The ‘A’ image: ମଳିନ ପଡ଼ିଗଲାଣି ‘ଅ ଆ’ ପ୍ରତିକୃତି

ରୁପାଲି ଛକରୁ ନିକୋ ପାର୍କ ଯିବା ରାସ୍ତାରେ ଚକ୍‌ଚକ୍‌ କରୁଥିଲା ଛବିଳ ମଧୁ ବର୍ଣ୍ଣବୋଧର ପ୍ରଚ୍ଛଦ ପୃଷ୍ଠାରେ ଥିବା ‘ଅ ଆ’ ଓ ବିଲେଇର କଳାକୃତି। ସୁନ୍ଦର ସବୁଜ ଘାସ ଓ ଆକର୍ଷଣୀୟ....

ଭୁବନେଶ୍ୱର: ରୁପାଲି ଛକରୁ ନିକୋ ପାର୍କ ଯିବା ରାସ୍ତାରେ ଚକ୍‌ଚକ୍‌ କରୁଥିଲା ଛବିଳ ମଧୁ ବର୍ଣ୍ଣବୋଧର ପ୍ରଚ୍ଛଦ ପୃଷ୍ଠାରେ ଥିବା ‘ଅ ଆ’ ଓ ବିଲେଇର କଳାକୃତି। ସୁନ୍ଦର ସବୁଜ ଘାସ ଓ ଆକର୍ଷଣୀୟ ଆଲୋକରେ ରାତିରେ ଏହା ଆହୁରି ସୁନ୍ଦର ଦୃଶ୍ୟମାନ ହେଉଥିଲା। ରାସ୍ତାରେ ଯିଏ ବି ଯାଉଥିଲା କ୍ଷଣିକ ପାଇଁ ଅଟକି ଯାଇ ଅତୀତର ସେହି ସ୍ମୃତିକୁ ମନେପକାଉଥିଲା। ଏପରିକି କିଛି ସେଲ୍‌ଫି ନେଇ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରୁଥିଲେ। ହେଲେ ବର୍ତ୍ତମାନ ସେହି ସୌନ୍ଦର୍ଯ୍ୟ ଉଜୁଡି ଗଲାଣି। ‘ଅ ଆ’ ଓ ବିଲେଇରେ କଳଙ୍କି ଲାଗିବା ଆରମ୍ଭ ହୋଇଯାଇଥିବା ବେଳେ ଚାରିଆଡ଼େ ଥିବା ସବୁଜିମା ଉଭେଇ ଗଲାଣି। ଆଲୋକଗୁଡ଼ିକ ମଧ୍ୟରୁ କିଛି ଜଳୁ ନଥିବା ବେଳେ କିଛିରେ ଅନାବନା ଗଛ ଉଠିଗଲାଣି। କେବଳ ସେତିକି ନୁହେଁ ପରିଚାଳନା ଅଭାବରୁ କଳାକୃତିି ନିକଟରେ ଉଇହୁଙ୍କା ହେବା ସହିତ ଆବର୍ଜନା ଭର୍ତ୍ତି ହୋଇଗଲାଣି। ତଥାପି ବିଏମ୍‌ସି ତରଫରୁ ଏହାକୁ ସଫା କରାଯାଉନାହିଁ।

ଗତ ୨୦୨୪ ମାର୍ଚ୍ଚ ମାସରେ ମୁକ୍ତା ଅଧୀନରେ ରୁପାଲି ଛକରେ ଥିବା ମଧୁସୂୂଦନ ରାଓଙ୍କ ପ୍ରତିମୂର୍ତ୍ତି ନିକଟରେ ୨୪,୫୧,୦୦୦ ଟଙ୍କା ବିନିମୟରେ ଏହି ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ଏହାବ୍ୟତୀତ ଗଛ ଚାରିପଟେ ବସିବା ପାଇଁ ଚାନ୍ଦିନୀ  ହୋଇଥିଲା, ଯାହା ଏବେ ଭାଙ୍ଗିଗଲାଣି। ସେହିପରି ଛକରେ ଥିବା ମଧୁସୂଦନ ରାଓଙ୍କ ମୂର୍ତ୍ତିରୁ ରଙ୍ଗ ଉଡ଼ିଗଲାଣି। ପ୍ରତିମୂର୍ତ୍ତି ଚାରିପଡ଼େ ବାଡ଼ ନଥିବାରୁ ଲୋକ ଏହାକୁ ମୁକ୍ତ ଶୌଚାଳୟ କରିଦେଲେଣି। ତେବେ ଏନେଇ କର୍ପୋରେଟର ଅପରୂପ ନାରାୟଣ ରାଉତ କହିଛନ୍ତି ଯେ ମଧୂସୂଦନ ରାଓଙ୍କ ପ୍ରତିମୂର୍ତ୍ତି ପାଖରେ ଥିବା ଡ୍ରେନ୍‌ କାମ ସରିଛି। ଏହା ପରେ ଏହାକୁ ସବୁଜିମା କରାଯିବ। ସେହିପରି ଆବର୍ଜନାଗୁଡ଼ିକ ହଟାଯିବା ସହିତ ବିଜୁଳିବତିଗୁଡ଼ିକ ସଜଡ଼ା ହେବ।

ସୌଜନ୍ୟ ସମ୍ବାଦ

Exit mobile version