ନବସୃଜନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କେବଳ ଖର୍ଚ୍ଚ ଉପରେ ନୁହେଁ, ଫଳାଫଳ-କୈନ୍ଦ୍ରିକ ପ୍ରଯୁକ୍ତିବିଦ୍ୟା ଉପରେ ଜୋର୍ ଦିଆଯିବ। ଜନସାଧାରଣଙ୍କ ଉପରୁ ଅନାବଶ୍ୟକ ନିୟମର ବୋଝ କମାଇବା ସହ ବିଶ୍ୱାସ ଆଧାରିତ ଶାସନ ବ୍ୟବସ୍ଥା ଗଠନ କରିବା ଆମର ଲକ୍ଷ୍ୟ। ସାରା ବିଶ୍ୱରେ ଆର୍ଥିକ ଅନିଶ୍ଚିତତା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏଭଳି ଅସ୍ଥିରତା ଭିତରେ ବି ଭାରତ ବିକାଶର ଏକ ଉଜ୍ଜ୍ୱଳ ସ୍ଥାନ ଭାବରେ ଉଭା ହୋଇଛି। ଭାରତର ସମ୍ଭାବ୍ୟ ଅଭିବୃଦ୍ଧି ହାର ୭%କୁ ବୃଦ୍ଧି ପାଇଛି। ସରକାର ସ୍ୱଳ୍ପକାଳୀନ ଲୋକପ୍ରିୟତା ପରିବର୍ତ୍ତେ ଭିତ୍ତିଭୂମି ଉପରେ ପୁଞ୍ଜି ବିନିଯୋଗ କରି ଦୀର୍ଘକାଳୀନ ନିଯୁକ୍ତି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଜାତୀୟ ନିରାପତ୍ତା ଉପରେ ସେ କହିଛନ୍ତି, ପ୍ରତିରକ୍ଷା ବଜେଟ୍ରେ ୧୫% ବୃଦ୍ଧି କରାଯାଇ ଏହାକୁ ୭.୮୫ ଲକ୍ଷ କୋଟି ଟଙ୍କା କରାଯାଇଛି। ଭାରତୀୟ ସେନାର ଆଧୁନିକୀକରଣ ଓ ‘ଆତ୍ମନିର୍ଭର ଭାରତ’ ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଉପରେ ଗୁରୁତ୍ୱ ଦିଆଯାଉଛି। ସେହିଭଳି ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ବର୍ତ୍ତମାନ ଏକ ଶକ୍ତିଶାଳୀ ସ୍ଥିତିରେ ରହି ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍ଟିଏ) କରୁଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଚଳିତ ବଜେଟ୍ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ପାଇଁ ଭିତ୍ତି ସ୍ଥାପନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆମେ ନୀତି ଆଧାରିତ ଶାସନ ମାଧ୍ୟମରେ ଏକ ଆର୍ଥିକ ପୁନରୁତ୍ଥାନ ଆରମ୍ଭ କରିଥିଲୁ ଏବଂ ଆର୍ଥିକ ମୂଳଦୁଆକୁ ସୁଦୃଢ଼ କରିଥିଲୁ। ଯେତେବେଳେ ଆମେ ରାଜନୈତିକ ସ୍ଥିରତା, ନୀତିଗତ ଆକଳନ ଏବଂ ଏକ ସଂସ୍କାରମୁଖୀ ଆଭିମୁଖ୍ୟ ସୁନିଶ୍ଚିତ କରିଥିଲୁ, ସେତେବେଳେ ବିଶ୍ବ ଭାରତରେ ନିବେଶ କରିବାକୁ ଚାହିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ପ୍ରତିଯୋଗିତାମୂଳକ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବରେ ଅନେକ ରାଷ୍ଟ୍ର ଆମ ସହିତ ବାଣିଜ୍ୟ ଚୁକ୍ତିନାମା କରିବାରେ ଲାଭ ଦେଖିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଫଟିଏଗୁଡ଼ିକ ଭାରତର ଉତ୍ପାଦ ପାଇଁ ପ୍ରମୁଖ ଅର୍ଥବ୍ୟବସ୍ଥାଗୁଡ଼ିକର ବଜାରକୁ ଖୋଲି ଦେଇଛି। ଉଦାହରଣ ସ୍ୱରୂପ, ଭାରତ-ବ୍ରିଟେନ ଏଫ୍ଟିଏ ଏବଂ ଭାରତ-ୟୁରୋପୀୟ ସଂଘ ଏଫ୍ଟିଏ ଏହି ଦେଶଗୁଡ଼ିକୁ ଆମର ୯୯% ରପ୍ତାନି ଉପରେ ଶୁଳ୍କ ଉଚ୍ଛେଦ କରିବ। ଅଷ୍ଟ୍ରେଲିଆ ଏବଂ ୟୁଏଇ ସହିତ ଏଫ୍ଟିଏ ସ୍ୱାକ୍ଷର କରିବା ପରଠାରୁ ଏହି ଦୁଇ ଦେଶ ସହିତ ବାଣିଜ୍ୟ କାରବାର ଦ୍ୱିଗୁଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆମର ସେବା କ୍ଷେତ୍ର ଏବଂ ଏହାର ପେସାଦାରମାନେ ସାରା ବିଶ୍ୱରେ ପରିଚିତ। ଚଳିତ ବଜେଟ୍ ଆମର ବର୍ତ୍ତମାନର ନିଷ୍ପତ୍ତିକୁ ଆଧାର କରି ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଭିତ୍ତି ସ୍ଥାପନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଦୀର୍ଘ ସମୟ ଧରି ଉଚ୍ଚମାନର ଭିତ୍ତିଭୂମିକୁ ଅବହେଳା କରାଯାଇଥିଲା, ଯାହା ସାଧାରଣ ଜନତା ଏବଂ ଭାରତୀୟ ବ୍ୟବସାୟ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଥିଲା। ଏକ ବିକଶିତ ଭାରତ ନିର୍ମାଣ ଲାଗି ଆକାଂକ୍ଷା ପୋଷଣ କରୁଥିବା ରାଷ୍ଟ୍ରରେ ଭଙ୍ଗା ଏବଂ ପୁରୁଣା ଭିତ୍ତିଭୂମିର କୌଣସି ସ୍ଥାନ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେ ଗତି, ବ୍ୟାପକତା ଏବଂ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ସୃଷ୍ଟି ଉପରେ ଧ୍ୟାନ ଦେଇ ଏହି କ୍ଷେତ୍ରରେ ବିପ୍ଳବ ଆଣିଛୁ। ବର୍ତ୍ତମାନର ଭିତ୍ତିଭୂମିକୁ ଉନ୍ନତ କରିଛୁ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଆମର ଇତିହାସରେ ହୁଏତ ସବୁଠାରୁ ବିସ୍ତୃତ ଭିତ୍ତିଭୂମି ନିର୍ମାଣ ପ୍ରୟାସ ଦେଖିଛି, ଗୁଣବତ୍ତା ଉପରେ ଅଭୂତପୂର୍ବ ଗୁରୁତ୍ୱ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ହଜାର ହଜାର ବିମାନ ପାଇଁ ଅର୍ଡର ଦେଉଥିବା ସମୟରେ ବିମାନବନ୍ଦର ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଭାରତ ଦ୍ରୁତ ଗତିରେ ସହରୀକରଣ କରୁଥିବା ସମୟରେ ମେଟ୍ରୋ ସେବା ଥିବା ସହର ସଂଖ୍ୟା ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳର ଆକାଂକ୍ଷା ବୃଦ୍ଧି ପାଉଥିବା ସମୟରେ ଗ୍ରାମାଞ୍ଚଳରେ ରାସ୍ତା ଏବଂ ଇଣ୍ଟରନେଟ୍ ସଂଯୋଗ ଦ୍ରୁତ ଗତିରେ ବିସ୍ତାରିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
୨୦୨୬-୨୦୨୬ ଆର୍ଥିକ ବର୍ଷ ପାଇଁ ସାମଗ୍ରିକ ପୁଞ୍ଜି ବ୍ୟୟ ପ୍ରାୟ ୧୨.୨ ଲକ୍ଷ କୋଟି ଟଙ୍କା। ୨୦୧୩ ତୁଳନାରେ ଏଥିରେ ୫ ଗୁଣ ବୃଦ୍ଧି ହୋଇଛି। ଏହା କ୍ଷଣସ୍ଥାୟୀ ଲୋକପ୍ରିୟତା ବଦଳରେ ଉତ୍ପାଦକତା, ନିଯୁକ୍ତି ଏବଂ ଭବିଷ୍ୟତର ଆର୍ଥିକ କ୍ଷମତା ସୃଷ୍ଟି କରୁଥିବା ସମ୍ପତ୍ତିରେ ନିବେଶ କରିବାର ଏକ ସଚେତନ ରଣନୀତିକ ପସନ୍ଦକୁ ପ୍ରତିଫଳିତ କରେ। ଲୋକଙ୍କ ଜୀବନଧାରଣ ମାନରେ ସୁଧାର ଆଣିବା, ଆମ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଏବଂ ବିକଶିତ ଭାରତ ଆଡ଼କୁ ଦେଶର ପ୍ରଗତିକୁ ଆଗକୁ ବଢ଼ାଇବା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ମୋର ସୌଭାଗ୍ୟ ଯେ ଲୋକଙ୍କ ଆଶୀର୍ବାଦ ଦୀର୍ଘ ସମୟ ଧରି ମୋ ସହିତ ରହିଛି। ମୁଁ ରାଜ୍ୟ ସ୍ତରରେ ଏବଂ ଜାତୀୟସ୍ତରରେ ୨୬ ବର୍ଷ ଧରି ସରକାର ମୁଖ୍ୟ ଭାବରେ ସେବା କରିଛି।
ଯଦି କେହି ଏହି ବର୍ଷଗୁଡ଼ିକରେ ମୋର ଆଭିମୁଖ୍ୟକୁ ଭଲ ଭାବରେ ବିଚାର କରନ୍ତି, ତେବେ ଏହା ସ୍ପଷ୍ଟ ହୋଇଯାଏ ଯେ ଆମର କାର୍ଯ୍ୟ ବିଖଣ୍ଡିତ ଭାବେ ହୁଏ ନାହିଁ। ଏକ ବ୍ୟାପକ ରଣନୀତି, କାର୍ଯ୍ୟ ଯୋଜନା ଏବଂ ଏକ ପ୍ରଭାବଶାଳୀ କାର୍ଯ୍ୟକାରିତା ବ୍ୟବସ୍ଥା ଅଛି ଯାହା ‘ସମଗ୍ର ରାଷ୍ଟ୍ର’ ଚିନ୍ତାଧାରା, ଉଦ୍ଦେଶ୍ୟର ନିରନ୍ତରତା ଏବଂ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ, ଯାହା ବର୍ଷ ପରେ ବର୍ଷ ପ୍ରକାଶିତ ହେଉଛି। ଏହି କିଛି ବର୍ଷ ମଧ୍ୟରେ ଆମେ ପୂର୍ବ ପ୍ରଶାସନ ଦ୍ୱାରା ଛାଡିଯାଇଥିବା ଢାଞ୍ଚାଗତ ଫାଙ୍କକୁ ପୂରଣ କରିଛୁ, ସାହସିକ ସଂସ୍କାର ଆଣିଛୁ, ଗରିବଙ୍କ ପାଇଁ ସୁଯୋଗ ବୃଦ୍ଧି କରିଛୁ, ଆମର ଯୁବପିଢ଼ିଙ୍କୁ ସଶକ୍ତ କରିଛୁ, ମହିଳାମାନଙ୍କ ଭୂମିକାକୁ ସୁଦୃଢ଼ କରିଛୁ ଏବଂ ଆମର କୃଷକମାନଙ୍କ ପାଇଁ ମର୍ଯ୍ୟାଦା ଓ ସୁରକ୍ଷା ସୁନିଶ୍ଚିତ କରିଛୁ। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଏକ ସମାବେଶୀ, ପ୍ରଯୁକ୍ତି ଆଧାରିତ କିନ୍ତୁ ମାନବ-କୈନ୍ଦ୍ରିକ କଲ୍ୟାଣ ଢାଞ୍ଚା ନିୟୋଜିତ କରିଛୁ ଯାହା ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚିଥାଏ ଏବଂ କାହାକୁ ପଛରେ ଛାଡ଼ି ନଥାଏ।
ସୌଜନ୍ୟ ସମ୍ବାଦ