ଅପରାଧରାଜ୍ୟ

Rain: କାଳ ହେଲା ଲଗାଣ ବର୍ଷା: ପାଣିରେ ବୁଡ଼ି ୩ ଶିଶୁଙ୍କ ଜୀବନ ଗଲା

କାଳ ହେଲା ଲଗାଣ ବର୍ଷା। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଓ କୋଇଡ଼ାରେ ୩ ଜଣ ଶିଶୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। କୋଇଡ଼ା ଥାନା କାଦୋଡିହା ଗାଁରେ ପଡ଼ୋଶୀ ଖୋଳିଥିବା ଗଭୀର ଗାତରେ ପଡ଼ି ୨ କୁନି ଭାଇଭଉଣୀଙ୍କ ଜୀବନ ଯାଇଛି।

କୋଇଡ଼ା/ଲାଠିକଟା: କାଳ ହେଲା ଲଗାଣ ବର୍ଷା। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଓ କୋଇଡ଼ାରେ ୩ ଜଣ ଶିଶୁ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। କୋଇଡ଼ା ଥାନା କାଦୋଡିହା ଗାଁରେ ପଡ଼ୋଶୀ ଖୋଳିଥିବା  ଗଭୀର ଗାତରେ ପଡ଼ି ୨ କୁନି ଭାଇଭଉଣୀଙ୍କ ଜୀବନ ଯାଇଛି। ମୃତକ ହେଲେ ୫ ବର୍ଷର ଝିଅ ପ୍ରିୟା ଭୂମିଜ ଓ ୩ ବର୍ଷର ସାନଭାଇ ମନୋଜ ଭୂମିଜ। ସୂଚନା ଅନୁଯାୟୀ, ଆଜି କାଦୋଡିହା ଗ୍ରାମର ଶମ୍ଭୁ ଭୂମିଜ ଓ ତାଙ୍କ ସ୍ତ୍ରୀ ଗଙ୍ଗା ଘରେ ଖାଉଥିଲେ। ଦିନ ୧୧ଟା ବେଳେ ଝିଅ ପ୍ରିୟା ଶୌଚ ପାଇଁ ଯାଉଛି କହି ସାଙ୍ଗରେ ସାନଭାଇ ମନୋଜକୁ ଡାକି ନେଇଥିଲା। ଉଭୟ ମଳତ୍ୟାଗ ପରେ ନିଜ ଘରଠାରୁ ମାତ୍ର ୩୦୦ ମିଟର ଦୂର ପଡ଼ୋଶୀ ଖୋଳିଥିବା ଗାତରେ ବର୍ଷାପାଣି ଭରି ରହିଥିବା ଦେଖି ସେଠାକୁ ଯାଇଥିଲେ। ଭାଇଭଉଣୀ ଜାଣି ନପାରି ସେହି ଭରାପାଣିରେ ଶୌଚ ହେବାବେଳେ ସେଥିରେ ବୁଡ଼ିଯାଇଥିଲେ। ଦୀର୍ଘ ସମୟ ଧରି ଦୁହେଁ ନ ଆସିବାରୁ ବାପା-ମା’ ଖୋଜିଥିଲେ। ଏହି ସମୟରେ ପାଣିଭର୍ତ୍ତି ଗାଢ଼ରେ ଝିଅଟି ଭାସୁଥିବା ଗାଁ ଲୋକେ ଦେଖି ବାପା-ମା’ଙ୍କୁ ଖବର ଦେଇଥିଲେ।

କୋଇଡ଼ାରେ ଭାଇଭଉଣୀ

ଲାଠିକଟାରେ ୫ ବର୍ଷର ଶିଶୁ

ତୁରନ୍ତ ଶମ୍ଭୁ ଓ ସ୍ତ୍ରୀ ଗଙ୍ଗା ଯାଇ ଉକ୍ତ ଗାଢ଼ରୁ ଗ୍ରାମବାସୀଙ୍କ ସହାୟତାରେ ଝିଅକୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଝିଅର ମୃତ୍ୟୁ ହୋଇ ସାରିଥିଲା। ୩ ବର୍ଷର ପୁଅର ସନ୍ଧାନ ନ ମିଳିବାରୁ ଗ୍ରାମବାସୀ ଗାଢ଼ ଭିତରେ ପଶି ଖୋଜାଖୋଜି କରି କାଦୁଅରେ ଲାଖି ରହିଥିବା ପୁଅକୁ ଉଦ୍ଧାର କରିଥିଲେ। ଉଭୟଙ୍କୁ କୋଇଡ଼ା ହସ୍‌ପିଟାଲକୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ଭାଇଭଉଣୀଙ୍କୁ ମୃତ ଘୋଷଣା କରିଥିଲେ। ପୁଅଝିଅଙ୍କ ଏଭଳି ମୃତ୍ୟୁରେ ହତବାକ୍‌ ହୋଇ ମା’ ଗଙ୍ଗା ସେଇଠି ମୂର୍ଚ୍ଛା ହୋଇ ଯାଇଥିଲେ। ତାଙ୍କର ଏବେ ଚିକିତ୍ସା ଜାରି ରହିଛି। ବାପା ଶମ୍ଭୁ ଏ ନେଇ କୋଇଡ଼ା ଥାନାରେ ଲିଖିତ ସୂଚନା ଦେଇଛନ୍ତି। ଏହି ଦୁର୍ଭାଗ୍ୟଜନକ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ପଡ଼ୋଶୀ ଜଣକ ଖୋଳିଥିବା ଗଭୀର ଗାତଟି ପ୍ରାୟ ୧୪ରୁ ୧୫ ଫୁଟ ମଧ୍ୟରେ ହେବ। ତେବେ ପାଇଖାନା କିମ୍ବା ଘର ନିର୍ମାଣ ଉ‌‌ଦ୍ଦେଶ୍ୟରେ ଏହି ଗାତ ଖୋଳାଯାଇଥିଲା, ତାହା ଜଣାପଡ଼ି ନାହିଁ।

ସେହିପରି ଲାଠିକଟା ଥାନା ଅନ୍ତର୍ଗତ ମୁଣ୍ଡାଟୋଲାରେ ପାଇଖାନା ନିର୍ମାଣ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୁଣ୍ଡାଟୋଲାର କୁରଲି ବୁଡ଼ ନିଜ ଘର ପଛପଟେ ସେଫ୍‌ଟି ଟାଙ୍କି ନିର୍ମାଣ ପାଇଁ ପ୍ରାୟ ୬ ଫୁଟର ଏକ ଗାତ ଖୋଳିଥିଲେ। ସେଥିରେ ବର୍ଷା ପାଣି ଜମି ରହିଥିଲା। ଅସାବଧାନତାବଶତଃ ଗତକାଲି ତାଙ୍କର ୫ ବର୍ଷର ଶିଶୁପୁତ୍ର ସେଥିରେ ପଡ଼ିଯାଇଥିଲା। ପରିବାର ଲୋକେ‌ ଖୋଜାଖୋଜି‌ କରି କୁନି ପୁଅର କୌଣସି ପତ୍ତା ପାଇ ନଥିଲେ। ପରେ ପାଣିଭର୍ତ୍ତି ଗାତରୁ ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button