ଭୁବନେଶ୍ଵର: ରାଜ୍ୟସଭା ଚତୁର୍ଥ ଆସନ ପାଖରେ ଅଟକିଛି ଅଙ୍କ । ଦୁଇ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ଏବଂ ଦତ୍ତେଶ୍ବର ହୋତା ଜିତିବା ନେଇ ଆଶାବାଦୀ ଥିଲେ ହେଁ ମନରେ ଛନକା ରହିଛି । କାଳେ କ୍ରସ ଭୋଟିଂ ହେବ ସେନେଇ ଉଭୟ ପକ୍ଷ ଦ୍ବନ୍ଦ୍ଵରେ ।ସେପଟେ ବିଜେପି, ବିଜେଡି ଓ କଂଗ୍ରେସ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ଭିତିରିଆ ଉଦ୍ୟମ ଜାରି ରଖିଛନ୍ତି । ସେପଟେ ଏଥର ପ୍ରାୟ ୮୨ ନବାଗତ ବିଧାୟକ ଥିବାରୁ କାହାର ଯେମିତି ଭୋଟ ନାକଚ ନହୁଏ ସେନେଇ ସବୁ ଦଳ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବାକୁ ସ୍ଥିର କରିଛନ୍ତି ।
ଦତ୍ତେଶ୍ବର ହୋତା ନା ଦିଲ୍ଲୀପ ରାୟ
କିଏ ହାତେଇବ ରାଜ୍ୟସଭା ଚତୁର୍ଥ ଆସନ । ଦତ୍ତେଶ୍ବର ହୋତା ନା ଦିଲ୍ଲୀପ ରାୟ । ଦିଲୀପଙ୍କ ପାଖେ ସଂଖ୍ୟା ନଥାଇ ବି ତାଙ୍କୁ ସମର୍ଥନ ଦେଉଥିବା ବିଜେପି କ୍ୟାମ୍ପ ଚତୁର୍ଥ ଆସନ ଜିତିବା ପାଇଁ କନଫିଡେଣ୍ଟ ଅଛି। ସେପଟେ ସଂଖ୍ୟା ଦୃଷ୍ଟିରୁ କମ୍ଫର୍ଟେବୁଲ୍ ସ୍ଥିତିରେ ଥିବା ବିଜେଡି ଓ କଂଗ୍ରେସ କ୍ୟାମ୍ପ ମଧ୍ୟ ଜିତିବା ନେଇ ଆଶାବାଦୀ । ତେବେ ବିଜେପି କ୍ୟାମ୍ପ ଚତୁର୍ଥ ଆସନ ହାତେଇବା ପାଇଁ ଭିତିରିଆ ରଣ କୈଶଳ ଆରମ୍ଭ କରିଦେଇଛି । ଦିଲୀପ ରାୟ ନିଜ ସପକ୍ଷକୁ ବିଧାୟକଙ୍କୁ ଆଣିବା ପାଇଁ ବ୍ୟକ୍ତିଗତ ସ୍ତରରେ କଥାବାର୍ତ୍ତା ମଧ୍ୟ ଆରମ୍ଭ କରିଛନ୍ତି । ସେ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ସହ ନିଜେ ଯୋଗାଯୋଗ କରୁଛନ୍ତି।
ଦତ୍ତେଶ୍ବରଙ୍କୁ କ୍ରସ ଭୋଟିଂ ଭୟ
ସେପଟେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ମଧ୍ୟ ବିଭିନ୍ନ ବିଧାୟକଙ୍କୁ ଭେଟୁଛନ୍ତି । ଏମିତିକି ସେ ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବି ଭେଟି ସମର୍ଥନ ମାଗିଛନ୍ତି। ଦତ୍ତେଶ୍ବରଙ୍କ ପାଖରେ ୩୩ ଭୋଟ ଥିଲେ ମଧ୍ୟ ବିରୋଧି ଦଳରେ କ୍ରସ ଭୋଟିଂର ଡର ଥିବାରୁ ସେ ବାରମ୍ବାର ବିଧାୟକଙ୍କୁ ଭେଟି ସମର୍ଥନ ଯୋଗାଡ କରୁଛନ୍ତି ।
ଏଥର ଅନେକ ନବାଗତ ବିଧାୟକ ପ୍ରଥମ ଥର ପାଇଁ ରାଜ୍ୟସଭା ଭୋଟ ଦେବେ । ୧୪୭ ବିଧାୟକଙ୍କ ଭିତରୁ ୮୨ ଜଣ ପ୍ରଥମ ଥର ନିର୍ବାଚିତ ହୋଇ ଆସିଛନ୍ତି । ବାଲାଟ ପେପରରେ ଭୋଟ ଗ୍ରହଣ ହେଉଥିବାରୁ କେମିତି ଭୋଟ ଦେବେ ସେ ନେଇ ସବୁ ଦଳ ପକ୍ଷରୁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । କଂଗ୍ରେସ ପକ୍ଷରୁ ଆଜି ପ୍ରଥମ ପ୍ରଶିକ୍ଷଣ ସରିଥିବା ବେଳେ ଆଉ ଦୁଇ ଥର ପ୍ରଶିକ୍ଷିଣ ଦିଆଯିବ । କଂଗ୍ରେସର ୯ଜଣ ବିଧାୟକ ପ୍ରଥମ ଥର ନିର୍ବାଚିତ ହୋଇ ଆସିଛନ୍ତି ।
୧୫ ଜଣ ବିଧାୟକ ପ୍ରଥମ ଥର ନିର୍ବାଚିତ
ସେହିପରି ବିଜେଡିର ୧୫ ଜଣ ବିଧାୟକ ପ୍ରଥମ ଥର ନିର୍ବାଚିତ ହୋଇ ଆସିଛନ୍ତି । ଆସନ୍ତା ୧୪ ଓ ୧୫ ତାରିଖରେ ବିଜେଡି ପକ୍ଷରୁ ସେମାନଙ୍କୁ ଟ୍ରେନିଂ ଦିଆଯିବ । ବିଜେପିର ସର୍ବାଧିକ ୫୫ ଜଣ ନବାଗତ ବିଧାୟକ ରହିଛନ୍ତି । ୩ଜଣ ସ୍ବାଧୀନ ବି ପ୍ରଥମ ଥର ବିଜୟୀ ହୋଇଥିବା ବେଳେ ସେମାନେ ବିଜେପିକୁ ସମର୍ଥନ କରୁଛନ୍ତି । ୧୩ ତାରିଖରେ ବିଜେପି ବିଧାୟକଙ୍କୁ ଟ୍ରେନିଂ ଦିଆଯିବାକୁ ସ୍ଥିର ହୋଇଛି । ରାଜ୍ୟ ସଭାର ୪ର୍ଥ ସିଟ୍ ଗଣିତ ଯେତେ କସିଲେ ବି ସବୁ ପକ୍ଷ ଦ୍ବନ୍ଦରେ ଅଛନ୍ତି । କ୍ରସ ଭୋଟିଂ ହେବ କି ନାହିଁ ସେନେଇ ଦିନ ରାତି ମିଶାଣ ଫେଡାଣ ଚାଲିଛି । ସମସ୍ତଙ୍କ ଅପେକ୍ଷା ୧୬ ତାରିଖକୁ ।
ସୌଜନ୍ୟ Prameya News7
