ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଶାସକ ଓ ବିରୋଧୀ ଦଳ ମଧ୍ୟରେ ବୟାନବାଜି ସହ ଛକାପଞ୍ଝା ଚାଲିଛି। ବିଶେଷ କରି ବିଜେଡି ଭିତରେ ଉଭୟ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଥିବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବିଗୁଡ଼ୁଥିବା ଦେଖି ୧୩ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଧାୟକମାନେ ଭୁବନେଶ୍ବର ନ ଛାଡ଼ିବାକୁ ଦଳ ପକ୍ଷରୁ ହ୍ବିପ୍ ଜାରି କରାଯାଇଛି। ଅପର ପକ୍ଷରେ ବିଜେପି ଘୋଡ଼ାବେପାରରେ ମାତିଛି ବୋଲି ନିଜେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆରୋପ ଲଗାଇଛନ୍ତି। ଏପଟେ ଦିଲ୍ଲୀପ ରାୟଙ୍କ ବିଜୟ ନେଇ ବିଜେପି ନିଶ୍ଚିତ ଅଛି।
ବିଜେଡିରେ ଏତେ ମାତ୍ରାରେ ଅସ୍ଥିରତା ଦେଖାଦେବାର କାରଣ ହେଉଛି ଦଳରେ ପ୍ରାର୍ଥୀ ଚୟନ। ଜିତିବା ପାଇଁ ଦଳୀୟ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କର ପାଖରେ ସଂଖ୍ୟା ଅଛି। କିନ୍ତୁ ତାଙ୍କ ପ୍ରାର୍ଥିତ୍ବକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। ବିଜେଡିରେ ସାମିଲ ହେବାର କମ୍ ଦିନ ଭିତରେ ତାଙ୍କୁ ଅତ୍ୟଧିକ ପ୍ରାଧାନ୍ୟ ମିଳୁଥିବାରୁ ତାହାକୁ ବରିଷ୍ଠ ନେତାମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସେଥି ପାଇଁ ବିଧାୟକମାନଙ୍କୁ ମନାଇବା ନିମନ୍ତେ ଦଳର ସଭାପତିଙ୍କୁ ବେଶ୍ କସରତ କରିବାକୁ ପଡ଼ୁଛି। ପ୍ରତିଦିନ ବିଧାୟକମାନଙ୍କୁ ଡାକି ନିଜେ ନବୀନ କଥା ହେଉଛନ୍ତି। ଏପରିକି ବିଧାୟକମାନଙ୍କୁ ନିର୍ମାଲ୍ୟ ଛୁଇଁ ଶପଥ ନେବାକୁ କୁହାଯାଉଛି। ସଂତୃପ୍ତ ଓ ସ୍ବାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସମର୍ଥନ ଲୋଡ଼ୁଛନ୍ତି। ଏମିତିରେ ବିଜେଡିରେ ସଂଖ୍ୟା ଯାହା, ଦଳୀୟ ପ୍ରାର୍ଥୀ କାହାକୁ ବ୍ୟକ୍ତିଗତ ଭେଟିବା ଆବଶ୍ୟକ ନାହିଁ। କିନ୍ତୁ ଅସନ୍ତୋଷ ବାରି ହୋଇପଡ଼ୁଥିବାରୁ ନିଜେ ସଂତୃପ୍ତ ବିଧାୟକମାନଙ୍କୁ ଭେଟୁଥିବା ଚର୍ଚ୍ଚା ଚାଲିଛି।
ସଂତୃପ୍ତ, ଦତ୍ତେଶ୍ବରଙ୍କ ମାରାଥନ୍ ପ୍ରଚାର ଦିଲ୍ଲୀପଙ୍କ ଗୁପ୍ତ ରଣନୀତି
ବିଜେପି ଘୋଡ଼ାବେପାର କରୁଥିବା ନେଇ ନବୀନଙ୍କ ଅଭିଯୋଗ
୧୩ ତାରିଖରୁ ଭୁବନେଶ୍ବର ନ ଛାଡ଼ିବାକୁ ବିଜେଡିର ହ୍ବିପ୍
ଅପରପକ୍ଷରେ ବିଜେଡି ବିଧାୟକମାନଙ୍କୁ ଏକାଠି ରଖିବାକୁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସେମାନଙ୍କୁ ହୋଟେଲ ନେବାକୁ କିଛି ନେତା ପ୍ରସ୍ତାବ ଦେଇଥିଲେ। କିନ୍ତୁ ସେନେଇ ନିଷ୍ପତ୍ତି ହୋଇପାରି ନଥିଲା। ତେଣୁ ଦଳୀୟ ବିଧାୟକମାନେ ଭୁବନେଶ୍ବର ନ ଛାଡ଼ିବାକୁ ଆଜି ବିଧାୟକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହ୍ବିପ୍ ଜାରି କରିଛନ୍ତି। ହ୍ବିପ୍ ଅନୁଯାୟୀ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଧାୟକମାନେ ଭୁବନେଶ୍ବର ଛାଡ଼ି ଯାଇପାରିବେ ନାହିଁ। ସମସ୍ତେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବେ। ମିଳିଥିବା ସୂଚନା ଅନୁଯାୟୀ ୧୫ ତାରିଖରେ ସବୁ ବିଧାୟକଙ୍କର ନବୀନ ନିବାସରେ ଏକ ବୈଠକ ବସିବ।
ବିଜେପି ଉପରେ ଘୋଡ଼ାବେପାରର ଆରୋପ ଲଗାଇ ଗଣମାଧ୍ୟମକୁ ନବୀନ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଲକ୍ଷାଧିକ ଓଡ଼ିଆ ଫସି ରହିଛନ୍ତି। ପରିତାପର ବିଷୟ ଯେ ବିଜେପି ସରକାର ସେମାନଙ୍କ ବିଷୟରେ ଚିନ୍ତା ନକରି ଏଠାରେ ଘୋଡ଼ାବେପାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛି। ଏହା ଦୁଃଖଦାୟକ।
ଆଜି ରବୀନ୍ଦ୍ର ଜେନା ବିଜେପିରେ ଯୋଗ ଦେଲା ପରେ ତାଙ୍କ ପତ୍ନୀ ବିଧାୟିକା ସୁବାସିନୀ ଜେନା ଆଉ ଦଳୀୟ ନିଷ୍ପତ୍ତି ମାନିବେନି ବୋଲି ଚର୍ଚ୍ଚା ଜୋର ଧରିଛି। ଆଜି ସେ ବିଧାନସଭା ଆସି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ଜଣାପଡ଼ି ନାହିଁ। ତେବେ ଗତକାଲି ତାଙ୍କୁ ଦଳୀୟ ପ୍ରାର୍ଥୀ ସଂତୃପ୍ତ ମିଶ୍ର ସାକ୍ଷାତ କରି ସମର୍ଥନ ଲୋଡ଼ିଥିଲେ। କଂଗ୍ରେସ ବିଧାୟକମାନଙ୍କୁ ଏକାଠି ରଖିବାକୁ ପିସିସି ସଭାପତି ଭକ୍ତ ଦାସ ବେଶ୍ କସରତ କରୁଛନ୍ତି। ବିଧାୟକମାନଙ୍କର ଘନ ଘନ ବୈଠକ ଡାକି ଆଲୋଚନା କରୁଛନ୍ତି। ରାତ୍ରିଭୋଜନରେ ବି ଏକାଠି ହେଉଛନ୍ତି। କିନ୍ତୁ ଗୋଟିଏ ଜାଗାରେ ସବୁ ବିଧାୟକଙ୍କୁ ଏକାଠି କରିବାରେ ସଭାପତି ଏଯାଏଁ ସଫଳ ହୋଇନାହାନ୍ତି। ତଥାପି ସମସ୍ତେ ଦଳୀୟ ନିଷ୍ପତ୍ତି ମାନିବେ ବୋଲି ନେତାମାନେ ଜୋର୍ ଦେଉଛନ୍ତି। ବିଜେପିର ଦୁଇ ଦଳୀୟ ପ୍ରାର୍ଥୀ ଜିତିବା ନେଇ ନିଶ୍ଚିତ ଅଛନ୍ତି। ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପାଇଁ ଗୁପ୍ତ ରଣନୀତି ଜାରି ରହିଛି। ଖୋଲାଖୋଲି ଭାବେ ଦିଲ୍ଲୀପ କୌଣସି ବିଧାୟକଙ୍କୁ ଭେଟିଥିବା ଖବର ଏଯାଏଁ ଆସି ନାହିଁ। କିନ୍ତୁ ଦିଲ୍ଲୀପଙ୍କ ପାଇଁ ସଂଖ୍ୟା ଯୋଗାଡ଼ କରିବାରେ ବିଜେପି ପୂରା ଦମ୍ରେ ଉଦ୍ୟମ ଚଳାଇଛି। ନିର୍ବାଚନ ପୂର୍ବଦିନ ସବୁ ବିଧାୟକଙ୍କୁ ଏକ ହୋଟେଲରେ ରଖି ରଣନୀତି ସମ୍ପର୍କରେ ଅବଗତ କରାଯିବ।
ସୌଜନ୍ୟ ସମ୍ବାଦ
