Prime Minister Modi: ‘ବସୁଧୈବ କୁଟୁମ୍ବକମ’ର ପ୍ରତୀକ ତଥା ‘ମେଡ୍ ଇନ୍ ଇଣ୍ଡିଆ’ ଏବଂ ‘ବିଲ୍ଟ ଇନ୍ ଫ୍ରାନ୍ସ’ର ଉତ୍କୃଷ୍ଟ ଉଦାହରଣ ବୋଲି କହିଲେ ପ୍ରଧାନମନ୍ତ୍ରୀ
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ବିଏପିଏସ ସ୍ୱାମୀନାରାୟଣ ମନ୍ଦିର ଉଦ୍ଘାଟିତ ହୋଇଛି। କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପ୍ୟାରିସ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ବିଏପିଏସ ସ୍ୱାମୀନାରାୟଣ ମନ୍ଦିର ଉଦ୍ଘାଟିତ ହୋଇଛି। କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଏହାକୁ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ଏକ ନୂତନ ଯୁଗର ସ୍ତମ୍ଭ ଭାବରେ ବର୍ଣ୍ଣନା କରି କହିଛନ୍ତି, ଏହି ମନ୍ଦିର କେବଳ ବିଶ୍ୱାସର କେନ୍ଦ୍ର ନୁହେଁ, ବରଂ ଉଭୟ ଦେଶର ସହଭାଗୀ ସାଂସ୍କୃତିକ ମୂଲ୍ୟବୋଧ, ସହଯୋଗ ଏବଂ ‘ବସୁଧୈବ କୁଟୁମ୍ବକମ୍’ଭାବନାର ପ୍ରତୀକ।ଉଦ୍ଘାଟନୀ ସମାରୋହକୁ ଭର୍ଚୁଆଲ୍ ଭାବରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ପ୍ୟାରିସରେ ଉପସ୍ଥିତ ନଥିଲେ ମଧ୍ୟ ତାଙ୍କ ହୃଦୟ ଏବଂ ମନରେ ସେଠାରେ ଉପସ୍ଥିତ ଥିବା ଅନୁଭବ କରୁଛନ୍ତି। ସେ ଏହି ଐତିହାସିକ ଅବସରରେ ପୂଜ୍ୟ ମହନ୍ତ ସ୍ୱାମୀ, ସନ୍ଥ ଏବଂ ବିଏପିଏସ ସ୍ୱାମୀନାରାୟଣ ସଂସ୍ଥାକୁ ଅଭିନନ୍ଦନ ଜଣାଇଛନ୍ତି।
ଫ୍ରାନ୍ସରେ ହିନ୍ଦୁ ମନ୍ଦିର ଉଦ୍ଘାଟନ
ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାମୀ ମହାରାଜ ଭାରତର ପ୍ରାଚୀନ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୌରବକୁ ପୁନର୍ବାର ଜାଗ୍ରତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଏହାର ଆଲୋକ ଏବେ ୟୁରୋପ ସମେତ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ସେ ସ୍ମରଣ କରାଇଥିଲେ ଯେ ଆବୁଧାବିର ଭବ୍ୟ ମନ୍ଦିର ୨୦୨୪ମସିହାରେ ଉଦ୍ଘାଟନ ହୋଇଥିଲା ଏବଂ ପ୍ୟାରିସରେ ମନ୍ଦିର ନିର୍ମାଣ ସେହି ସଂକଳ୍ପର ଏକ ନିରନ୍ତରତା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଏପିଏସ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶରେ ନିର୍ମିତ ମନ୍ଦିରଗୁଡ଼ିକ ଭାରତର ପ୍ରାଚୀନ ଚିନ୍ତାଧାରା ଏବଂ ମାନବୀୟ ମୂଲ୍ୟବୋଧକୁ ବହନ କରୁଛି। ‘ସମନମ୍ ମନଃ ସହ ଚିତ୍ତମେଷମ୍’ ସଂସ୍କୃତ ଶ୍ଳୋକକୁ ଉଦ୍ଧୃତ କରି ସେ କହିଛନ୍ତି ଯେ ଭାରତର ବାର୍ତ୍ତା ହେଉଛି ଲୋକଙ୍କ ମନ ଏବଂ ହୃଦୟକୁ ସଂଯୋଗ କରିବା। ପ୍ୟାରିସର ଏହି ମନ୍ଦିର ଫ୍ରାନ୍ସର ବିବିଧତାକୁ ସମୃଦ୍ଧ କରିବ ଏବଂ ଭାରତ-ଫ୍ରାନ୍ସ ସାଂସ୍କୃତିକ ସମ୍ପର୍କକୁ ଶକ୍ତି ପ୍ରଦାନ କରିବ।
ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ଫ୍ରାନ୍ସ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା, ପ୍ରତିରକ୍ଷା, ମହାକାଶ ଏବଂ ଜଳବାୟୁ କାର୍ଯ୍ୟ ଭଳି କ୍ଷେତ୍ରରେ ନୂତନ ଗତି ଏବଂ ଶକ୍ତି ସହିତ ଆଗକୁ ବଢ଼ୁଛନ୍ତି। ଉଭୟ ଦେଶ ୨୦୨୬ କୁ ଭାରତ-ଫ୍ରାନ୍ସ ନବସୃଜନ ବର୍ଷ ଭାବରେ ପାଳନ କରୁଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ବିଶ୍ୱ ରଣନୈତିକ ସହଭାଗୀତା ଦୃଢ଼ ସାଂସ୍କୃତିକ ଏବଂ ଐତିହାସିକ ଭିତ୍ତିଭୂମି ଉପରେ ଆଧାରିତ। ଫ୍ରାନ୍ସରେ ଭାରତୀୟ ସୈନିକଙ୍କ ବଳିଦାନର ଇତିହାସ ଆଜି ମଧ୍ୟ ଜୀବିତ ଅଛି ଏବଂ ସଂସ୍କୃତକୁ ଲୋକପ୍ରିୟ କରିବାରେ ଫରାସୀ ବିଦ୍ୱାନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରୋମେନ ରୋଲାଣ୍ଡଙ୍କ ଲେଖା, ସ୍ୱାମୀ ବିବେକାନନ୍ଦ ଏବଂ ରାମକୃଷ୍ଣ ପରମହଂସଙ୍କ ଦର୍ଶନ ଏବଂ ପ୍ୟାରିସରୁ ପୁଡୁଚେରୀ ପର୍ଯ୍ୟନ୍ତ ‘ଦି ମଦର’ଙ୍କ ଆଧ୍ୟାତ୍ମିକ ଯାତ୍ରା ଦୁଇ ଦେଶର ସମାଜକୁ ନିକଟତର କରିଛି।
ଲୋକଙ୍କ ମନ ଏବଂ ହୃଦୟକୁ ସଂଯୋଗ କରିବା: ମୋଦୀ
ପ୍ରଧାନମନ୍ତ୍ରୀ ଇସ୍କନ ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦ ସ୍ୱାମୀଙ୍କ ଫ୍ରାନ୍ସ ଗସ୍ତ ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଇଫେଲ ଟାୱାର ସମ୍ମୁଖରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଉଲ୍ଲେଖ କରି କହିଛନ୍ତି ଏବେ ବିଏପିଏସ ସ୍ୱାମୀନାରାୟଣ ମନ୍ଦିର ଏହି ସାଂସ୍କୃତିକ ସମ୍ପର୍କରେ ଏକ ନୂତନ ଅଧ୍ୟାୟ ଯୋଡି ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ମନ୍ଦିର ‘ମେଡ୍ ଇନ୍ ଇଣ୍ଡିଆ’ ଏବଂ ‘ବିଲ୍ଟ ଇନ୍ ଫ୍ରାନ୍ସ’ର ଏକ ଉତ୍କୃଷ୍ଟ ଉଦାହରଣ। ମନ୍ଦିରର ଅନେକ ପଥର ଭାରତରେ ଖୋଦିତ ହୋଇଥିଲା ଏବଂ ଫ୍ରାନ୍ସରେ ଆଧୁନିକ ଇଞ୍ଜିନିୟରିଂ ସହ ମିଶି ଏହି ଚମତ୍କାର ମନ୍ଦିର ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ଶତାବ୍ଦୀ ଧରି ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସହଯୋଗ ଏବଂ ସମ୍ଭାବନାର ପ୍ରତୀକ ହୋଇ ରହିବ। ସ୍ୱାମୀନାରାୟଣ ମନ୍ଦିରଗୁଡ଼ିକ ସର୍ବଦା ଭକ୍ତି ଏବଂ ସେବାର କେନ୍ଦ୍ର ହୋଇଆସିଛି। ପ୍ୟାରିସର ଏହି ମନ୍ଦିର ମଧ୍ୟ ସେବା ପ୍ରକଳ୍ପ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ହେବ। ସେଠାରୁ ଭାରତୀୟ ସଂସ୍କୃତିର ବାର୍ତ୍ତା ସମଗ୍ର ୟୁରୋପରେ ପହଞ୍ଚିବ ଏବଂ ଭବିଷ୍ୟତରେ ସୁଯୋଗ ପାଇଲେ ସେ ବ୍ୟକ୍ତିଗତ ଭାବରେ ଏହି ମନ୍ଦିର ପରିଦର୍ଶନ କରିବାକୁ ଚେଷ୍ଟା କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୌଜନ୍ୟ ସମ୍ବାଦ




