ବେଣୁପୁର ଚନ୍ଦନବସ୍ତରେ ଜଣଙ୍କ ଘର ଜଳୁଥିଲା ଖବର ପାଇ ଦମକଳ ବାହିନୀ ସେଠି ନିଆଁ ଲିଭାଉଥିବା ବେଳେ ମଝିଗଡ଼ରେ ଗାଡ଼ି ଜଳିବା ଖବର ପାଇଥିଲେ। ଦମକଳ ବାହିନୀ ମଝିଗଡ଼ରେ ପହଞ୍ଚି ନିଆଁ ଲିଭାଉ ନ ଲିଭାଉଣୁ, ଖବର ଆସିଲା ମଲ୍ଲିକସାହିରେ ଏକ ଜିପ୍‌ ଓ ଅଟୋ ହୁତୁହୁତୁ ହୋଇ ଜଳୁଛି। ଅଗ୍ନିଶମ ବାହିନୀ ସେଠି ପହଞ୍ଚିବା ବେଳକୁ ମାଟିକୋଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ଜଳୁଥିବା ଖବର ମିଳିଥିଲା। ପରେପରେ ଅଣ୍ଡିଲୋ ମୁସ୍‌ଲିମ୍‌ସାହିରେ ଏକ କାର୍‌ରେ ନିଆଁ ଲାଗିଥିବା ସୂଚନା ମିଳିଥିଲା। ଏହିପରି ଭାବେ ଶୁକ୍ରବାର ବିଳମ୍ବିତ ରାତିରେ ବାଲିଅନ୍ତାରେ ଘଟିଥିବା ଲଙ୍କାଦହନ ଭଳି ଅଗ୍ନିକାଣ୍ଡରେ ଜଣଙ୍କ ଘର, ୩ଟି ଦୋକାନ ଓ ୬ଟି ଗାଡ଼ି ପୋଡ଼ି ଛାରଖାର ହୋଇଯାଇଥିଲା।  କିଏ  ଓ କାହିଁକି ଏ ନିଆଁ ଲଗାଇଛି ବୋଲି ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଥିଲା। ପୁଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ଯାଞ୍ଚ କରିବା ପରେ ସ୍ପଷ୍ଟ ହୋଇଥିଲା ଜଣେ ମହିଳା ଏସବୁ କରିଛନ୍ତି। ମହିଳା ଜଣଙ୍କ କିଏ ବୋଲି ପୁଲିସ ତଦନ୍ତ କରି ଗୀତାଙ୍କ ବିଷୟରେ ଜାଣିବାକୁ ପାଇଥିଲା।