ଦେଶ ବିଦେଶ

Seikh Hasina: ‘ତୁମ ବାପା ଆସିପାରୁଥିଲେ, ତୁମେ କାହିଁକି ପାରିବନି’: ତାରିକ ରହମାନଙ୍କୁ ଶେଖ୍ ହସିନାଙ୍କ କଡ଼ା ସମାଲୋଚନା

ବାଲାଂଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀକୁ ବାଦ ଦେବା ନିଷ୍ପତ୍ତିକୁ ଆୱାମୀ ଲିଗ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତୀବ୍ର ସମାଲୋଚନା କରିଛନ୍ତି।

ନୂଆଦିଲ୍ଲୀ: ବାଲାଂଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀକୁ ବାଦ ଦେବା ନିଷ୍ପତ୍ତିକୁ ଆୱାମୀ ଲିଗ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ତୀବ୍ର ସମାଲୋଚନା କରିଛନ୍ତି। ୭୮ ବର୍ଷୀୟା ହସିନା ଏହି ନିଷ୍ପତ୍ତିକୁ ଅତ୍ୟନ୍ତ ‘ଅପରିପକ୍ୱ’ ଏବଂ ବାଂଲାଦେଶର ଜାତୀୟ ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ, ଭାରତରେ ତାଙ୍କର ଉପସ୍ଥିତି କାହିଁକି ତାରିକଙ୍କ ପାଇଁ ପ୍ରତିବନ୍ଧକ ସାଜୁଛି, ଯେତେବେଳେ କି ତାରିକଙ୍କ ବାପା ତଥା ପୂର୍ବତନ ରାଷ୍ଟ୍ରପତି ଜିଆଉର୍‌ ରହମାନ ୧୯୭୯ ମସିହାରେ ନୂଆଦିଲ୍ଲୀ ଏବଂ ୧୯୮୦ ରେ ଲଣ୍ଡନ ଗସ୍ତ କରିଥିଲେ, ଯେଉଁ ସମୟରେ ହସିନା ନିଜେ ସେହି ଦୁଇଟି ସହରରେ ନିର୍ବାସିତ ଜୀବନ ଅତିବାହିତ କରୁଥିଲେ। ବାଂଲାଦେଶର ଗୃହମନ୍ତ୍ରୀ ସାଲାଉଦ୍ଦିନ ଅହମ୍ମଦ ଗତ ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ପ୍ରଥମ ବିମ୍‌ଷ୍ଟେକ ଗୃହମନ୍ତ୍ରୀ ସମ୍ମିଳନୀକୁ ମଧ୍ୟ ବାଦ ଦେବା ପରେ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ବାଂଲାଦେଶ ଗତ ସେପ୍ଟେମ୍ବର ୧୨-୧୩ରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀକୁ ଏହି ଆଳରେ ବାଦ ଦେଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ତାରିକ ରହମାନଙ୍କୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ବରଂ କେବଳ ବିମ୍‌ଷ୍ଟେକର ଅଧ୍ୟକ୍ଷ ଭାବେ ଆମନ୍ତ୍ରଣ କରାଯାଇଥିଲା। ବିଏନପି ନେତୃତ୍ୱାଧୀନ ବାଂଲାଦେଶ ସରକାର ଅଭିଯୋଗ କରିଛନ୍ତି ଯେ, ଅଗଷ୍ଟ ୨୦୨୪ରୁ ଦିଲ୍ଲୀରେ ରହୁଥିବା ଶେଖ୍ ହସିନାଙ୍କ ଉପସ୍ଥିତି ଦ୍ୱିପାକ୍ଷିକ ସମ୍ପର୍କ ସୁଧାରିବାରେ ମୁଖ୍ୟ ବାଧା ସାଜିଛି ଏବଂ ସେମାନେ ଭାରତ ପାଖରୁ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରୁଛନ୍ତି। ତେବେ ନିଜର ଦେଶର ରାଜନୈତିକ ମେସେଜିଂ ପାଇଁ ଅନ୍ତର୍ଜାତୀୟ କୂଟନୀତିକୁ ବଳି ଦେବା ଏବଂ ଅର୍ଥନୈତିକ ସହଯୋଗର ସୁଯୋଗ ହାତଛଡ଼ା କରିବା ବାଂଲାଦେଶ ପାଇଁ କ୍ଷତିକାରକ ବୋଲି ହସିନା କହିଛନ୍ତି। ସୂଚନାଯୋଗ୍ୟ, ଗତ ନଭେମ୍ବର ୨୦୨୫ରେ ବାଂଲାଦେଶର ଅଦାଲତ ଦ୍ୱାରା ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ଶେଖ୍ ହସିନା, ଗିରଫଦାରୀ ବା ମୃତ୍ୟୁର ଭୟ ସତ୍ତ୍ୱେ ଆସନ୍ତା ଡିସେମ୍ବର ସୁଦ୍ଧା ନିଜ ଦେଶକୁ ଫେରିବେ ବୋଲି ଦୃଢ଼ ସଂକଳ୍ପ ବ୍ୟକ୍ତ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button