Keonjhar: ‘ଦ୍ୱିତୀୟ ଜାମସେଦପୁର ହେବ କେନ୍ଦୁଝର’; ଉଚ୍ଚବାଲିରେ ୧୬୪୭ କୋଟିର ଗ୍ରିଡ୍ ପାଇଁ ଶିଳାନ୍ୟାସ

କେନ୍ଦୁଝର/ଯୋଡ଼ା: କେନ୍ଦୁଝରକୁ ଏକ ଶିଳ୍ପ ହବ୍‌ରେ ପରିଣତ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦୁଝର ଜିଲ୍ଲା ଉଚ୍ଚବାଲିଠାରେ ୧୬୪୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୪୨୦/୨୨୦ କେଭି ଗ୍ରିଡ୍ ସବ୍‌ଷ୍ଟେସନ୍‌ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ଭାବେ ଗଢ଼ି ତୋଳିବାକୁ ଘୋଷଣା କରିଛନ୍ତି।

ଉଚ୍ଚବାଲିରେ ୧୬୪୭ କୋଟିର ଗ୍ରିଡ୍ ପାଇଁ ଶିଳାନ୍ୟାସ
୨୦୩୬ ସୁଦ୍ଧା ରାଜ୍ୟରେ ନିର୍ମିତ ହେବ ୩୪ଟି ନୂଆ ଗ୍ରିଡ୍

ଓଡ଼ିଶାକୁ ଡିଜିଟାଲାଇଜେସନ୍‌ କରିବା ଦିଗରେ ଆମେ ଆଗେଇ ନେଉଛୁ। ମଞ୍ଚେଶ୍ୱରଠାରେ ନିର୍ମିତ ନୂତନ ଷ୍ଟେଟ୍‌ଲୋଡ୍‌ ଡେସ୍‌ପାଚ୍‌ ସେଣ୍ଟର ରାଜ୍ୟର ବିଦ୍ୟୁତ୍ ପରିଚାଳନା ପାଇଁ ‘ହାର୍ଟ’ ସଦୃଶ କାର୍ଯ୍ୟ କରିବ। ଏହାସହ ଷ୍ଟାମସ୍‌ ପ୍ରକଳ୍ପ ଜରିଆରେ ୭୦ଟି ଗ୍ରିଡ୍‌କୁ ରିମୋଟ୍ ମାଧ୍ୟମରେ ପରିଚାଳନା କରାଯାଇ ତ୍ରୁଟିଗୁଡ଼ିକର ତୁରନ୍ତ ସମାଧାନ କରାଯିବ। ଏହି ଅତ୍ୟାଧୁନିକ ବ୍ୟବସ୍ଥାଗୁଡ଼ିକ କେନ୍ଦୁଝର ଜିଲ୍ଲାର ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାର ଭବିଷ୍ୟତ ବିଦ୍ୟୁତ୍ ପରିବହନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ୨୦୦୦ ମସିହାରେ ରାଜ୍ୟରେ ୧୬ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଥିଲେ। ଆଜି ଏହା ୧ କୋଟିରେ ପହଞ୍ଚିଛି। ୨୦୩୬ ସୁଦ୍ଧା ରାଜ୍ୟରେ ଆହୁରି ୩୪ଟି ନୂଆ ଗ୍ରିଡ୍ ସବ୍‌ଷ୍ଟେସନ୍‌ କରାଯିବ। ଭୁବନେଶ୍ୱର, ଯାଜପୁରଝାରସୁଗୁଡ଼ା ଓ ଗଜପତିରେ ପ୍ରଥମ ଥର ପାଇଁ ୭୬୫ କେଭି ଗ୍ରିଡ୍ ନିର୍ମାଣ ପାଇଁ ଯୋଜନା ହୋଇଛି ବୋଲି ସେ କହିଥିଲେ। କେନ୍ଦୁଝର ଏତେଦିନ ଧରି ରାଜ୍ୟକୁ ସମୃଦ୍ଧି ଦେଇଆସିଛି। ଏବେ ସମୟ ଆସିଛି କେନ୍ଦୁଝରକୁ ତାର ହକ୍ ଫେରାଇବାର। ଜାପାନର ପ୍ରସିଦ୍ଧ ଜେଏଫ୍‌ଇ ଷ୍ଟିଲ୍‌କୁ କେନ୍ଦୁଝରରେ କାରଖାନା ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି। ଯାହା ଭବିଷ୍ୟତରେ ଇଲେକ୍ଟ୍ରିକାଲ୍ ଷ୍ଟିଲ୍ ଉତ୍ପାଦନ କରିବ। ଜିଲ୍ଲାରେ ବଢ଼ୁଥିବା ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି ଆଗାମୀ ୨୦ ବର୍ଷର ଆବଶ୍ୟକତାକୁ ପୂରଣ କରିବା ଭଳି ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ଆମ ଡବଲ୍‌ ଇଞ୍ଜିନ୍‌ ସରକାର ବିକାଶର ଧାରାକୁ ଓଡ଼ିଶାର ପ୍ରତିଟି ଗାଁ ଓ ପ୍ରତିଟି ପରିବାର ପାଖରେ ପହଞ୍ଚାଇବାକୁ ସଂକଳ୍ପବଦ୍ଧ। କେନ୍ଦୁଝରର ବିକାଶ ଦାୟିତ୍ୱ ମୋର, ଏଥିରେ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ।

ସମ୍ପ୍ରସାରଣ ସୁନିଶ୍ଚିତ କରିବା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି। ଆଜିର ଗ୍ରିଡ୍‌ ସବଷ୍ଟେସନ୍‌ କେବଳ କେନ୍ଦୁଝର ନୁହେଁ, ଏହାର ପାୱାର ସପ୍ଲାଏ ସୁନ୍ଦରଗଡ଼ଅନୁଗୁଳ, ବଇଣ୍ଡା ଅଞ୍ଚଳ ପର୍ଯ୍ୟନ୍ତ ବିସ୍ତୃତ କରାଯିବ। ଆଗାମୀ ଦିନରେ କେନ୍ଦୁଝରର ସମସ୍ତ ଉପାନ୍ତ ଅଞ୍ଚଳରେ ବିଦ୍ୟୁତ୍‌ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨୦୨୮ ସୁଦ୍ଧା ସମଗ୍ର ଓଡ଼ିଶା ବିଦ୍ୟୁତ୍‌ ସଙ୍କଟରୁ ବାହାରିବ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ଓପିଟିସିଏଲ୍‌ ସିଏମ୍‌ଡି ଭାସ୍କରଜ୍ୟୋତି ଶର୍ମା, ଜିଲ୍ଲାପାଳ ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

ସୌଜନ୍ୟ ସମ୍ବାଦ