Sensex Crash: ସେନ୍‌ସେକ୍ସ ୧୬୯୦ ପଏଣ୍ଟ୍‌ ଖସିଲା: ନିବେଶକ ହରାଇଲେ ୮.୫ ଲକ୍ଷ କୋଟି

ମୁମ୍ବାଇ: ଇରାନ-ଆମେରିକା ଯୁଦ୍ଧକୁ ନେଇ ଲାଗିରହିଥିବା ଅନିଶ୍ଚିତତାର ପ୍ରଭାବ ଆଜି ସେୟାର ବଜାରରେ ଦେଖିବାକୁ ମିଳିଥିଲା। ନିବେଶକମାନେ ବିପୁଳ ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୬୯୦ ପଏଣ୍ଟ୍‌ ହ୍ରାସ ପାଇ ୭୩,୫୮୧ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୪୮୬ ପଏଣ୍ଟ୍‌ ହ୍ରାସ ପାଇ ୨୨,୮୧୯ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେନ୍‌ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ୮.୫ ଲକ୍ଷ କୋଟି ଟଙ୍କା ହରାଇଥିବା ଆକଳନ କରାଯାଇଛି।

ପାଞ୍ଚଦିନ ପାଇଁ ଇରାନ ତୈଳ ଭିତ୍ତିଭୂମି ଉପରେ କୌଣସି ଆକ୍ରମଣ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ଯୁଦ୍ଧ ଶୀଘ୍ର ସରିବ ବୋଲି ଆଶା ଜାଗ୍ରତ ହୋଇଥିଲା। କିନ୍ତୁ ସେ ଦିଗରେ ବାସ୍ତବରେ କୌଣସି କଥା ଆଗକୁ ବଢ଼ୁନଥିବାରୁ ଆଜି ନିବେଶକମାନେ ଚିନ୍ତିତ ହୋଇପଡ଼ିଥିଲେ। ମଧ୍ୟପ୍ରାଚ୍ୟରେ ସାମରିକ ଗତିବିଧି ବଢ଼ିବା ଖବର ମଧ୍ୟ ସାମ୍ନାକୁ ଆସୁଛି। ନିବେଶକମାନେ ଏବେ ସ୍ଥିତିକୁ ନେଇ ସ୍ପଷ୍ଟ ସଙ୍କେତ ଚାହୁଛନ୍ତି। ଆଜିର ହ୍ରାସ ପଛରେ ଆହୁରି ଅନେକ କାରଣ ରହିଛି।

ଗତକାଲି ରାମ ନବମୀ ପାଇଁ ଷ୍ଟକ୍‌ ବଜାରରେ କାରବାର ବନ୍ଦ ଥିଲା। ଆଜି ଥିଲା ଚଳିତ ସପ୍ତାହର ଶେଷ କାରବାର ଦିନ। କିଛି ନିବେଶକ ଲାଭ ପାଇବା ଆଶାରେ ସେୟାର ବିକ୍ରି କରିଛି। ଆଉ କିଛି ସୋମବାର ବେଳକୁ ସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କା କରି ସେୟାର ବିକିଛନ୍ତି। ଏସିଆର ଅନ୍ୟ ଦେଶଗୁଡ଼ିକର ସେୟାର ବଜାର ହ୍ରାସ ପାଇଛି। ଆମେରିକାରେ ସେୟାର ବଜାର ଅସ୍ଥିର ରହିଛି। କିନ୍ତୁ ବଜାର ପାଇଁ ସବୁଠୁ ବଡ଼ ଚିନ୍ତା ହେଉଛି ଅଶୋଧିତ ତୈଳ ଦର ଯାହା ବ୍ୟାରେଲ୍‌ ପିଛା ୧୧୦ ଡଲାରକୁ ବୃଦ୍ଧି ପାଇଛି। ତେଲ ମହଙ୍ଗା ରହିଲେ ତାହା ଭାରତର ମୁଦ୍ରାସ୍ଫୀତି ଓ କର୍ପୋରେଟ୍‌ ସଂସ୍ଥାର ଲାଭକୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ନିବେଶକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଆଜି ସେୟାର ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ୪ ପ୍ରତିଶତ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ୩ ପ୍ରତିଶତ, ଏଲ୍‌ଆଣ୍ଡ୍‌ଟିର ୨ ପ୍ରତିଶତ ହ୍ରାସ ପାଇଥିଲା। ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ, ଏସ୍‌ବିଆଇ, ମାରୁତି ଓ ଟାଇଟାନ୍‌ର ସେୟାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

 

 

 

ସୌଜନ୍ୟ ସମ୍ବାଦ

Exit mobile version