Road dispute: ରାସ୍ତା ବିବାଦ: ପୁଲିସ ଉପରକୁ ଫାଙ୍କା ଗୁଳିଚାଳନା!

‘ମୋର ତୁମେ କିଛି କରି ପାରିବନି, ଚାପ ସମ୍ଭାଳି ପାରିବନି’। ପୁଲିସକୁ ଏଭଳି ଧମକଚମକ ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଡି’ ବ୍ରଦର୍ସ ସଦସ୍ୟ ଲିଟୁଆ ସମେତ ୧୦ ଜଣ ଧରାପଡ଼ିଛନ୍ତି।

ବାରଙ୍ଗ: ‘ମୋର ତୁମେ କିଛି କରି ପାରିବନି, ଚାପ ସମ୍ଭାଳି ପାରିବନି’। ପୁଲିସକୁ ଏଭଳି ଧମକଚମକ ଦେଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଡି’ ବ୍ରଦର୍ସ ସଦସ୍ୟ ଲିଟୁଆ ସମେତ ୧୦ ଜଣ ଧରାପଡ଼ିଛନ୍ତି। ଏହି ଅପରାଧୀମାନେ ପୁଲିସ ଉପରକୁ ଫାଙ୍କା ଗୁଳିଚାଳନା କରି ଖସିଯିବାକୁ ଉଦ୍ୟମ କରିବା ଓ ପୁଲିସ ମଧ୍ୟ ଜବାବରେ ଫାଙ୍କା ଗୁଳି ଚଳାଇଥିବା ଚର୍ଚ୍ଚା ହେଉଛି। ତେବେ ପୁଲିସ ଏହାକୁ ଖଣ୍ଡନ କରିଛି। ଏକ ବିଲଡର୍‌ ସଂସ୍ଥାରେ ରାସ୍ତାକୁ ନେଇ ରହିଥିବା ବିବାଦରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ବିଡ଼ାନାସୀ ଗୋପାଳସାହି ଅଞ୍ଚଳର ଲିଟୁଆ ଓରଫ ଭରତ ବେହେରା (୩୬), ରାକେଶ ବେହେରା (୨୬), ଦିଲ୍ଲୀପ କୁମାର ସାସମଲ (୨୬), ଓମ୍ ସାସମଲ (୨୩), ବିଡ଼ାନାସୀ ବଉଳଛକର ଆୟୁଷ ମହାନ୍ତି (୨୨), ତ୍ରିଶୂଳିଆର ସୁର ଓରଫ ସୁରେଶ ସିଂହ(୩୨) ଓ ସନ୍ତୋଷ ସାସମଲ (୪୦), କଟକଜିଲ୍ଲା ନିଆଳି ଥାନା କସର୍ଦ୍ଦାର ପୁପୁନ ବେହେରା (୨୨), ବ୍ରାହ୍ମଣଝରିଲୋର ସତ୍ୟବାନ ସାମଲ (୨୨) ଓ କଳିଙ୍ଗବିହାର ପାତ୍ରପଡ଼ାର ସିଦ୍ଧାନ୍ତ ଓମ୍‌ପ୍ରକାଶ (୨୨)।

‘ମୋର କିଛି କରି ପାରିବନି’ …
ଡି’ ବ୍ରଦର୍ସ ଗ୍ୟାଙ୍ଗର ଲିଟୁଆ ସମେତ ୧୦ ଗିରଫ

ପୁଲିସ ସୂତ୍ରରୁ ପ୍ରକାଶ, କୁହ୍ନେଇପଡ଼ାରେ ରାସ୍ତାର ସମ୍ମୁଖ ଭାଗରେ ଗୋପାଳପୁର ଗ୍ରାମର ତ୍ରିଲୋଚନ ପ୍ରଧାନ ଓ ପଛପାଖ ରାସ୍ତାକୁ ଲାଗି କଟକ ସିଡିଏ ଅଞ୍ଚଳର ଜଣେ ବିଲ୍‌ଡର୍‌ଙ୍କ ଜମି ରହିଛି। ସମ୍ମୁଖ ଭାଗରେ ଥିବା ଜମି ମାଲିକଙ୍କ ସହ ପଛପାଖ ଜମି ମାଲିକଙ୍କ ସହମତରେ ରାସ୍ତା କରାଯାଇ ଉଭୟପକ୍ଷ ଯାତାୟାତ କରିବାକୁ ଚୁକ୍ତି କରାଯାଇଥିଲା। ଏବେ ପଛପାଖ ରାସ୍ତାର ମାଲିକ କିନ୍ତୁ ତ୍ରିଲୋଚନଙ୍କୁ ରାସ୍ତା ଛାଡୁ ନ ଥିବା ଓ ରାସ୍ତାଟି ତାଙ୍କର ବୋଲି କହିବା ସହ ଜାଗା ଛାଡ଼ିଦେବାକୁ ଧମକ ଦେଇ ଆସୁଛନ୍ତି। ଦୁଇଦିନ ହେଲା ଗୁଣ୍ଡା ଦଳର ସହଯୋଗ ନେଇ ଧମକ ଦେଉଛନ୍ତି। ଗତକାଲି ଗୁଣ୍ଡା ଦଳ ଧମକ ଦେଇ ଉତ୍ପାତ କରିଥିଲେ। ଏ ସଂକ୍ରାନ୍ତରେ ତ୍ରିଲୋଚନ ବାରଙ୍ଗ ଥାନା ପୁଲିସକୁ ସୂଚନା ଦେଇ ସୁରକ୍ଷା ମାଗିଥିଲେ। ରବିବାର ଗୁଣ୍ଡା ଦଳ ଜେସିବି ମେସିନ୍‌ ଧରି ରାସ୍ତା ଖୋଳିବା ସହିତ ହତିଆର ଧରି ତ୍ରିଲୋଚନଙ୍କ କର୍ମଚାରୀମାନଙ୍କୁ ଧମକଚମକ ଦେଇଥିଲେ। କର୍ମଚାରୀଙ୍କଠାରୁ ସୂଚନା ପାଇ ତ୍ରିଲୋଚନ ବାରଙ୍ଗ ଥାନା ପୁଲିସକୁ ଜଣାଇଥିଲେ।

ସିସିଟିଭି ଫୁଟେଜ୍‌ ଦାଖଲ କରି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବାରଙ୍ଗ ଥାନାଧିକାରୀ ଦେବେନ୍ଦ୍ର କୁମାର ବିଶ୍ୱାଳ ସଦଳବଳ ବିବାଦୀୟ ଜାଗାରେ ପହଞ୍ଚିଥିଲେ। ତେବେ ପୁଲିସକୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଗୁଣ୍ଡା ଦଳ ଫାଙ୍କା ଗୁଳିଚାଳନା କରିଥିବା ସ୍ଥାନୀୟ ଅଞ୍ଚଳରେ ପ୍ରଚାର ହୋଇଥିଲା। ଏପରିକି ପୁଲିସ ମଧ୍ୟ ଜବାବରେ ଫାଙ୍କା ଗୁଳି ଚଳାଇ  ଡି’ ବ୍ରଦର୍ସ ଗ୍ୟାଙ୍ଗର  ଲିଟୁଆ ସହ ୧୦ ଜଣଙ୍କୁ ମାଡ଼ି ବସିଥିବା କୁହାଯାଉଛି। ତେବେ ବାରଙ୍ଗ ଥାନା ଅଧିକାରୀ ଶ୍ରୀ ବିଶ୍ବାଳ ଗୁଣ୍ଡାମାନେ ଗୁଳି ଚାଳନା କରିଥିବା କଥାକୁ ଖଣ୍ଡନ କରିଛନ୍ତି। ସେମାନେ କେବଳ ‘ଆମକୁ ଧରିଲେ ଭଲ ହେବ ନାହିଁ’ ବୋଲି ପୁଲିସକୁ ଚେତାବନୀ ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି। ଘଟଣାସ୍ଥଳରୁ ଅଭିଯୁକ୍ତମାନଙ୍କ ବ୍ୟବହୃତ ଏକ ଟାଟା ଥର୍‌ ଗାଡ଼ି ଓ ଦୁଇଟି ବାଇକ୍‌ ଜବତ କରାଯାଇଛି।  ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version