
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରାୟ ୧୨ ବିଲିଅନ ଡଲାରର ସୁନା ବିକ୍ରି କରିଥାଇପାରେ। ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷା ଦେବା ପାଇଁ ଏହା କରାଯାଇଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଅଶୋଧିତ ତେଲ ଦର ଅଧିକ ରହିବା ଏବଂ ଯୋଗାଣ ସଂକୁଚିତ ହେବା ଫଳରେ ଭାରତ ଅନେକ ଅସୁବିଧା ଦେଇ ଗତି କରୁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ିଯିବା ଏବଂ ଡଲାର ତୁଳନାରେ ଟଙ୍କା ଟଙ୍କା ମୂଲ୍ୟ ଦୁର୍ବଳ ହେବା ଦ୍ବାରା ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ବଡ଼ ଚାପ ପଡ଼ିଛି। ଏସବୁ ଚାପର ପ୍ରଭାବକୁ କମ୍ କରିବା ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି। ଦେଶର ବିଦେଶୀ ମୁଦ୍ରା ଯେଭଳି କମ୍ ଖର୍ଚ୍ଚ ହେବ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଅନେକ ଆହ୍ବାନ ଦେଇଛନ୍ତି। ଏଥିସହିତ ସୁନା ଉପରେ ଆମଦାନି ଶୁଳ୍କ ମଧ୍ୟ ୬ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି।
ବ୍ଲୁମବର୍ଗ ଇକୋନୋମିକ୍ସର ଆକଳନ ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ଗତ ମେ ୨୨ ତାରିଖରେ ଶେଷ ହୋଇଥିବା ପକ୍ଷରେ ପ୍ରାୟ ୧୨ ବିଲିଅନ ଡଲାରର ସୁନା ବିକ୍ରି କରିଛି। ବ୍ଲୁମବର୍ଗ ଇକୋନମିକ୍ସର ବରିଷ୍ଠ ଅର୍ଥନୀତିଜ୍ଞ ଅଭିଷେକ ଗୁପ୍ତା ଆକଳନ କରିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ପ୍ରାୟ ୭.୫ ବିଲିଅନ ଡଲାରର ବିଦେଶୀ ମୁଦ୍ରା ଯୋଡ଼ିଛି। ମାର୍ଚ୍ଚ ଶେଷ ସୁଦ୍ଧା ରିଜର୍ଭ ବ୍ୟାଙ୍କ ପ୍ରାୟ ୮୮୦.୫୨ ଟନ ସୁନା ଗଚ୍ଛିତ ରଖିଥିଲା। ସେଥିରୁ ୭୭ ପ୍ରତିଶତ ସୁନା ଭାରତରେ ମହଜୁଦ ଥିଲା। କିଛିମାସ ପୂର୍ବରୁ ଏହି ପ୍ରତିଶତ ୬୬ ପ୍ରତିଶତରେ ରହିଥିଲା। ଏପ୍ରିଲରେ ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଥିବା ରିପୋର୍ଟରେ ଦର୍ଶାଇଥିଲା ଯେ ବିଦେଶରେ ଏହାର ଅଧିକାଂଶ ସୁନା ବ୍ୟାଙ୍କ ଅଫ ଇଂଲଣ୍ଡ ଏବଂ ବ୍ୟାଙ୍କ ଫର୍ ଇଣ୍ଟରନ୍ୟାସନାଲ ସେଟେଲମେଣ୍ଟରେ ରହିଛି।
ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ରିଜର୍ଭ ବ୍ୟାଙ୍କ ସୁନା କ୍ରୟ ବଢ଼ାଇ ଦେଇଛି। ୱାର୍ଲଡ ଗୋଲ୍ଡ କାଉନସିଲର ରିପୋର୍ଟ ଅନୁଯାୟୀ, ୨୦୦୦ ମସିହା ବେଳକୁ ରିଜର୍ଭ ବ୍ୟାଙ୍କ ପାଖରେ ୩୫୭.୭୬ ଟନ୍ ସୁନା ଥିଲା। ୨୦୧୫ରୁ ୨୦୨୫ ମଧ୍ୟରେ ରିଜର୍ଭ ବ୍ୟାଙ୍କର ସୁନା ଭଣ୍ଡାରରେ ୫୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୫ ଶେଷ ବେଳକୁ ରିଜର୍ଭ ବ୍ୟାଙ୍କ ନିକଟରେ ୫୫୭.୭୫ ଟନ ସୁନା ଥିବାବେଳେ ୨୦୨୫ ଶେଷବେଳକୁ ଏହା ୮୮୦.୩୪ ଟନରେ ପହଞ୍ଚିଛି।
ସୌଜନ୍ୟ ସମ୍ବାଦ




