ସବୁକଥା ପରି ଇଣ୍ଟର୍ନେଟ୍ରେ ଏହାର ମଧ୍ୟ ଉତ୍ତର ରହିଛି। ସେଥିରୁ ବ୍ୟାପକ ପ୍ରସାରିତ ଉତ୍ତରଟି ହେଉଛି- ଶେଯକୁ ଯିବା ପୂର୍ବରୁ ଲହୁଣି ଖାଇଲେ ସୁଖନିଦ୍ରା ଆସେ। ଠିକ୍ ଶୋଇବା ପୂର୍ବରୁ ସାମାନ୍ୟ ଲହୁଣି ଖାଇଲେ ଆପଣଙ୍କ ରାତି ଆଉ ବିନିଦ୍ର ହେବନାହିଁ। ତେବେ ଏହା ସତ ନା ଏକ ଭାଇରାଲ୍ ଟ୍ରେଣ୍ଡ୍? ତା’ହେଲେ ଏ ପ୍ରସଙ୍ଗରେ ବିଶେଷଜ୍ଞଙ୍କ ମତ କ’ଣ?
ଗୁରୁଗାଓଁସ୍ଥିତ ଆର୍ଟେମିସ୍ ହସ୍ପିଟାଲ୍ସର କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ୍ ଡାକ୍ତର ଅଂଶୁଲ୍ ସିଂହ କହନ୍ତି, ‘‘ଏ ଟ୍ରେଣ୍ଡ୍ ସବୁ ବାୟୋହ୍ୟାକର୍ ଓ ୱେଲ୍ନେସ୍ ବ୍ଲଗର୍ମାନେ କରାଉଛନ୍ତି। ସେମାନଙ୍କର ଧାରଣା, ଶୋଇବା ଆଗରୁ ତେଲ ଜିନିଷ ଖାଇଲେ ସାରାରାତି ରକ୍ତଶର୍କରା ସ୍ଥିର ରହିବ। ସାମାନ୍ୟ ପୁଷ୍ଟିସାର, ଅତି ସାମାନ୍ୟ ଶ୍ବେତସାର ଓ ଅଧିକ ଚର୍ବିଜାତୀୟ ‘କିଟୋଜେନିକ୍’ ଆହାରରୁ ସେମାନେ ଏଭଳି ଧାରଣା କରନ୍ତି। ରାତିରେ ଭୋକ ନ ହେବା ଓ ଷ୍ଟ୍ରେସ୍ ହରମୋନ୍ଗୁଡ଼ିକୁ ବୃଦ୍ଧି ନ କରାଇ ଦେବା ଲାଗି ସାଧାରଣତଃ ‘କିଟୋଜେନିକ୍’ ଆହାର ଦିଆଯାଇଥାଏ। କିଛି ଲୋକ ବି କହୁଛନ୍ତି ଯେ, ଲହୁଣି ଖାଇବାରୁ ସେମାନଙ୍କର ଭଲ ନିଦ ହେଉଛି। ବ୍ୟକ୍ତିଗତ ଅନୁଭୂତି ଆଧାରିତ ହୋଇଥିଲେ ବି ଏଭଳି ପୋଷ୍ଟ୍ ଭାଇରାଲ୍ ହେଉଛି।’’
ହାଇଦ୍ରାବାଦସ୍ଥିତ ଏରେଟ୍ ହସପିଟାଲ୍ସର ଛାତି ଓ ନିଦ୍ରା ବିଭ୍ରାଟ ବିଭାଗ ମୁଖ୍ୟ ତଥା ବରିଷ୍ଠ ପରାମର୍ଶଦାତା ଡାକ୍ତର ନଳିନୀ ନଗଲ୍ଲା କହନ୍ତି, ‘‘ବିଜ୍ଞାନ ଦୃଷ୍ଟିରୁ ବିବେଚନା କଲେ ଲହୁଣି ସୁନିଦ୍ରାକାରକ ବୋଲି ସ୍ପଷ୍ଟ ପ୍ରମାଣ ନାହିଁ। ନିଦ୍ରା ସମସ୍ୟା ପାଇଁ ସରଳ ଉପାୟ ଖୋଜୁଥିବା ଲୋକ ହିଁ ଏଭଳି ଅପପ୍ରଚାର କରୁଛନ୍ତି। ତେଣୁ, ସେମାନଙ୍କ କଥା ଅନ୍ଲାଇନ୍ରେ ତ୍ବରିତ ପ୍ରସାରିତ ହୋଇଯାଉଛି।’’ ଏ ସଂକ୍ରାନ୍ତରେ ଡାକ୍ତର ନଳିନୀ ଆହୁରି କହନ୍ତି ଯେ, ଭୋକିଲା ଅବସ୍ଥାରେ ଶୋଇଲେ ଶରୀର ଶକ୍ତିର ଅଭାବ ଅନୁଭବ କରୁଥିବାରୁ ରାତିରେ ନିଦ ଭାଙ୍ଗିଯାଏ। ତେଣୁ, ଶୋଇବା ଆଗରୁ ଟିକେ ଚର୍ବିଜାତୀୟ ବା ପୁଷ୍ଟିକର ଖାଦ୍ୟ ଖାଇଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟ ପୂରିରହେ। ମୁଠାଏ ବାଦାମଜାତୀୟ ଶୁଖିଲା ଫଳ, କିଛି ବସାଦହି ବା ଟିକେ ଛେନା ଖାଇଲେ ବି ଦେହକୁ ଉପକାର ମିଳେ। ସୁତରାଂ ମେଲାଟନିନ୍ ଅଥବା ମାଗ୍ନେସିୟମ୍ ସମୃଦ୍ଧ ଖାଦ୍ୟ ଭଳି ଲହୁଣି ପ୍ରତ୍ୟକ୍ଷ ଭାବେ ନିଦ୍ରାକାରକ ନୁହେଁ। ଅବଶ୍ୟ ଲହୁଣିରେ ଅଧିକ ଚର୍ବି ଥିବାରୁ ତାହା ହଜମ କ୍ରିୟା ମନ୍ଥର କରିଦିଏ ଓ ପେଟପୂରା କରି ରଖେ। ଫଳରେ କେତେକ ଲୋକଙ୍କଠାରେ ପରିଲକ୍ଷିତ କ୍ଷୁଧାଜନିତ ନିଦ୍ରା ବିଭ୍ରାଟ ହ୍ରାସପାଏ। ଏହା ବ୍ୟତୀତ, ଲହୁଣି ସମସ୍ତଙ୍କ ଦେହରେ ଯାଏନାହିଁ। ଏଥିଯୋଗୁଁ କେତେକଙ୍କଠାରେ ଅମ୍ଳହାକୁଟି ହୋଇ ନିଦ୍ରା ବିଭ୍ରାଟ କରାଏ।
ସୌଜନ୍ୟ ସମ୍ବାଦ
