SIR in Odisha: ଆଜିଠାରୁ ଓଡ଼ିଶାରେ ଏସ୍‌ଆଇଆର୍‌: ଜୁନ୍‌ ୨୮ ପର୍ଯ୍ୟନ୍ତ ଘରକୁ ଘର ଯିବେ ବିଏଲ୍‌ଓ

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)। ଜୁନ୍‌ ୨୮ ତାରିଖ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନେ ଘରକୁ ଘର ପରିଦର୍ଶନ କରି ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିପାଇଁ ବିଏଲ୍‌ଓଙ୍କ ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି। ଜଣେ ବି ଯୋଗ୍ୟ ଭାରତୀୟ ଯେପରି ଭୋଟର ତାଲିକାରୁ ବାଦ୍‌ ନ ପଡ଼ିବେ ସେଥିପାଇଁ ବିଏଲ୍‌ଓମାନଙ୍କୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍‌ ଗୋପାଳନ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଲେ, ଭୋଟରଙ୍କୁ ଦିଆଯାଉଥିବା ଫର୍ମରେ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଓ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ବିଏଲଓମାନେ ପରିଦର୍ଶନ ସମୟରେ ସେମାନଙ୍କର ତଥ୍ୟ ଯାଞ୍ଚ ଓ ସାମାନ୍ୟ ତ୍ରୁଟିକୁ ସଂଶୋଧନ କରିବେ। ସମୁଦାୟ ୪୫ ହଜାର ୨୫୫ ଜଣ ବିଏଲ୍‌ଓ ଫର୍ମ ବଣ୍ଟନ କାର୍ଯ୍ୟରେ ସାମିଲ ହେବେ। ଏସ୍‌ଆଇଆର୍‌ ପ୍ରସ୍ତୁତି ପର୍ଯ୍ୟାୟରେ ରାଜ୍ୟର ୩ କୋଟି ୧୬ ଲକ୍ଷ ୩ ହଜାର ୩୨୩ ଭୋଟର ଅର୍ଥାତ୍ ୯୪.୬୧% ଜଣଙ୍କ ୨୦୦୨ ମସିହାରେ ପ୍ରକାଶିତ ଶେଷ ଏସ୍‌ଆଇଆର୍‌ ଭୋଟର ତାଲିକା ସହିତ ମ୍ୟାପିଂ କରାଯାଇଛି। ୧୭% ଭୋଟରଙ୍କ କ୍ଷେତ୍ରରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇଛି। ପ୍ରାକ୍‌ ଏସ୍‌ଆଇଆର୍‌ ପର୍ଯ୍ୟାୟରେ ଯେଉଁ ଭୋଟରଙ୍କ ମ୍ୟାପିଂ ହୋଇ ପାରି ନ ଥିଲା ସେମାନେ ଏସ୍‌ଆଇଆର୍‌ ସମୟରେ ଆବଶ୍ୟକ ସୂଚନା ଦାଖଲ କଲେ ସେମାନଙ୍କ ମ୍ୟାପିଂ ହୋଇପାରିବ। ସାମାନ୍ୟ ତ୍ରୁଟି ଥିବା ଭୋଟରଙ୍କ କ୍ଷେତ୍ରରେ ଯଦି କୌଣସିପ୍ରକାର ସମସ୍ୟା ଦେଖାଦିଏ ତା’  ହେଲେ ବିଏଲ୍‌ଓ ଏହା ଉପରେ ନିଷ୍ପତ୍ତି ନେଇପାରିବେ।
ସେହିପରି ଜୁନ୍‌ ୨୮ ତାରିଖ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ ପରେ ଜୁଲାଇ ୫ ତାରିଖରେ ଭୋଟର ତାଲିକା ପ୍ରକାଶ କରାଯିବ। ସେହିଦିନଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟ ହୋଇଛି। ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ନୋଟିସ୍‌ ପର୍ଯ୍ୟାୟ, ଦାବି ଓ ଆପତ୍ତିର ସମାଧାନ କରାଯିବ। ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏସ୍‌ଆଇଆରକୁ ସମ୍ପୂର୍ଣ୍ଣ ସ୍ବଚ୍ଛତା ସହ ଶେଷ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସବୁ ରାଜନୈତିକ ଦଳଙ୍କୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥ୍‌ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ତରଫରୁ ୩୩ ହଜାର ୨୬ ଜଣଙ୍କୁ ନିଯୁକ୍ତ କରାଯାଇଛି। ବିଜେପିରୁ ସର୍ବାଧିକ ୧୯ ହଜାର ୩୮୦, ବିଜେଡି ୮ ହଜାର ୮୮୧, କଂଗ୍ରେସ ୪ ହଜାର ୬୫୮, ସିପିଆଇଏମ୍‌ ୬୦, ବିଏସ୍‌ପି ପକ୍ଷରୁ ୪୭ ବିଏଲ୍‌ଏ ନିଯୁକ୍ତ ହୋଇଛନ୍ତି। ଆପ୍‌ ଓ ଏନ୍‌ପିପି ପକ୍ଷରୁ ଜଣେ ବି ନିୟୋଜିତ ହୋଇନାହାନ୍ତି।
ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ ବିଏଲଓଙ୍କ ଜରିଆରେ ଦୁଇଟି ଲେଖାଏଁ ପରିଗଣନା ଫର୍ମ ଦିଆଯିବ। ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲଓ ସଂଗ୍ରହ କରିବେ ଓ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ରସିଦ ବା ସ୍ୱୀକୃତିପତ୍ର ଭାବେ ଫେରସ୍ତ କରିବେ। ଭୋଟର ଚାହିଁଲେ ନିର୍ବାଚନ କମିସନଙ୍କ ସରକାରୀ ୱେବସାଇଟ୍ (voters.eci.gov.in)ରୁ ଏହି ଫର୍ମ ଡାଉନ୍‌ଲୋଡ୍ କରିପାରିବେ। ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ଅପ୍‌ଲୋଡ୍ କରିପାରିବେ। ଫର୍ମ ପୂରଣ କରିବାରେ କୌଣସି ସମସ୍ୟା ହେଲେ ବିଏଲଓ ସମ୍ପୃକ୍ତ ଭୋଟରଙ୍କୁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବେ। ଏହାସହ ନୂଆ ଭୋଟର ଭାବେ ନାମ ପଞ୍ଜୀକରଣ କରିବାକୁ ଚାହୁଁଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ବିଏଲଓ ସେହି ସମୟରେ ଫର୍ମ-୬ ସହ ସ୍ୱତନ୍ତ୍ର ଘୋଷଣାପତ୍ର ପ୍ରଦାନ କରିବେ।
ସେହିପରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏସ୍‌ଆଇଆର କାର୍ଯ୍ୟରେ ନିଯୁକ୍ତ ବିଏଲ୍‌ଓଙ୍କ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସକାଳ ୬ରୁ ଦିନ ୧୧ ଓ ଅପରାହ୍ଣ ୪ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କ୍ଷେତ୍ରସ୍ତରୀୟ କାର୍ଯ୍ୟ କରାଯିବ। ଦିନ ୧୨ରୁ ଅପରାହ୍ଣ ୩ଟା ଯାଏଁ କ୍ଷେତ୍ରସ୍ତରୀୟ କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭୋଟରଙ୍କଠାରୁ ପରିଗଣନା ଫର୍ମ ଗ୍ରହଣ କରିବା ପାଇଁ ପ୍ରତ୍ୟେକ ବିଏଲ୍‌ଓ ତାଙ୍କ ବୁଥ୍‌ରେ ଦିନ ୩ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ। ଏହା ସହ ବିଏଲ୍‌ଓମାନେ ଯଦି କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଓ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଗୋପୀନାଥ କୁଅଁର, ଉପସିଇଓ ଲକ୍ଷ୍ମୀପ୍ରସାଦ ସାହୁ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ