ନୂଆଦିଲ୍ଲୀ: ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ପାଇଁ ଲୋକସଭାରେ କେନ୍ଦ୍ର ସରକାରଙ୍କ ଦ୍ବାରା ୩ଟି ବିଲ୍ ଆଗତ ନେଇ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ଶାଣିତ ତଥା କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଏହି ବିଲ୍ ପ୍ରକୃତ ସଶକ୍ତୀକରଣ ଅପେକ୍ଷା ବିଜେପି ପାଇଁ ଏକ ରାଜନୈତିକ ରଣନୀତି ସାବ୍ୟସ୍ତ ହୋଇଛି।
ନିଜ ଅଭିଭାଷଣରେ ଏକ ରୋଚକ ଉଦାହରଣ ଦେଇ ପ୍ରିୟଙ୍କା କହିଥିଲେ, ଯଦି ଆଜି ଚାଣକ୍ୟ ଜୀବିତ ଥାଆନ୍ତେ, ତେବେ ବିଜେପିର ଏହି ଚତୁରତା ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥାଆନ୍ତେ। ତାଙ୍କର ଏହି କଟାକ୍ଷ ଶୁଣି ଗୃହରେ ଉପସ୍ଥିତ ଥିବା ଗୃହମନ୍ତ୍ରୀ ଅମିତ ଶାହ, କିରଣ ରିଜିଜୁ ଏବଂ ଅନ୍ୟ ବିଜେପି ସାଂସଦମାନେ ହସିବା ଦେଖାଯାଇଥିଲା।
ମହିଳା ସଂରକ୍ଷଣକୁ କଂଗ୍ରେସ ନୀତିଗତ ଭାବେ ସମର୍ଥନ କରୁଥିଲେ ହେଁ, ପ୍ରିୟଙ୍କା ଅଭିଯୋଗ କରିଛନ୍ତି ଯେ ଏନ୍ଡିଏ ସରକାର ଏହାକୁ ଆଗାମୀ ନିର୍ବାଚନରେ ଫାଇଦା ପାଇବା ପାଇଁ ଏକ ରାଜନୈତିକ ଟ୍ରମ୍ପ କାର୍ଡ ଭାବେ ବ୍ୟବହାର କରୁଛନ୍ତି। ବିଜେପି ନିଜ ଦଳର ମୂଳଦୁଆକୁ ମଜବୁତ କରୁଥିବାବେଳେ ଦେଶର ସମ୍ବିଧାନକୁ କ୍ଷତି ପହଞ୍ଚାଉଛି ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଅଭିଭାଷଣରେ ସମାଲୋଚନା ଏବଂ ପରିହାସର ଏକ ନିଆରା ସମନ୍ୱୟ ଦେଖିବାକୁ ମିଳିଥିଲା।
ସୌଜନ୍ୟ ସମ୍ବାଦ

