Shivakumar warns: କନ୍ନଡ଼ ଲୋକଙ୍କୁ ଚାକିରି ନଦେଲେ କଡ଼ା କାର୍ଯ୍ୟାନୁଷ୍ଠାନ: ଶିବକୁମାର
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରବିବାର ଘରୋଇ ଆଇଟି କମ୍ପାନିଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି ସେମାନେ ଜାଣିଶୁଣି କନ୍ନଡ ଲୋକମାନଙ୍କୁ ଚାକିରି ନ ଦିଅନ୍ତି ବୋଲି ଜଣାପଡ଼େ, ତେବେ ରାଜ୍ୟ ସରକାର ସେମାନଙ୍କ ବିରୋଧରେ...

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରବିବାର ଘରୋଇ ଆଇଟି କମ୍ପାନିଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି ସେମାନେ ଜାଣିଶୁଣି କନ୍ନଡ ଲୋକମାନଙ୍କୁ ଚାକିରି ନ ଦିଅନ୍ତି ବୋଲି ଜଣାପଡ଼େ, ତେବେ ରାଜ୍ୟ ସରକାର ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବେଙ୍ଗାଲୁରୁର ଆଇଟି କମ୍ପାନିଗୁଡ଼ିକ ଦ୍ୱାରା ନିଯୁକ୍ତିରେ ଭାଷାଭିତ୍ତିକ ପକ୍ଷପାତିତା ଅଭିଯୋଗ କରୁଥିବା ଜଣେ ଯୁବତୀଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ମନ୍ତବ୍ୟ ଆସିଛି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ବେଙ୍ଗାଲୁରୁର ଆଇଟି କମ୍ପାନିଗୁଡ଼ିକରେ କନ୍ନଡ଼ ଲୋକଙ୍କୁ ଚାକିରି ସୁଯୋଗ ମିଳୁନଥିବା ଅଭିଯୋଗ ଉପରେ ଶିବକୁମାର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଉଛନ୍ତି। ଯଦି ଘରୋଇ କମ୍ପାନିଗୁଡ଼ିକ ରାଜ୍ୟର କନ୍ନଡ଼ ଲୋକମାନଙ୍କୁ ଜାଣିଶୁଣି ଚାକିରି ସୁଯୋଗରୁ ବଞ୍ଚିତ କରନ୍ତି, ତେବେ ସରକାର ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ସେ କହିଛନ୍ତି ଯେ, କନ୍ନଡ଼ମାନଙ୍କ ଅଧିକାର, ମର୍ଯ୍ୟାଦା ଓ ନିଯୁକ୍ତି ସୁଯୋଗକୁ ଅଣଦେଖା କରାଯିବାକୁ ବରଦାସ୍ତ କରାଯିବ ନାହିଁ। ଶିବକୁମାର ଏକ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଭାବରେ ବେଙ୍ଗାଲୁରୁର ସ୍ଥିତି ଉପରେ ମଧ୍ୟ ଆଲୋକପାତ କରିଥିଲେ। କହିଥିଲେ ଯେ, ରାଜ୍ୟ ଏହାର ସ୍ଥାନୀୟ କର୍ମଚାରୀଙ୍କ ଦକ୍ଷତା ଓ ପ୍ରତିଭା ଉପରେ ଗର୍ବ କରେ। ସେ ଚେତାବନୀ ଦେଇଥିଲେ ଯେ, କନ୍ନଡ଼ ପ୍ରାର୍ଥୀଙ୍କ ପ୍ରତି ଜାଣିଶୁଣି ପକ୍ଷପାତ କରୁଥିବା କମ୍ପାନିଗୁଡ଼ିକ ସରକାରୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରେ।
ସୌଜନ୍ୟ ସମ୍ବାଦ




