Sindhu Water Treaty: ହେଗ୍ସ୍ଥିତ ମଧ୍ୟସ୍ଥତା କୋର୍ଟର ସିନ୍ଧୁଜଳ ଚୁକ୍ତିନାମା ଆୱାର୍ଡକୁ ଭାରତର ପ୍ରତ୍ୟାଖ୍ୟାନ
ସିନ୍ଧୁଜଳ ଚୁକ୍ତିନାମା ସମ୍ପର୍କରେ ହେଗ୍ସ୍ଥିତ ମଧ୍ୟସ୍ଥତା କୋର୍ଟ ପକ୍ଷରୁ ଦିଆଯାଇଥିବା ଆୱାର୍ଡକୁ ଭାରତ ସୋମବାର ପ୍ରତ୍ୟାଖ୍ୟାନ କରିଛି। ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଏହି କୋର୍ଟ ଚୁକ୍ତିନାମାର ବ୍ୟବସ୍ଥାକୁ ଉଲ୍ଲଂଘନ କରି ଗଠିତ ହୋଇଥିବାରୁ ଭାରତ ଏହାର ଆଇନଗତ ଅସ୍ତିତ୍ୱ କିମ୍ବା ଅଧିକାରକୁ କେବେ ସ୍ୱୀକାର କରିନାହିଁ

ନୂଆଦିଲ୍ଲୀ: ସିନ୍ଧୁଜଳ ଚୁକ୍ତିନାମା ସମ୍ପର୍କରେ ହେଗ୍ସ୍ଥିତ ମଧ୍ୟସ୍ଥତା କୋର୍ଟ ପକ୍ଷରୁ ଦିଆଯାଇଥିବା ଆୱାର୍ଡକୁ ଭାରତ ସୋମବାର ପ୍ରତ୍ୟାଖ୍ୟାନ କରିଛି। ବିଦେଶ ମନ୍ତ୍ରଣାଳୟକହିଛି ଯେ, ଏହି କୋର୍ଟ ଚୁକ୍ତିନାମାର ବ୍ୟବସ୍ଥାକୁ ଉଲ୍ଲଂଘନ କରି ଗଠିତ ହୋଇଥିବାରୁ ଭାରତ ଏହାର ଆଇନଗତ ଅସ୍ତିତ୍ୱ କିମ୍ବା ଅଧିକାରକୁ କେବେ ସ୍ୱୀକାର କରିନାହିଁ। ତେଣୁ ଏହାର ନିଷ୍ପତ୍ତି ଭାରତର ସାର୍ବଭୌମ ନିଷ୍ପତ୍ତି କିମ୍ବା ପ୍ରକଳ୍ପ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।
କୋର୍ଟ ଚୁକ୍ତିନାମାର ସ୍ଥିତି ଓ ଅନ୍ତରୀଣ ପଦକ୍ଷେପ ସମ୍ପର୍କରେ ଦେଇଥିବା ଆୱାର୍ଡରେ ସିନ୍ଧୁଜଳ ଚୁକ୍ତିନାମା ବଳବତ୍ତର ଥିବା ଦର୍ଶାଇ ଭାରତକୁ ଏହାର ଦାୟିତ୍ୱ ପାଳନ କରିବାକୁ କହିଛି। ଜମ୍ମୁ-କାଶ୍ମୀରର ରତଲେ ଜଳବିଦ୍ୟୁତ୍ ପ୍ରକଳ୍ପ ସମ୍ପର୍କରେ ମଧ୍ୟ କିଛି ନିର୍ମାଣ କାର୍ଯ୍ୟ ଉପରେ ଅନ୍ତରୀଣ ପ୍ରତିବନ୍ଧକ ଲଗାଇଛି। ତେବେ ଭାରତ କହିଛି, ଏହି ଆୱାର୍ଡକୁ ଗ୍ରହଣ କରିବାର ପ୍ରଶ୍ନ ଉଠୁନାହିଁ। ମନ୍ତ୍ରଣାଳୟ ଅନୁଯାୟୀ, ବିଶ୍ୱବ୍ୟାଙ୍କ ଦ୍ୱାରା ଗଠିତ ଏହି କୋର୍ଟର ଗଠନ ପ୍ରକ୍ରିୟା ସ୍ବୟଂ ସିନ୍ଧୁଜଳ ଚୁକ୍ତିନାମାର ଗୁରୁତର ଉଲ୍ଲଂଘନ। ଭାରତ କେବେ ମଧ୍ୟ ଏହି କୋର୍ଟ ସମ୍ମୁଖରେ ହାଜର ହୋଇନାହିଁ କିମ୍ବା ଏହାର ପୂର୍ବ ନିଷ୍ପତ୍ତିଗୁଡ଼ିକୁ ମଧ୍ୟ ଗ୍ରହଣ କରିନାହିଁ। କୋର୍ଟର ଏହି ଆୱାର୍ଡ ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଭାରତର କୌଣସି ସାର୍ବଭୌମ ନିଷ୍ପତ୍ତି ଉପରେ ପ୍ରଭାବ ପକାଇବ ନାହିଁ ବୋଲି ମନ୍ତ୍ରଣାଳୟ କହିଛି।
ସୌଜନ୍ୟ ସମ୍ବାଦ




