ଜାତୀୟ

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ ଓ କ୍ରିଉ ସଦସ୍ୟ ଆହତ ହୋଇଥିଲେ। ତେବେ ସେତେବେଳେ ଏଆଇ୨୩୭୯ ବିମାନ ଚଳାଉଥିବା ପାଇଲଟ୍‌-ଇନ୍‌ କମାଣ୍ଡ ଗଞ୍ଜେଇ ଖାଇଥିବା ନେଇ ଦ୍ୱିତୀୟ ଡୋପ୍‌ ଟେଷ୍ଟରୁ ସ୍ପଷ୍ଟ ହୋଇଛି। ଘଟଣା ପରେ ବିମାନର ଉଭୟ ପାଇଲଟ୍‌ଙ୍କ ଡୋପ୍‌ ଟେଷ୍ଟ କରାଯାଇଥିଲା। ତେବେ ପାଇଲଟ୍‌-ଇନ୍‌-କମାଣ୍ଡଙ୍କ ପ୍ରାରମ୍ଭିକ ପରୀକ୍ଷା ଅଧିକ ସ୍ପଷ୍ଟ କରାଯିବା ଆବଶ୍ୟକ ହୋଇଥିଲା। ଫଳରେ ତାଙ୍କ ନମୁନା ନିର୍ଦ୍ଦିଷ୍ଟ ଲାବରେଟୋରିକୁ ପଠାଯାଇଥିଲା। ଉକ୍ତ କନ୍‌ଫର୍ମେଶନ ପରୀକ୍ଷାରୁ ମାରିଜୁଆନା(ଗଞ୍ଜେଇ) ପଜିଟିଭ୍‌ ରିପୋର୍ଟ ଆସିଥିବା ସୂତ୍ରରୁ କୁହାଯାଇଛି। ତଦନ୍ତ ଜାରି ରହିଥିବାରୁ ଉଭୟ ପାଇଲଟ୍‌ଙ୍କୁ ଡ୍ୟୁଟିରୁ ବାଦ୍‌ ଦିଆଯାଇଛି।
ଏୟାର ଇଣ୍ଡିଆର ଏୟାରବସ୍‌ ଏ୩୨୦ ଗତ ୪ ତାରିଖରେ ଫୁକେଟ୍‌୍‌ରୁ ଦିଲ୍ଲୀ ଯାଉଥିବାବେଳେ ନିର୍ଦ୍ଦିଷ୍ଟ ଉଚ୍ଚତାରୁ ହଠାତ ୩୦୦ ଫୁଟ୍‌ ଖସିଆସିବାରୁ ୪ କ୍ରିଉଙ୍କ ସମେତ ୧୭ ଜଣ ଆହତ ହୋଇଥିଲେ। ବିମାନରେ ୨ ପାଇଲଟ, ୬ କ୍ରିଉ ସଦସ୍ୟ ଥିବାବେଳେ ୩ ଶିଶୁଙ୍କ ସମେତ ୧୩୭ ଜଣ ଯାତ୍ରୀ ଥିଲେ। ୫ ମିନିଟ୍‌ ଟର୍ବୁଲାନ୍ସ ପରେ ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏହାକୁ ଗମ୍ଭୀର ଘଟଣା କହିବା ପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେଶନ ବ୍ୟୁରୋ ଏହାର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଥିଲା। ପରୀକ୍ଷା ପାଇଁ ବିମାନର ଡାଟା ରେକର୍ଡର ଓ କକ୍‌ପିଟ୍‌ ଭଏସ୍‌ ରେକର୍ଡରକୁ ସୁରକ୍ଷିତ ଭାବେ ରଖାଯାଇଛି।
ଟର୍ବୁଲାନ୍ସ ଘଟଣାରେ ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ୍‌ ଓ୍ବିଲସନ୍‌, ବରିଷ୍ଠ ଏୟାରଲାଇନ୍‌ ଏକ୍‌ଜିକ୍ୟୁଟିଭ୍‌ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ସଚିବ ସମୀର କୁମାର ସିହ୍ନା ଓ ଅନ୍ୟ ଅଧିକାରୀମାନଙ୍କୁ ଭେଟିଛନ୍ତି। ଉକ୍ତ ବୈଠକରେ ଟାଟା ସନ୍ସ ଅଧ୍ୟକ୍ଷଙ୍କ କାର୍ଯ୍ୟନିର୍ବାହୀ ଉପଦେଷ୍ଟା ତଥା ପୂର୍ବତନ ସିଭିଏ ଆଭିଏଶନ ସଚିବ ପ୍ରଦୀପ ସିଂ ଖାରୋଲାଙ୍କ ସମେତ ଏୟାର ଇଣ୍ଡିଆ ବିମାନ ଚଳାଚଳ ସୁରକ୍ଷା ମୁଖ୍ୟ ଦୀପକ ଜୋଷୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button