ଅଟଳ ‘ବଜରଙ୍ଗବଲୀ’ ;ଜେସିବି-କ୍ରେନ ବି ଘୁଞ୍ଚାଇ ପାରୁନି

ଉଜ୍ଜୈନ : କିଏ ତାଙ୍କୁ ସଖା କହେ ତ ଆଉ କିଏ ସ୍ବାମୀ। ତାଙ୍କ ପାଖରେ ନାହିଁ କିଛି ବାଛ ବିଚାର। ସମସ୍ତେ ଭକ୍ତ ତାଙ୍କର। ସବୁ ଧର୍ମର ଲୋକେ ତାଙ୍କୁ ପୂଜନ୍ତି। କିଏ ଖଡ଼େ ହନୁମାନ ତ ଆଉ କିଏ ବଜରଙ୍ଗବଲୀ, ପୁଣି କେହି ଡାକ୍ତର ହନୁମାନ ଡାକନ୍ତି। ସେ ରହୁଥିବା ସ୍ଥାନକୁ ଲୋକେ ଉଜ୍ଜୈନର ଏମ୍ସ କୁହନ୍ତି, କାରଣ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତି ଏଠାରୁ ଭଲ ହୋଇ ଯାଇଛନ୍ତି। ଭକ୍ତି ଓ ଭାବରେ ସେ ଏମିତି ବାନ୍ଧି ହୋଇ ଯାଇଛନ୍ତି ଯେ ଜମାରୁ ଆସ୍ଥାନ ଛାଡ଼ିବାକୁ ଚାହୁଁନାହାନ୍ତିି। ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ପ୍ରତିମାକୁ ଅନ୍ୟତ୍ର ନେବା ପାଇଁ ପ୍ରୟାସ ହେଉଛି। ମାତ୍ର ୧୦ ଦିନ ବିତି ଯାଇଥିଲେ ବି ଏଥିରେ ସଫଳତା ମିଳିପାରୁ ନାହିଁ। ବଜରଙ୍ଗବଲୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରଶାସନ ସକ୍ଷମ ହୋଇପାରି ନାହିଁ। ବଡ଼ ବଡ଼ ମେସିନ ବି ବିଫଳ ହୋଇଯାଇଛି। କ୍ରେନ-ଜେସିବି ଲାଗି ବି ପବନ ପୂତ୍ରଙ୍କୁ ଘୁଞ୍ଚାଇ ପାରିନାହିଁ। ବାୟୁପୂତ୍ର ହନୁମାନ ସେମିତି ଅଟଳ ଅଚଳ ମହାମେରୁ ହୋଇ ଛିଡ଼ା ହୋଇଛନ୍ତି। ଶେଷରେ ପ୍ରଶାସନ ବିଶେଷଜ୍ଞଙ୍କ ସହଯୋଗ ନେଇଛି। ଏବେ ଆଇଆଇଟି ଇନ୍ଦୋରର ଟିମକୁ ଡ଼କା ଯାଇଛି। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଭଗବାନ ଏଠାରୁ ଯିବାକୁ ଚାହୁଁନାହାନ୍ତି ବୋଲି ଲୋକେ କହୁଛନ୍ତି। ଭଗବାନଙ୍କ ଏହି ଚମତ୍କାରର କାହାଣୀ ଶୁଣିବା ପରେ ଦୂରଦୂରାନ୍ତରୁ ଲୋକେ ଦର୍ଶନ ପାଇଁ ଆସୁଛନ୍ତି। ପ୍ରତିମା ହଟାଇବାକୁ ଲୋକେ ବିରୋଧ କରୁଛନ୍ତି।
ସୂଚନା ଅନୁଯାୟୀ, ଉଜ୍ଜୈନର କଣ୍ଠାଲ ଛକରୁ ଗୋପାଳ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଚାଲିଛି। ଏହାର ପରିସରରେ ସତୀ ଗେଟ ନିକଟରେ ଥିବା ଖଡ଼େ ହନୁମାନଙ୍କ ମନ୍ଦିର ଆସିଯାଇଛି। ଭଗବାନଙ୍କୁ ସ୍ଥାନାନ୍ତର ପାଇଁ ଅନ୍ୟତ୍ର ସ୍ଥାନ ମଧ୍ୟ ଚିହ୍ନଟ କରାଯାଇଛି। ହେଲେ ସେଠାକୁ ନେବାରେ ପ୍ରଶାସନ ବିିଫଳ ହୋଇଛି। ଏବେ ବିଶେଷଜ୍ଞ ଟିମ ସ୍ବତନ୍ତ୍ର ଉପକରଣ ସହାୟତାରେ ପ୍ରତିମାର ଗଭୀରତା ଓ ଆଖପାଖ ଜମି ମାପ କରୁଛନ୍ତି। ଏହି ମୂର୍ତ୍ତି ହଜାରେ ବର୍ଷ ତଳର ହେବ ବୋଲି ପ୍ରତ୍ନତତ୍ତ୍ବ ବିଶେଷଜ୍ଞ କହୁଛନ୍ତି। ପ୍ରତିମା ତଳେ କ’ଣ ଅଛି ତାହା ମଧ୍ୟ ଜାଣିବାକୁ ପ୍ରୟାସ କରାଯାଉଛି। ମାପ ଆଧାରରେ ବିଶେଷଜ୍ଞ ଟିମ ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେ ପଟେ ମନ୍ଦିରର ପୂଜାରୀ ମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ କରୁନାହାନ୍ତି। ସୁରକ୍ଷିତ ଭାବେ ମୂର୍ତ୍ତି ଅନ୍ୟତ୍ର ନିଆଯାଉ ବୋଲି ସେ ଦାବି କରିଛନ୍ତି।
ସୌଜନ୍ୟ ସମାଜ



