Russia-Ukraine: ଭାରତୀୟଙ୍କୁ ପ୍ରତାରଣା କରି ଯୁଦ୍ଧରେ ସାମିଲ କରୁଛି ରୁଷ୍: ଜେଲେନସ୍କି
ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଭାରତ ସମେତ ୪୭ଟି ଦେଶର ନାଗରିକଙ୍କୁ ରୁଷ୍ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି।

ନ୍ୟୁୟର୍କ: ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ଭାରତ ସମେତ ୪୭ଟି ଦେଶର ନାଗରିକଙ୍କୁ ରୁଷ୍ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି। ବୁଧବାର ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାର ୮୧ତମ ଅଧିବେଶନରେ ଭାଷଣ ଦେଇ ସେ କହିଛନ୍ତି, ରୁଷ୍ ପ୍ରତାରଣା ଓ ବିଭିନ୍ନ କୌଶଳ ମାଧ୍ୟମରେ ବିଦେଶୀ ନାଗରିକଙ୍କୁ ନିଜ ଦେଶକୁ ଆଣି ଯୁଦ୍ଧରେ ସାମିଲ କରୁଛି। ଭାରତ ସମେତ ସମ୍ପୃକ୍ତ ଦେଶଗୁଡ଼ିକ ନିଜ ନାଗରିକଙ୍କୁ ଏହି ଯୁଦ୍ଧରୁ ଦୂରେଇ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।
ଭାରତ ସମେତ ୪୭ ଦେଶକୁ ସତର୍କ
ଜେଲେନସ୍କି କହିଛନ୍ତି, ଘାନା, ନେପାଳ, ତାଜିକିସ୍ତାନ, ଭାରତ, ୟେମେନ, କେନିଆ, ଜିମ୍ବାୱେ, କ୍ୟୁବା, ବେଲାରୁଷ୍, ସୁଦାନ ଓ ଦକ୍ଷିଣ ଆଫ୍ରିକା ସମେତ ୪୭ ଦେଶର ନାଗରିକ ରୁଷ୍ର ଯୁଦ୍ଧରେ ସାମିଲ ହୋଇଛନ୍ତି। ୟୁକ୍ରେନ୍ ଅନେକ ଦେଶର ନାଗରିକଙ୍କୁ ଯୁଦ୍ଧବନ୍ଦୀ ଭାବେ ପାଇଛି ବୋଲି ସେ କହିଛନ୍ତି। ଏହି ନାଗରିକମାନଙ୍କ ମଧ୍ୟରୁ କେତେକ ଯୁଦ୍ଧକ୍ଷେତ୍ରରେ ପ୍ରାଣ ହରାଇଥିବା ମଧ୍ୟ ଜେଲେନସ୍କି ଦାବି କରିଛନ୍ତି।ଭାରତୀୟଙ୍କ ସମ୍ପର୍କରେ ଭାରତ ସରକାରଙ୍କ ତଥ୍ୟ ମଧ୍ୟ ଏହି ସମୟରେ ଗୁରୁତ୍ୱ ବହନ କରୁଛି।
ବିଦେଶ ସଚିବ ବିକ୍ରମ ମିସ୍ରି ଚଳିତ ମାସରେ କହିଥିଲେ ଯେ ୨୨୭ ଜଣ ଭାରତୀୟ ରୁଷ୍ ସେନାରେ ନିଯୁକ୍ତ ହୋଇଥିବା ସୂଚନା ଭାରତ ପାଖରେ ରହିଛି। ସେମାନଙ୍କ ମଧ୍ୟରୁ ୧୩୯ ଜଣଙ୍କୁ ସେନାରୁ ମୁକ୍ତ କରାଯାଇଛି। ଆଉ ୫୧ ଜଣଙ୍କ ମୃତ୍ୟୁ ଘଟିଥିବା ଭାରତ ସରକାର ଜଣାଇଛନ୍ତି। ଅବଶିଷ୍ଟ ଭାରତୀୟଙ୍କୁ ମୁକ୍ତ କରି ଦେଶକୁ ଫେରାଇ ଆଣିବା ପାଇଁ ମସ୍କୋ ସହ ନିରନ୍ତର ଆଲୋଚନା ଚାଲିଥିବା ମିସ୍ରି କହିଛନ୍ତି। ଜାତିସଂଘରେ ଜେଲେନସ୍କି ସମ୍ପୃକ୍ତ ଦେଶଗୁଡ଼ିକୁ ସେମାନଙ୍କ ନାଗରିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ କହିବା ସହ ରୁଷ୍ ଉପରେ ଆର୍ଥିକ ଚାପ ବଢ଼ାଇବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




