Puja Perform in Train: ହନିମୁନ୍ ସାଜସଜ୍ଜା ପରେ ଟ୍ରେନ୍ର ଏସି କୋଚ୍ରେ ପଣ୍ଡିତଙ୍କ ପୂଜା, ଭାଇରାଲ ଭିଡିଓକୁ ନେଇ ବିତର୍କ
ଅଗରବତିରୁ ବାହାରୁଥିବା ଧୂଆଁ ଏସି କୋଚ୍ରେ ଲାଗିଥିବା ଅଟୋମେଟିକ୍ ସ୍ମୋକ୍ ଡିଟେକ୍ଟରକୁ ସକ୍ରିୟ କରିଦେଇପାରେ । ଫଳରେ ହଠାତ୍ ଫାୟାର ଆଲାରାମ ବାଜିବା ସହ ଜରୁରୀକାଳୀନ ବ୍ରେକିଂ ସିଷ୍ଟମ ମଧ୍ୟ ପ୍ରଭାବିତ ହୋଇପାରେ ।

ନୂଆଦିଲ୍ଲୀ, ୨୮।୭: ଚଳନ୍ତା ଟ୍ରେନ୍ ଭିତରେ ପୂଜାପାଠର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ନେଇ ଏବେ ସାଧାରଣରେ ‘ଆସ୍ଥା’ ଏବଂ ‘ସୁରକ୍ଷା’କୁ ନେଇ ଏକ ବଡ଼ଧରଣର ବିତର୍କ ଆରମ୍ଭ ହୋଇଛି । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯାତ୍ରୀ ଚଳନ୍ତା ଟ୍ରେନର ଏସି କୋଚ୍ର ଉପର ବର୍ଥରେ ବସି ପୂଜା-ପାଠ କରୁଛନ୍ତି । ତାଙ୍କ ସାମ୍ନାରେ ତେଲ ଦୀପ ଏବଂ ଜଳୁଥିବା ଅଗରବତି ରଖାଯାଇଛି । ଟ୍ରେନ୍ ଚାଲୁଥିବା ବେଳେ ଏଭଳି ଖାଲି ଆଗ୍ନେୟ ଉପକରଣ ବ୍ୟବହାର କରାଯାଉଥିବା ନଜର ଆସିଛି । ପାଖରେ ବସିଥିବା ଅନ୍ୟ ଯାତ୍ରୀମାନେ ଏହା ଦେଖି ଉକ୍ତ ଯାତ୍ରୀଙ୍କୁ ଏଭଳି ନ କରିବାକୁ ବୁଝାସୁଝା କରୁଥିବା ମଧ୍ୟ ଭିଡିଓରେ ଦେଖାଯାଉଛି ।
ନିଆଁ ଲାଗିବା ଏବଂ ଫାୟାର ଆଲାର୍ମ ବାଜିବାର ବିପଦ:
ରେଳ ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ଅଗରବତିରୁ ବାହାରୁଥିବା ଧୂଆଁ ଏସି କୋଚ୍ରେ ଲାଗିଥିବା ଅଟୋମେଟିକ୍ ସ୍ମୋକ୍ ଡିଟେକ୍ଟରକୁ ସକ୍ରିୟ କରିଦେଇପାରେ । ଫଳରେ ହଠାତ୍ ଫାୟାର ଆଲାରାମ ବାଜିବା ସହ ଜରୁରୀକାଳୀନ ବ୍ରେକିଂ ସିଷ୍ଟମ ମଧ୍ୟ ପ୍ରଭାବିତ ହୋଇପାରେ । ଏସି କୋଚ୍ରେ ଥିବା ବେଡ୍-ସିଟ୍, ପରଦା, ସିଟ୍ କଭର ଏବଂ ଅନ୍ୟାନ୍ୟ ସିନ୍ଥେଟିକ୍ ସାମଗ୍ରୀ ଅତ୍ୟନ୍ତ ଜ୍ୱଳନଶୀଳ ହୋଇଥାଏ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକଙ୍କ ମଧ୍ୟରେ କ୍ରୋଧ ଏବଂ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଧିକାଂଶ ଲୋକ କହିଛନ୍ତି ଯେ ଧାର୍ମିକ ଆସ୍ଥାକୁ ସମ୍ମାନ ଦିଆଯିବା ଉଚିତ୍, କିନ୍ତୁ ସର୍ବସାଧାରଣ ସୁରକ୍ଷା ସହ କୌଣସି ପ୍ରକାରେ ବୁଝାମଣା କରାଯାଇପାରିବ ନାହିଁ । କିଛି ୟୁଜର୍ସ ରେଳବାଇ ଏବଂ ଆଇଆର୍ସିଟିସିକୁ ଏଭଳି ମାମଲାରେ କଠିନ ଜରିମାନା ଦେବାକୁ ଦାବି କରିଛନ୍ତି ।
ଭାଇରାଲ ଭିଡିଓକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଅଭିଯୋଗ ମଞ୍ଚ “ରେଳବାଇ ସେବା” ଟ୍ରେନ୍ ନମ୍ବର, ଯାତ୍ରୀଙ୍କ ତାରିଖ ଏବଂ ପିଏନ୍ଆର୍ ଭଳି ବିବରଣୀ ମାଗିଛି । ରେଳବାଇ ଯାତ୍ରୀମାନଙ୍କୁ ‘ରେଳ ମଦଦ’ ପୋର୍ଟାଲ ଜରିଆରେ ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦେଇଛି । କହିରଖୁ କି ଏହା ପ୍ରଥମ ଘଟଣା ନୁହେଁ; ଏହାପୂର୍ବରୁ ଚଳନ୍ତା ଟ୍ରେନର ସାଲୁନ୍ କୋଚ୍ରେ ହବନ ଏବଂ ରୁଦ୍ରାଭିଷେକ କରାଯିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ସେହିପରି ପ୍ରଥମ ଶ୍ରେଣୀ ଏସି କୋଚ୍ରେ ବାହାଘର କିମ୍ବା ହନିମୁନ୍ ସାଜସଜ୍ଜା ପରି କାର୍ଯ୍ୟକ୍ରମର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।
ସୌଜନ୍ୟ ପ୍ରମେୟ




