ରାଜ୍ୟ

Revenue Minister: ବନ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ରାଜସ୍ବ ମନ୍ତ୍ରୀ

ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ପରିସ୍ଥିତିର ମୁକାବିଲା....

ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ବନ୍ୟା ସ୍ଥିତି ସମୀକ୍ଷା କରିବା ସହ ପରିସ୍ଥିତିର ମୁକାବିଲା ପାଇଁ ସରକାର ତଥା ସମସ୍ତ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାରେ ସ୍ଥିତି ସଙ୍ଗିନ ଥିବାରୁ ରାଜ୍ୟ ସରକାର ତିନି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ବନ୍ୟା ମୁକାବିଲା, ପ୍ରସ୍ତୁତି, ସ୍ଥାନାନ୍ତରଣ, ଜନସାଧାରଣଙ୍କ ସୁରକ୍ଷା ଏବଂ ସାମଗ୍ରିକ ସୁବ୍ୟବସ୍ଥିତ ପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ଦାୟିତ୍ବ ଦେଇଛନ୍ତି। ଭଦ୍ରକ ଜିଲ୍ଲା ପାଇଁ ସୁଧାଂଶୁ ମୋହନ ସାମଲ, ବାଲେଶ୍ବର ଜିଲ୍ଲା ପାଇଁ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ଜିଲ୍ଲା ପାଇଁ ପି.ଅନ୍ୱେଷା ରେଡ୍ଡୀଙ୍କୁ ସ୍ବତନ୍ତ୍ର ଭାବେ ଦାୟିତ୍ବ ଦିଆଯାଇଛି l

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଆନନ୍ଦପୁର ଓ ଆଖୁଆପଦାଠାରେ ବୈତରଣୀ ଏବଂ ଜଳକା ନଦୀରେ ଜଳପତ୍ତନ ବୃଦ୍ଧି ପାଇ ବିପଦସ୍ତରଠାରୁ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ କେତେକ ସ୍ଥାନରେ ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖା ନଦୀର ଜଳପତ୍ତନସ୍ତର ଚିନ୍ତାଜନକ ରହିଛି। ଗତ ୨୪ ଘଣ୍ଟାରେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ବୃଷ୍ଟିପାତ ହୋଇଥିବା ବେଳେ ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ମଧ୍ୟ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଆସନ୍ତା ୧୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ସବୁ ଜିଲ୍ଲାରେ ଜଳସ୍ତର ବୃଦ୍ଧି ଉପରେ ନଜର ରଖିବା ପାଇଁ ରାତିସାରା ଏସ୍‌ଆରସି କାର୍ଯ୍ୟାଳୟ ଖୋଲା ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବାଲେଶ୍ବର, ଯାଜପୁର, ଭଦ୍ରକ ସ୍ଥିତି ସଙ୍ଗିନ
ଦାୟିତ୍ବରେ ତିନି ବରିଷ୍ଠ ଆଇଏଏସ୍‌

ମନ୍ତ୍ରୀ କହିଛନ୍ତି ଯେ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଏନ୍‌ଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ଥିବାବେଳେ ସମସ୍ତ ଜିଲ୍ଲାପାଳ ଓ ବିଡିଓଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୁଲିସ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ସହ ଶିଶୁ ଏବଂ ମହିଳାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ମହିଳା ପୁଲିସ ମଧ୍ୟ ନିୟୋଜିତ ହୋଇଛନ୍ତି। ଆଶ୍ରୟସ୍ଥଳୀଗୁଡ଼ିକରେ ସାଧାରଣ ଲୋକଙ୍କୁ ରନ୍ଧାଖାଦ୍ୟ ସହ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯାଉଛି। ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହେଲେ ସେମାନଙ୍କ ବାସଗୃହ ଏବଂ ଧନସମ୍ପତ୍ତିର ସୁରକ୍ଷା ନିମନ୍ତେ ପୁଲିସ ବିଭାଗ ସଜାଗ ରହିବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ବିଭାଗ, ପଶୁସମ୍ପଦ ବିଭାଗ ଓ ଅନ୍ୟ ସମସ୍ତ ବିଭାଗକୁ ପ୍ରସ୍ତୁତ ରଖାଯାଇଥିବାବେଳେ ଗୃହପାଳିତ ପଶୁମାନଙ୍କ ସୁରକ୍ଷା ବ୍ୟବସ୍ଥା ସହ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ମହଜୁଦ ରଖାଯାଇଛି।

ସାପକାମୁଡ଼ାକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ଔଷଧ ଏବଂ ଇଞ୍ଜେକସନ୍ ମହଜୁଦ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସହ ଲୋକମାନେ ଭୟଭୀତ ନ ହୋଇ ସତର୍କ ଓ ସୁରକ୍ଷିତ ରହିବାକୁ କୁହାଯାଇଛି। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବାସଗୃହ ଅଥବା ଚାଷଜମି ନିମନ୍ତେ ଜନସାଧାରଣଙ୍କୁ ତ୍ବରିତ କ୍ଷତିପୂରଣ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷ ୨୪ × ୭ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ନିୟମିତ ଜିଲ୍ଲା ଜରୁରିକାଳୀନ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗରେ ରହିଛି। ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗ, ପୁଲିସ ଡିଜି ୱାଇ.ବି ଖୁରାନିଆ, ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ସ୍ୱତନ୍ତ୍ର ରିଲିଫ୍‌ କମିସନର ରାଜେଶ ପ୍ରଭାକର ପାଟିଲ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button