ଅନ୍ୟ ଶ୍ରମିକଙ୍କ ଭଳି କାମ କରୁଛନ୍ତି ।
ସୁକାନ୍ତି କହିଛନ୍ତି, ତାଙ୍କ ଭଳି ଅନେକ ଆଦିବାସୀ ଶିକ୍ଷିତ ଯୁବକଯୁବତୀ ଚାକିରି ଅଭାବରୁ କୋରାପୁଟ ସହରକୁ ଆସି କୁଲି କାମ କରୁଛନ୍ତି । ଶିକ୍ଷାଥିଲେ ବି ଦକ୍ଷତା ଅନୁଯାୟୀ କାମ ନମିଳିବାରୁ ସେମାନେ ଦିନମଜୁରିକୁ ବିକଳ୍ପ ଭାବେ ବାଛି ନେଉଛନ୍ତି । କାମ ଛୋଟ କି ବଡ଼ ନୁହଁ, ପରିଶ୍ରମ କଲେ ଦୁଇଓଳି ଖାଇବାକୁ ମିଳୁଛି । ତଥାପି ଆଶା ଛାଡ଼ିନାହାନ୍ତି । କୁଲି ଲାଗୁଥିଲେ ବି କେବେ ନା କେବେ ତାଙ୍କ ଶିକ୍ଷାର ମୂଲ ମିଳିବ ବୋଲି ଭାବୁଛନ୍ତି । ସୁକାନ୍ତିଙ୍କ କାହାଣୀ କେବଳ ଜଣେ ଯୁବତୀଙ୍କ ସଂଘର୍ଷ ନୁହଁ । ଏହା କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଉଚ୍ଚଶିକ୍ଷିତ ବେକାର ଯୁବପିଢ଼ିର ବାସ୍ତବ ଚିତ୍ର । ସରକାର ଶିକ୍ଷା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଅଥଚ ଶିକ୍ଷା ସମାପ୍ତ ପରେ ନିଯୁକ୍ତି ଅଭାବ ଅନେକ ପ୍ରତିଭାଙ୍କୁ ନିରାଶାର ଅନ୍ଧକାରକୁ ଠେଲି ଦେଉଛି ।
ସୌଜନ୍ୟ ପ୍ରମେୟ




