ଭୁବନେଶ୍ବର: ଏପ୍ରିଲ ୨ରେ ଓଡ଼ିଶାରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ସମେତ ଦେଶର ୧୦ଟି ରାଜ୍ୟରେ ଖାଲି ହେବାକୁ ଥିବା ମୋଟ୍ ୩୭ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏ ନେଇ ଆଜି ଭାରତ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ‌ଦିଆଯାଇଛି।

ନିର୍ବାଚନ କମିସନଙ୍କ ସୂଚନା ଅନୁଯାୟୀ, ଫେବ୍ରୁଆରି ୨୬ରେ ସଂପୃକ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ରାଜ୍ୟସଭା ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିବେ। ଏହି ଦିନଠାରୁ ନାମାଙ୍କନପତ୍ର ଉପଲବ୍ଧ ଓ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାବେଳେ ମାର୍ଚ୍ଚ ୬ରେ ଯାଞ୍ଚ ହେବ। ମାର୍ଚ୍ଚ ୯ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିହେବ। ଯଦି ଚତୁର୍ଥ ପଦବି ପାଇଁ ଏକାଧିକ ପ୍ରାର୍ଥୀ ରହିବେ ତେବେ ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏହିଦିନ ପୂର୍ବାହ୍ଣ ୯ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ଅପରାହ୍ଣ ୫ଟାରେ ଭୋଟ ଗଣତି ହେବ। ମାର୍ଚ୍ଚ ୨୦ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଏହାସହ କୁହାଯାଇଛି ଯେ ମତଦାନ ବେଳେ ରିଟର୍ଣ୍ଣିଂ ଅଫିସର ଦେଇଥିବା‌ ବାଇଗଣୀ ରଙ୍ଗର ସ୍କେଚ୍‌ ପେନ୍‌ରେ ମତଦାତାମାନେ ବାଲଟ୍ ପେପରରେ ମତଦାନ କରିବେ।

ଏପ୍ରିଲ ୨ରେ ବିଜେପିର ୨ ସାଂସଦ ମମତା ମହାନ୍ତ, ସୁଜିତ୍‌ କୁମାରଙ୍କ ସମେତ ବିଜେଡିର ଦୁଇ ସାଂସଦ ମୁନା ଖାଁ ଓ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରିବ। ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ବିଜେପି ସହଜରେ ଦୁଇଟି ଏବଂ ବିଜେଡି ଗୋଟିଏ ଆସନ ଜିତିପାରିବ। ହେଲେ ଚତୁର୍ଥ ପ୍ରାର୍ଥୀଙ୍କ ପାଇଁ କୌଣସି ଦଳ ପାଖରେ ସଂଖ୍ୟାଗରିଷ୍ଠତା ନାହିଁ। ଯଦି ବିଜେଡି ପ୍ରାର୍ଥୀ ଦିଏ ଏବଂ କଂଗ୍ରେସ ସମର୍ଥନ କରେ କିମ୍ବା କଂଗ୍ରେସ ପ୍ରାର୍ଥୀ ଦେଲେ ବିଜେଡି ସମର୍ଥନ କରେ ତେବେ ଚତୁର୍ଥ ଆସନ ପାଇଁ ଶାସକ ଦଳକୁ ମାତ୍‌ ଦେଇ ହେବ। ନଚେତ୍ ବିଜେପି ଯାହାକୁ ପ୍ରାର୍ଥୀ କରିବ ସେ ଜିତିବେ।

ଫେବ୍ରୁଆରି ୨୬ରେ ପ୍ରକାଶ ପାଇବ ବିଜ୍ଞପ୍ତି
ବିଜେପି ୨ଟି, ବିଜେଡି ଗୋଟିଏ ଅାସନ ହାତେଇେବ
ବିଜେଡି, କଂଗ୍ରେସ ନ ମିଶିଲେ ବିଜେପି ପ୍ରାର୍ଥୀ ଜିତିବା ଥୟ

କାରଣ ଦୁଇ ଜଣ ପ୍ରାର୍ଥୀଙ୍କୁ ୬୦ ଖଣ୍ଡ ଭୋଟ ଯିବା ପରେ ବାକି ୧୮ ଜଣ ବିଧାୟକ ଏବଂ ତିନି ଜଣ ସ୍ବାଧୀନ ବିଧାୟକ (ବିଜେପିକୁ ସମର୍ଥନ କରୁଥିବା) ଭୋଟ ମିଶିଲେ ବିଜେପି ପ୍ରାର୍ଥୀଙ୍କୁ ୨୧ ଜଣ ବିଧାୟକ ଭୋଟ ଦେବେ। ଯେତେବେଳେ କି ବିଜେଡି ପାଖରେ ୧୮ ଜଣ, କଂଗ୍ରେସ ପାଖରେ ୧୪ ଜଣ ବିଧାୟକ ରହିବେ। ଏଭଳି ସ୍ଥିତିରେ ପ୍ରଥମ ପସନ୍ଦ ଭୋଟ ହିସାବରେ ବିଜେପି ପ୍ରାର୍ଥୀ ଜିତିଯିବେ। ବିଜେଡି ଓ କଂଗ୍ରେସ ନ ମିଶିଲେ ବିଜେପି ପ୍ରାର୍ଥୀ ଜିତିବା ଥୟ।

ଏପଟେ ରାଜ୍ୟସଭା ନିର୍ବାଚନ ପାଇଁ ଆଲୋଚନା କରିବାକୁ ପିସିିସି ସଭାପତି ଭକ୍ତଚରଣ ଦାସ ଫେବ୍ରୁଆରି ପ୍ରଥମ ସପ୍ତାହରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସମୟ ମାଗିଥିଲେ ହେଁ ନବୀନ ଏ ନେଇ ଉଁଚୁଁ କିଛି କହୁନାହାନ୍ତି। ଅର୍ଥାତ୍ ବିଜେପିକୁ ଚେକ୍ ଦେବା ଲାଗି କଂଗ୍ରେସ ଉଦ୍ୟମ କରୁଥି‌େଲ ମଧ୍ୟ ବିଜେଡି ଧରାଛୁଆଁ ଦେଉନି। ତେଣୁ ଏଭଳି ସ୍ଥିତିରେ ବିଜେପି ୩ଟି ରାଜ୍ୟସଭା ଆସନ ହାତେଇ ନେବାକୁ ପୂରା ପ୍ରସ୍ତୁତ। ଅପରପକ୍ଷେ ଆଉ ସପ୍ତାହକ ପରେ ନାମାଙ୍କନ ଆରମ୍ଭ ହେବାକୁ ଥିବାରୁ ଦୁଇ ଦଳ କାର୍ଯ୍ୟକାଳ ସରୁଥିବା ସାଂସଦଙ୍କ ମଧ୍ୟରୁ କାହାକୁ ପୁଣି ରାଜ୍ୟସଭା ପଠାଇବେ ନା ନୂଆ ନେତାଙ୍କୁ ପଠାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି।