ଜାତୀୟ

Middle East Conflict: ଜଳୁଛି ବିଶ୍ବର ସର୍ବବୃହତ ଗ୍ୟାସ୍‌ ପ୍ରକ୍ରିୟାକରଣ ପ୍ଲାଣ୍ଟ୍‌

ମଧ୍ୟପ୍ରାଚ୍ୟ ଏବେ ଏକ ଭୟଙ୍କର ଅର୍ଥନୈତିକ ଯୁଦ୍ଧର ସମ୍ମୁଖୀନ ହୋଇଛି। ଇରାନ ପ୍ରତିରକ୍ଷା ବାହିନୀ ଆଜି କୁଏତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଶକ୍ତି କେନ୍ଦ୍ର ଏବଂ ଜଳ ବିଶୋଧନ କେନ୍ଦ୍ରଗୁଡ଼ିକୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରି ଭୀଷଣ କ୍ଷୟକ୍ଷତି ଘଟାଇଛନ୍ତି।

ତେହେରାନ/ୱାସିଂଟନ: ମଧ୍ୟପ୍ରାଚ୍ୟ ଏବେ ଏକ ଭୟଙ୍କର ଅର୍ଥନୈତିକ ଯୁଦ୍ଧର ସମ୍ମୁଖୀନ ହୋଇଛି। ଇରାନ ପ୍ରତିରକ୍ଷା ବାହିନୀ ଆଜି କୁଏତ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଶକ୍ତି କେନ୍ଦ୍ର ଏବଂ ଜଳ ବିଶୋଧନ କେନ୍ଦ୍ରଗୁଡ଼ିକୁ ଯୋଜନାବଦ୍ଧ ଭାବେ ଟାର୍ଗେଟ କରି ଭୀଷଣ କ୍ଷୟକ୍ଷତି ଘଟାଇଛନ୍ତି। ତେହେରାନର ଏକ ରଣନୈତିକ ପରିବର୍ତ୍ତନ ଉପସାଗରୀୟ ଅଂଚଳରେ ଆତଙ୍କ ଖେଳାଇ ଦେଇଛି। ଏହା କେବଳ ସାମରିକ ପ୍ରତିରୋଧ ନୁହେଁ, ବରଂ ପାରସ୍ପରିକ ବିନାଶ ପାଇଁ ଯୋଜନାବଦ୍ଧ ରଣନୀତି ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି। ଇରାନ ଏହା ଦର୍ଶାଇବାକୁ ଚାହୁଛି ଯେ ଯଦି ଆମେରିକା ଇରାନର ଅର୍ଥନୀତିକୁ ପଙ୍ଗୁ କରିଦିଏ, ତେବେ କୌଣସି ପଡ଼ୋଶୀ ତୈଳ ରପ୍ତାନିକାରୀ ଦେଶ ମଧ୍ୟ ସୁରକ୍ଷିତ ରହିବେ ନାହିଁ। ଏହି ସଂଘର୍ଷ ଏବେ କେବଳ ହର୍ମୁଜ ପ୍ରଣାଳୀ ବା ପରମାଣୁ କାର୍ଯ୍ୟକ୍ରମରେ ସୀମିତ ନାହିଁ, ବରଂ ବିଶ୍ୱ ଶକ୍ତି ବଜାରର ମେରୁଦଣ୍ଡ କୁହାଯାଉଥିବା ଭିତ୍ତିଭୂମିକୁ ଛାରଖାର କରିବା ପାଇଁ ଏକ ସଂଗ୍ରାମରେ ପରିଣତ ହୋଇଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ବିଦ୍ୟୁତ୍ ଏବଂ ପରିବହନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଧମକ ଦେବା ପରେ ସଙ୍କଟ ଆହୁରି ଗମ୍ଭୀର ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଇରାନର ମିସାଇଲ୍ ଏବଂ ଡ୍ରୋନ୍ ଆକ୍ରମଣ କୁଏତର ମିନା ଅଲ-ଅହମ୍ମଦୀ ତୈଳ ବିଶୋଧନାଗାର ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଜଳ ବିଶୋଧନ ପ୍ଲାଣ୍ଟକୁ କ୍ଷତିଗ୍ରସ୍ତ କରିଛି। ଆଜି ଆବୁ ଧାବିର ବିଶ୍ୱର ଅନ୍ୟତମ ବୃହତ୍ତମ ଗ୍ୟାସ୍ ପ୍ରକ୍ରିୟାକରଣ କେନ୍ଦ୍ର ‘ହବଶାନ୍’ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଡ୍ରୋନ୍‌ ଓ କ୍ଷେପଣାସ୍ତ୍ରର ଧ୍ବଂସାବ‌ଶେଷ ପଡ଼ିବା ପରେ ଏହି କେନ୍ଦ୍ରରେ ନିଆଁ ଲଗିଯାଇଛି ଏବଂ ଲିଭାଇବା ପ୍ରକ୍ରିୟା ଜାରି ରହିଛି। ମରୁଭୂମି ଅଞ୍ଚଳରେ ରହୁଥିବା ସାଧାରଣ ଜନତାଙ୍କ ପାଇଁ ଏହି ଜଳ ପ୍ରକଳ୍ପଗୁଡ଼ିକ ଜୀବନରେଖା ସଦୃଶ ହୋଇଥିବାରୁ ଏହି ଆକ୍ରମଣ ଗଲ୍ଫ ସହଯୋଗ ପରିଷଦ (ଜିସିସି) ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ସେହିପରି ୟୁଏଇରେ ଆମାଜନ ଏବଂ ଓରାକଲ୍ ଭଳି ପଶ୍ଚିମ ଟେକ୍ କମ୍ପାନିଗୁଡ଼ିକର ଡାଟା ସେଣ୍ଟର ଏବଂ ଏକ ପ୍ରମୁଖ ଗ୍ୟାସ ପ୍ଲାଣ୍ଟ ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button