Editorial

Editorial: ସରସ ରସ: ‘କ୍ୟୁଁ ନାଚେ ସପେରା?’

ସାପକୁ ନଚାଇବା ପରିବର୍ତ୍ତେ ସାପୁଆ ନିଜେ ନାଚିବ କାହିଁକି? ଔପନ୍ୟାସିକ ଆର୍. କେ. ନାରାୟଣଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଇଂରେଜୀ ଉପନ୍ୟାସ ‘ଗାଇଡ୍’ର କାହାଣୀ ଆଧାରରେ ଏକ ହିନ୍ଦୀ ଚଳଚ୍ଚିତ୍ର ୧୯୬୫ରେ ସମାନ ଶୀର୍ଷକରେ ନିର୍ମିତ ହୋଇଥିଲା।

ସୁଭାଷ ପଟ୍ଟନାୟକ

ସାପକୁ ନଚାଇବା ପରିବର୍ତ୍ତେ ସାପୁଆ ନିଜେ ନାଚିବ କାହିଁକି? ଔପନ୍ୟାସିକ ଆର୍. କେ. ନାରାୟଣଙ୍କ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଇଂରେଜୀ ଉପନ୍ୟାସ ‘ଗାଇଡ୍’ର କାହାଣୀ ଆଧାରରେ ଏକ ହିନ୍ଦୀ ଚଳଚ୍ଚିତ୍ର ୧୯୬୫ରେ ସମାନ ଶୀର୍ଷକରେ ନିର୍ମିତ ହୋଇଥିଲା। ସିନେମାର ପ୍ରାରମ୍ଭରେ ଗୀତିକାର ଶୈଳେନ୍ଦ୍ରଙ୍କର ଏକ ଦାର୍ଶନିକ ସଙ୍ଗୀତ ରହିଛି, “ୱହାଁ କୌନ ହୈ ତେରା ମୁସାଫିର୍ ଜାୟେଗା କାହାଁ…।” ଗୀତଟି ତ ଆମେ ଶୁଣିଛେ, ମାତ୍ର  ତା’ ମଧ୍ୟରେ ଥିବା ତିନିଟି ଶବ୍ଦର ପଦଟିଏ “କ୍ୟୁଁ ନାଚେ ସପେରା” ଉପରେ ବିଶେଷ ଧ୍ୟାନ ଦେଇ ନାହେଁ। ଏହି ପଦଟି ମଧ୍ୟରେ ଲୁଚି ରହିଛି ଏକ ଚିରନ୍ତନ ଦାର୍ଶନିକ ସତ୍ୟ। “ତୁନେ ତୋ ସବ୍‌କୋ ରାହ ଦିଖାୟି, ଅପନି ମଞ୍ଜିଲ୍ କ୍ୟୁଁ ଭୁଲା / ସୁଲଝା କେ ରାଜା ଔରୋଁ କି ଉଲଝନ୍, କ୍ୟୁଁ କଚ୍ଚେ ଧାଗେ ମୈଁ ଝୁଲା / କ୍ୟୁଁ ନାଚେ ସପେରା, ମୁସାଫିର୍ ଜାୟେଗା କାହାଁ।” ‘ତୁ ତ ସମସ୍ତଙ୍କୁ ରାସ୍ତା ଦେଖାଉଥିଲୁ, ନିଜର ରାସ୍ତା ପୁଣି ନିଜେ ଭୁଲିଗଲୁ କେମିତି? ଅନ୍ୟର ଦ୍ବନ୍ଦ୍ବ ଦୂର କରୁକରୁ ନିଜେ ଅଡୁଆ ସୂତାରେ ଛନ୍ଦି ହେଲୁ କ’ଣ ପାଇଁ? ସାପକୁ ନଚାଇବା ଛାଡ଼ି ସାପୁଆ ନିଜେ ନୃତ୍ୟ କଲା କାହିଁକି’? ସାପ ଖେଳାଳିର କାର୍ଯ୍ୟ ହେଉଛି ବୀଣା ବଜାଇ ସାପକୁ ନଚାଇବା। ସାପୁଆ ଯଦି ନିଜର ଏ କର୍ତ୍ତବ୍ୟ ଭୁଲିଯାଇ ବୀଣାର ସ୍ବନରେ ନିଜେ ନୃତ୍ୟ-ମଗ୍ନ ହୋଇଯାଏ, ଦର୍ଶକ ସାପଖେଳରୁ ମୁହଁ ଫେରାଇ ନେବେ, ଫଳତଃ ସାପୁଆର ପେଟ ଅପୋଷା ରହିଯିବ। ଗୀତଟିର ପୃଷ୍ଠଭୂମି ଏହିପରି: ନୂତନ ଆଗନ୍ତୁକମାନଙ୍କୁ ଐତିହାସିକ ସ୍ଥାନର ପୁରାତତ୍ତ୍ବ ବୁଝାଇ ପେଟ ପୋଷୁଥିବା ସ୍ଥାନୀୟ ଗାଇଡ୍‌ ରାଜୁ ଘଟଣା ଚକ୍ରରେ ନର୍ତ୍ତକୀ ହେବାର ସ୍ବପ୍ନ ଦେଖୁଥିବା ଜଣେ ପରିଦର୍ଶକଙ୍କ ପତ୍ନୀ ରୋଜିକୁ ଭଲପାଇ ବସିଛି। ତା’ ପାଇଁ ନିଜର ବୃତ୍ତି, ପରିବାର ଓ ମା’କୁ ଛାଡ଼ି ରୋଜିକୁ ଜଣେ ପ୍ରତିଷ୍ଠିତ ନର୍ତ୍ତକୀ କରାଇବାରେ ଲାଗିପଡ଼ି ସଫଳ ହୋଇଛି। ନିଜର ଏକତରଫା ପ୍ରେମକୁ ସୁରକ୍ଷା ଦେବାକୁ ଯାଇ ଜେଲ୍ ଯାଇଛି, ତଥାପି ରୋଜିର ପ୍ରେମ ପାଇ ପାରିନାହିଁ। ଜେଲ୍‌ରୁ ମୁକୁଳିବା ଦିନ ତାକୁ ନେବା ପାଇଁ ତା’ ପରିବାର କିମ୍ବା ରୋଜି କେହିହେଲେ ଜେଲ୍ ନିକଟକୁ ଆସିନାହାନ୍ତି। ମର୍ମାହତ ରାଜୁର ସାମନାରେ ଏବେ ରହିଛି ତିନିଟି ରାସ୍ତା। ମା’ ଓ ପରିବାର ନିକଟକୁ ଫେରିଯିବା, ପୁଣି ଥରେ ରୋଜି ପାଖକୁ ଲେଉଟି ଯିବା କିମ୍ବା ଏସବୁ ବନ୍ଧନ ଠାରୁ ବହୁ ଦୂର ଏକ ଅଜଣା ସ୍ଥାନକୁ ଚାଲିଯିବା। ରାଜୁ ଅଜଣା ରାସ୍ତାରେ ପାଦ ଦେବାବେଳେ ରହିଛି ଏଇ ପୃଷ୍ଠଭୂମି ସଙ୍ଗୀତ। ଗୀତିକାର ଶୈଳେନ୍ଦ୍ର “କ୍ୟୁଁ ନାଚେ ସପେରା” ପ୍ରଶ୍ନଟିର କୌଣସି ସିଧାସଳଖ ଉତ୍ତର ଦେଇ ନଥିଲେ ମଧ୍ୟ ତା’ର ତାତ୍ପର୍ଯ୍ୟ ପରୋକ୍ଷରେ ସେଇ ଗୀତ ମଧ୍ୟରେ ଛାଡ଼ି ଦେଇଛନ୍ତି।

ଏ ସଂସାର ଏକ ମୃଗତୃଷ୍ଣା। ଏଠାରେ ସବୁକିଛି ପାଣିର ଗାର। ତାକୁ ଦେଖିହୁଏ, ପଢ଼ିହୁଏ, ଅନୁଭବ କରିହୁଏ ମାତ୍ର ନିଜର କରିହୁଏନି। ଏ ସଂସାରରେ କିଛି ତୁମର ନୁହେଁ କି କିଛି ମୋର  ନୁହେଁ। ତେଣୁ, ହେ ଅଜଣା ପଥର ପଥିକ! ଏବେ ତୁମେ କେଉଁ ଦିଗକୁ ଯିବ? ଭୌତିକ ଜଗତରେ ସୁଖର ସନ୍ଧାନ କରିବା କେବଳ ଏକ ମୃଗତୃଷ୍ଣା, ମାୟାର ଖେଳ, ଯାହା ପରିଶେଷରେ ହୋଇଯାଏ ଅସରନ୍ତି ଦୁଃଖର କାରଣ। ଅନନ୍ତ ଆତ୍ମାର ସ୍ଥାୟୀ ବିନୋଦନ ନିମନ୍ତେ ଏହା ଅନ୍ତର୍ନିହିତ ଆବଶ୍ୟକତାକୁ ପୂରଣ କରି ନପାରେ। ଜଣେ ପଥିକର ପଥ ଅନନ୍ତ ନୁହେଁ କି ଜୀବନର ସ୍ଥାୟିତ୍ବ ଚିରକାଳ ନୁହେଁ। ଇଚ୍ଛାମାନଙ୍କର କ୍ଷଣିକ ଆକର୍ଷଣ ମଧ୍ୟରେ ହଜି ନଯାଇ ସେଥିପାଇଁ ନିଜର ସ୍ବାଭାବିକ କର୍ତ୍ତବ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ। “କ୍ୟୁଁ ନାଚେ ସପେରା” ଗୀତାଂଶରେ ଏହି ମର୍ମଟି ଲୁକ୍କାୟିତ ରହିଛି। ଯିଏ ସର୍ବଦା ଅନ୍ୟକୁ ଦିଗ୍‌ଦର୍ଶନ ଦେବା କଥା, ପଥ ନିର୍ଦ୍ଦେଶିତ କରିବା କଥା, ସିଏ ଯଦି ନିଜେ ନିଜର ରାସ୍ତା ଭୁଲିଯାଇ ଭୁଲ୍‌ ରାସ୍ତାରେ ଚାଲିଯାଏ, ସାପୁଆ ପରି ସାପକୁ ନଚାଇବା ଛାଡ଼ିଦେଇ ସ୍ବତଃ ନୃତ୍ୟ କରେ, ସେ ନିଜେ ହିଁ ଭାଗ୍ୟର ହାତରେ କାଠ କଣ୍ଢେଇ ପାଲଟିଯାଏ। “ସାପୁଆ ନାଚେ କାହିଁକି”- ଏ ପ୍ରଶ୍ନଟି ମାନବୀୟ ଦୁର୍ବଳତା ଏବଂ ଜୀବନର ସମସ୍ତ ବିଡ଼ମ୍ବନାକୁ ଇଙ୍ଗିତ କରିବାପାଇଁ ଏକ ଶକ୍ତିଶାଳୀ ରୂପକଳ୍ପ। ସାଂସାରିକ ଆସକ୍ତିରୁ କେହି ମୁକ୍ତ ନୁହନ୍ତି। ଯେଉଁମାନେ ଏହି ଆସକ୍ତିରୁ ଊର୍ଦ୍ଧ୍ବରେ ବୋଲି ଆମେ ଭାବିଥାଉ, ସେମାନେ ମଧ୍ୟ ସମୟେ ସମୟେ ଏହାର କବଳିତ ହୋଇଥାନ୍ତି। ସାପୁଆ ନିଜେ ସାପର ମାର୍ଗଦର୍ଶକ, ଯିଏ ନଚାଇବା ଜାଣେ ଓ ସାପ ସହିତ ରହିଥିବା ବିପଦକୁ ମଧ୍ୟ ଜାଣେ। ସାପ ସଂପର୍କରେ ସେ ଅନ୍ୟଠାରୁ ଅଧିକ ଜ୍ଞାନୀ। ସାପ ପରିବର୍ତ୍ତେ ନିଜର ବୀଣା ସ୍ବନରେ ନିଜେ ନୃତ୍ୟରତ ହେବା ହେଉଛି ଜଗତର ମାୟା ଜାଲରେ ଛନ୍ଦି ହୋଇଯିବା ଓ ଆସକ୍ତିରେ ଡୁବିଯିବା। ତେଣୁ ପ୍ରଶ୍ନଟି ଇଙ୍ଗିତ କରେ ଯେ, ସେଇ ଜ୍ଞାନୀ ଓ ମାର୍ଗଦର୍ଶକ ସାପ ଖେଳାଳିଟି ନୃତ୍ୟ କରୁଛି ଅର୍ଥ, ଯେଉଁମାନେ ଜ୍ଞାନର ଅଧିକାରୀ ଓ “ସର୍ବଂ ମାୟାଃ ଜଗତ୍ ମିଥ୍ୟାଃ” ସତ୍ୟକୁ ଜାଣନ୍ତି ସେମାନେ ମଧ୍ୟ ସେଇ ମାୟାର ଶିକାର ହୋଇ ଯାଆନ୍ତି, ଯେଉଁ ସମୟରେ କି ଅଜ୍ଞାନମାନଙ୍କୁ ସେ ମାୟାଜାଲରୁ ଦୂରେଇ ରଖିବା ସେମାନଙ୍କର ଦାୟିତ୍ବ।

ଜୀବନ ଜିଇଁବାର ଜଞ୍ଜାଳ ମଧ୍ୟରେ ଗଭୀର ସତ୍ୟଟି ହେଉଛି ନିଜର ମୂଲ୍ୟବୋଧ ସହିତ ସମନ୍ବୟ ରକ୍ଷାକରି ବଞ୍ଚିବାର ମହତ୍ତ୍ବ। ଦୁନିଆର ଆମଠାରୁ ଆବଶ୍ୟକତା କ’ଣ ସେକଥା ନ ପଚାରି ଦୁନିଆକୁ ଆମେ ଜଣାଇଦେବା କଥା ଯେ, କ’ଣ ଓ କିଏ ଆମକୁ ଜୀବନ୍ତ ଓ ସତେଜ ରଖିଛି। ନିଜସ୍ବ ମୂଲ୍ୟବୋଧ ହିଁ ଆମକୁ ଉଦ୍ଦେଶ୍ୟଟିଏ ନେଇ ଜିଇଁବାର ପ୍ରେରଣା ଦିଏ। ଦୁନିଆର ସମସ୍ତ ଆବଶ୍ୟକତାକୁ ପୂରଣ କରିବାକୁ ଚେଷ୍ଟା କଲେ ପଥପ୍ରଦର୍ଶକ ନିଜେ ପଥ ହୁଡ଼ିଯିବ। ତେଣୁ ନିଜସ୍ବ ପଥରେ ଚାଲିବା କେବଳ ଏକ ପସନ୍ଦ ନୁହେଁ, ନିଜ ପ୍ରତି ଓ ନିଜର ମୂଲ୍ୟବୋଧ ପ୍ରତି ବିଶ୍ବସ୍ତ ହେବା ପାଇଁ ଏକ ପ୍ରତିବଦ୍ଧତା। କୁହାଯାଏ, ‘ମାଇଣ୍ଡ ୟୋର୍ ଓନ୍ ବିଜନେସ୍’। ନିଜ କଥା ନିଜେ ଦେଖ। ତେଣୁ ଯେଉଁ କାର୍ଯ୍ୟ କରିବାକୁ ଆମେ ନିର୍ଦ୍ଦେଶିତ ସେଥିରେ ଲାଗି ରହିବା ହିଁ ଶ୍ରେୟ। ଏ ସାରା ଜଗତ ଆଜି ନୃତ୍ୟରତ ସାପ ନଚାଳିମାନଙ୍କର ନୃତ୍ୟରେ ଝଙ୍କୃତ। ନିର୍ଦ୍ଧାରିତ କର୍ତ୍ତବ୍ୟକୁ ଆମେ ବିସ୍ମରି ଗଲେଣି କାହିଁ କେବେଠାରୁ। ନିଜ ନିଜ ବୀଣାର ତାନରେ ସମସ୍ତେ ଏଠାରେ ନୃତ୍ୟରତ। ସେ ବୀଣାର ତାନ ହେଉଛି ଲୋଭର, ମୋହର ଓ ସ୍ବାର୍ଥର। ଭୂଲୁଣ୍ଠିତ ଗଣ-ବ୍ୟକ୍ତିତ୍ବର ଭଗ୍ନ ମଞ୍ଚ ଉପରେ ସାପୁଆର ନୃତ୍ୟ ଏମିତି ଚାଲିଛି ଓ ଚିରକାଳ ଚାଲିଥିବ ଏବଂ ମୂଳ ପ୍ରଶ୍ନଟି ତଥାପି ରହିଥିବ ଅନୁତ୍ତରିତ: “କ୍ୟୁଁ ନାଚେ ସପେରା?”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୩୩୭୬୪୮୬୩୮

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button