Cyber ​​case: ରାଜ୍ୟରେ ୩୪ ହଜାର ବେନାମୀ ଆକାଉଣ୍ଟ ଯାଞ୍ଚ: ହଜାରେ ଟପିଲା ସାଇବର୍ ମାମଲା

ରାଜ୍ୟରେ ଅପରେସନ୍‌ ସାଇବର୍ କବଚ ମାଧ୍ୟମରେ ମୋଟ ୩୪ ହଜାର ୧୦୧ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ଏହି ମାମଲାରେ ୩୩୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

କଟକ: ରାଜ୍ୟରେ ଅପରେସନ୍‌ ସାଇବର୍ କବଚ ମାଧ୍ୟମରେ ମୋଟ ୩୪ ହଜାର ୧୦୧ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଥିବା ବେଳେ ଏହି ମାମଲାରେ ୩୩୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ୧ ହଜାର ୧୧୧ଟି ସାଇବର୍‌ ମାମଲା, ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୩୪ଟି ମାମଲା, ଚେକ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୩୬ଟି ମାମଲା ଏବଂ ନକଲି ସିମ୍ ସମ୍ପର୍କିତ ୨୩ଟି ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ ୩୩୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧୮୬ଟି ପୁରୁଣା ଏତଲା ସହିତ ସଂପୃକ୍ତ ୬ ହଜାର ୮୯୩ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି। ଓଡ଼ିଶା ପୁଲିସର ଏହି ଅଭିଯାନରେ ବଲାଙ୍ଗୀରଜିଲ୍ଲା ପୁଲିସ ୨୪୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୨ଟି ମାମଲା ରୁଜୁ କରି ୨୭ଜଣଙ୍କୁ ନୋଟିସ୍ ଜାରି କରିଛି। କେନ୍ଦୁଝର ଜିଲ୍ଲା ପୁଲିସ ୬ଟି ଆକାଉଣ୍ଟ ଯାଞ୍ଚ କରି ୬ଟି ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ ଏବଂ ୪ ଜଣଙ୍କୁ ନୋଟିସ୍ ଜାରି କରିଛି। ରାଉରକେଲା ପୁଲିସ ୨୫ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୭ଟି ମାମଲା ରୁଜୁ କରି ୪ଜଣଙ୍କୁ ନୋଟିସ୍ ଜାରି କରିଛି। ସେହିପରି କଟକ ଜିଲ୍ଲା ପୁଲିସ ୯ଟି ବେନାମୀ ଆକାଉଣ୍ଟ, ନୟାଗଡ଼ ଜିଲ୍ଲା ପୁଲିସ ୨୭୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୩୦ଜଣଙ୍କୁ ନୋଟିସ୍‌, ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ୬୦ଟି, ଭଦ୍ରକ ଜିଲ୍ଲା ପୁଲିସ ୫୨ଟି ଏବଂ ମୟୂରଭଞ୍ଜ ଜିଲ୍ଲା ପୁଲିସ ୩ଟି ଆକାଉଣ୍ଟ ଯାଞ୍ଚ କରି ୩ଜଣଙ୍କୁ ନୋଟିସ୍ ଜାରି କରିଛି।

ଭୁବନେଶ୍ୱର କମିସନରେଟ୍‌ରେ ୧୭୭ଟି ଏବଂ କଟକ କମିସନରେଟ୍‌ରେ ୧୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରାଯାଇ ୮ଜଣଙ୍କୁ ନୋଟିସ୍ ଜାରି କରିଛନ୍ତି। ବ୍ରହ୍ମପୁର ଜିଲ୍ଲା ପୁଲିସ ଗୋଟିଏ ପୁରୁଣା ଏତଲା ସହିତ ସଂପୃକ୍ତ ୮ଜଣଙ୍କୁ ନୋଟିସ୍ ଜାରି କରିଛି। ବୌଦ୍ଧ ଜିଲ୍ଲା ପୁଲିସ ୧୦ଟି ଆକାଉଣ୍ଟ ଯାଞ୍ଚ କରି ୧୦ଜଣଙ୍କୁ ନୋଟିସ୍ ଜାରି କରିଛି। ସେହିପରି ଗଜପତି ଜିଲ୍ଲା ପୁଲିସ ୧୯ଟି, ଗଞ୍ଜାମ ଜିଲ୍ଲା ପୁଲିସ ୬୮ଟି, କନ୍ଧମାଳ ଜିଲ୍ଲା ପୁଲିସ ଗୋଟିଏ ଆକାଉଣ୍ଟ ଯାଞ୍ଚ କରି ଜଣକୁ ନୋଟିସ୍‌, ଢେଙ୍କାନାଳ ଜିଲ୍ଲା ପୁଲିସ ୧୨ଟି, କଳାହାଣ୍ଡି ଜିଲ୍ଲା ପୁଲିସ ୬୩ଟି ଆକାଉଣ୍ଟ ଯାଞ୍ଚ କରି ଜଣଙ୍କୁ ଗିରଫ ଓ ୧୪ ଜଣଙ୍କୁ ନୋଟିସ୍ ଜାରି କରିଛି। କୋରାପୁଟ ଜିଲ୍ଲା ପୁଲିସ ୫ଟି, ମାଲକାନଗିରି ଜିଲ୍ଲା ପୁଲିସ ୩ଟି, ନୂଆପଡ଼ା ଜିଲ୍ଲା ପୁଲିସ ୧୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ରାୟଗଡ଼ା ଜିଲ୍ଲା ପୁଲିସ ୧୦୮ଟି ଆକାଉଣ୍ଟ ଯାଞ୍ଚ କରି ୨ଜଣଙ୍କୁ ଗିରଫ ଓ ୬୧ଜଣଙ୍କୁ ନୋଟିସ୍ ଜାରି କରିଛି। ସାଇବର ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ହେବ ବୋଲି ଡିଜିପି ୱାଇ.ବି. ଖୁରାନିଆ ସୂଚନା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version