ନୂଆଦିଲ୍ଲୀ : କତର ଉପରେ ଇସ୍ରାଏଲର ଆକ୍ରମଣଠାରୁ ଏପର୍ଯ୍ୟନ୍ତ ମଧ୍ୟପ୍ରାଚ୍ୟରେ ଭୟର ବାତାବରଣ ରହିଛି । ଏହାକୁ ଦୃଷ୍ଟିରେ ରଖି ସାଉଦି ଆରବ ନିଜର ପ୍ରତିରକ୍ଷା ବାହିନୀକୁ ସୁଦୃଢ କରିଚାଲିଛି । ଗୋଟିଏ ପଟେ ସାଉଦି ପାକିସ୍ତାନ ସହ ପ୍ରତିରକ୍ଷା ଚୁକ୍ତି କରିଥିବାବେଳେ ଅନ୍ୟପଟେ ଆମେରିକାଠାରୁ ବିଭିନ୍ନ ପ୍ରକାରର ଆଧୁନିକ ଅସ୍ତ୍ରଶସ୍ତ୍ର କିଣିଚାଲିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଆମେରିକାଠାରୁ ଅତ୍ୟାଧୁନିକ ଏଫ-୩୫ ଲାଇଟନିଙ୍ଗ-୨ (F-35) ଖରିଦ ପାଇଁ ସାଉଦି ଆରବ ପ୍ରସ୍ତୁତ ହେଉଛି ଓ ଏଥିପାଇଁ ଆମେରିକା ରାଜି ମଧ୍ୟ ହୋଇଛି । ଯଦି ଏହି ଡିଲ୍ ହୁଏ ତେବେ ତାହାର ପ୍ରଭାବ କେବଳ ମଧ୍ୟପ୍ରାଚ୍ୟ ନୁହେଁ ଭାରତ ଉପରେ ବି ପଡ଼ିବ । ତେବେ ଏହାର କାରଣ କଣ ?
ଘାତକ ଏଫ୍-୩୫
ଏଫ-୩୫ ଲାଇଟନିଙ୍ଗ-୨ ହେଉଛି ବିଶ୍ବର ସବୁଠାରୁ ଆଧୁନିକ ଓ ଦକ୍ଷ ଲଢୁଆ ବିମାନ । ଏହା ଏକ ୫ମ ପିଢିର ବିମାନ ହୋଇଥିବାବେଳେ ଏଥିରେ ଥିବା ଅତ୍ୟାଧୁନିକ ଟେକନଲୋଜି ଏହାକୁ ରଣକ୍ଷେତ୍ରରେ ପ୍ରାୟତଃ ଅଦୃଶ୍ୟ କରିଦିଏ । ଏଣୁ ଯଦି ଏହି ବିମାନ କୌଣସି ଦେଶ ହାତକୁ ଆସେ ତେବେ ତାହା ଯୁଦ୍ଧର ସମୀକରଣ ବଦଳାଇବାକୁ ସକ୍ଷମ ।
ଭାରତ କାହିଁକି ଚିନ୍ତିତ ?
ସାଉଦି ଆରବ ସହ ଭାରତର କୌଣସି ଶତ୍ରୁତା ନଥିଲେ ବି ଏହି ଡିଲକୁ ନେଇ ଭାରତ ଚିନ୍ତା କରିବା ସ୍ବାଭାବିକ । କାରଣ ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ରଣନୈତିକ ଚୁକ୍ତି ରହିଛି । ଏହା ଅନୁସାରେ ଗୋଟିଏ ଦେଶ ଉପରେ ଆକ୍ରମଣ ଅନ୍ୟ ଦେଶ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ । ଏପରି କ୍ଷେତ୍ରରେ ପାକିସ୍ତାନ ସହ ଭାରତର ସଂଘର୍ଷ ସମୟରେ ସାଉଦି ପାକିସ୍ତାନକୁ ସାମୟିକ ଭାବେ ଏଫ-୩୫ ବିମାନ ଦେଇପାରେ ।
ଆମେରିକା ରାଜି ହବ ତ ?
ଆମେରିକା କେବଳ ଭରସାଯୋଗ୍ୟ ଦେଶମାନଙ୍କୁ ନିଜର ଅତ୍ୟାଧୁନିକ ଲଢୁଆ ବିମାନ ଦେଇଥାଏ । ପୁଣି ପ୍ରତ୍ୟେକ ଡିଲ୍ ସହିତ କେତେକ ସର୍ତ୍ତ ମଧ୍ୟ ଥାଏ । ଏଣୁ ସାଉଦି ହାତକୁ ଏଫ-୩୫ ଆସିବାର ଅର୍ଥ ନୁହେଁ ଯେ ତାହା ପାକିସ୍ତାନ ହାତକୁ ଚାଲିଆସିବ । ପୁଣି ଏସବୁ ବିମାନର କେତେକ ନିୟନ୍ତ୍ରଣ ଆମେରିକା ହାତରେ ବି ଥାଏ । ଏଣୁ ସାଉଦି ପାକିସ୍ତାନକୁ ଏହି ବିମାନ ଦେଲେ ବି ତାହା ପାଇଁ ଆମେରିକାର ସମ୍ମତି ଆବଶ୍ୟକ ।
ସୌଜନ୍ୟ – ସମ୍ବାଦ