Save Democracy: ଗାନ୍ଧୀ ଜୟନ୍ତୀରୁ ଇଣ୍ଡି ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନ: ୬ରେ ଇସି ମୁଖ୍ୟାଳୟକୁ ପଦଯାତ୍ରା
ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରସଙ୍ଗରେ ବିରୋଧୀ ଇଣ୍ଡି ମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ...

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରସଙ୍ଗରେ ବିରୋଧୀ ଇଣ୍ଡି ମେଣ୍ଟର ସହଯୋଗୀ ଦଳଗୁଡ଼ିକ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ୮ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ‘ଗଣତନ୍ତ୍ର ବଞ୍ଚାଅ’ ଅଭିଯାନ ଚଳାଇବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସମସ୍ତ ମେଣ୍ଟଭୁକ୍ତ ଦଳ ଜିଲ୍ଲାସ୍ତରରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥିରେ ଯୁବବର୍ଗ ଓ ଏନ୍ଜିଓଗୁଡ଼ିକୁ ସାମିଲ କରାଯିବ।
୨ ମାସରେ ୫ ବଡ଼ ରାଲି, ରାଷ୍ଟ୍ରପତିଙ୍କୁ ଭେଟିବେ
ଅକ୍ଟୋବର ୬ରେ ସମସ୍ତ ବିରୋଧୀ ସାଂସଦ ଦିଲ୍ଲୀରେ ଏକାଠି ହୋଇ ନିର୍ବାଚନ କମିସନଙ୍କ ମୁଖ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ଭୋଟ ଚୋରି ପ୍ରସଙ୍ଗରେ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ ଅକ୍ଟୋବର ଓ ନଭେମ୍ବରରେ ଦେଶବ୍ୟାପୀ ପାଞ୍ଚଟି ପ୍ରମୁଖ ରାଲି କରାଯିବ। ଏହି ରାଲିଗୁଡ଼ିକର ସ୍ଥାନ ଓ ସମୟ ଖୁବ୍ଶୀଘ୍ର ସ୍ଥିର କରାଯିବ। ଇଭିଏମ୍ ବଦଳରେ ବାଲଟ୍ ପେପର ମାଧ୍ୟମରେ ନିର୍ବାଚନ କରାଯିବାକୁ ସବୁ ଦଳ ଦାବି କରିବେ ବୋଲି ଖଡ଼ଗେ କହିଛନ୍ତି। ବୁଧବାର ଦିଲ୍ଲୀର କନ୍ଷ୍ଟିଚ୍ୟୁସନ କ୍ଲବ୍ଠାରେ ଇଣ୍ଡିମେଣ୍ଟର ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ବୈଠକ ହୋଇଥିଲା। ଏଥିରେ ଖଡ଼ଗେଙ୍କ ସମେତ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଆର୍ଜେଡିର ତେଜସ୍ୱୀ ଯାଦବ ଓ ଏନ୍ସିପି (ଏସ୍ପି) ସାଂସଦ ସୁପ୍ରିୟା ସୁଲେ ପ୍ରମୁଖ ସାମିଲ ହୋଇଥିଲେ। ବୈଠକ ପରେ ଇଣ୍ଡିମେଣ୍ଟ ନେତାମାନେ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ମିଳିତ କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇଥିଲେ।
ସୌଜନ୍ୟ ସମ୍ବାଦ




