Snake: ସଂଘର୍ଷରେ ନାଗ ସାପ ଓ ପୋଷା କୁକୁରର ମୃତ୍ୟୁ

ବହୁ ଗେଲବସରରେ ପାଳିଥିଲେ ମାଲିକାଣୀ। ଗେଲରେ ଫୋନି ବୋଲି ନାଁ ଦେଇଥିଲେ। ମାଲିକାଣୀଙ୍କ ଋଣ ଶୁଝିବାକୁ ଯାଇ ଋଣୀ କରି ଦେଇ ଆରପାରିକୁ ଚାଲିଯାଇଛି ପୋଷା.............

ଭୁବନେଶ୍ବର: ବହୁ ଗେଲବସରରେ ପାଳିଥିଲେ ମାଲିକାଣୀ। ଗେଲରେ ଫୋନି ବୋଲି ନାଁ ଦେଇଥିଲେ। ମାଲିକାଣୀଙ୍କ ଋଣ ଶୁଝିବାକୁ ଯାଇ ଋଣୀ କରି ଦେଇ ଆରପାରିକୁ ଚାଲିଯାଇଛି ପୋଷା କୁକୁର ଫୋନି। ଆଜି ଏକ ବଡ଼ ନାଗ ସାପ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଫୋନି ଏହାକୁ ତଡ଼ିବାକୁ ଯାଇ ଜୀବନ ହାରିଛି। ଉଭୟ ନାଗ ସାପ ଓ ଫୋନି ଭିତରେ ଅଧଘଣ୍ଟାରୁ ଅଧିକ ସମୟ ସଂଘର୍ଷ ପରେ ଉଭୟ ପ୍ରାଣ ହରାଇଛନ୍ତି।

ଭୁବନେଶ୍ୱର ଚିଲି ପୋଖରୀ ଅଞ୍ଚଳର ଝୁନା ଜେନା ଫୋନି ସମେତ ୪ଟି କୁକୁରକୁ ପାଳିଥିଲେ। ଝୁନା ଆଜି ଘରେ ଏକୁଟିଆ ଥିଲା ବେଳେ ଅପରାହ୍ଣ ପ୍ରାୟ ୩ଟାରେ ହଠାତ୍ ପୋଷା କୁକୁରମାନେ ଜୋରରେ ଭୁକୁଥିବା ଶୁଣିଥିଲେ। ବାହାରକୁ ଆସି ଦେଖନ୍ତି ତ ଏକ ବଡ଼ ନାଗ ସାପ ସହ ୪ କୁକୁର ଭୀଷଣ ଲଢ଼େଇ କରୁଛନ୍ତି। ଏ ଭିତରେ ନାଗ ସାପ ବି ଚୋଟ ପରେ ଚୋଟ ମାରି ଚାଲିଥାଏ। କିନ୍ତୁ ଏହା କୁକୁରଙ୍କ ଦେହରେ ବାଜୁନଥାଏ। ଏଭଳି ସ୍ଥିତି ଦେଖି ଝୁନା କୁକୁରଙ୍କୁ ସାପକୁ ଛାଡ଼ି ପଳାଇ ଆସିବାକୁ କହିଥିଲେ। କଥା ମାନି ୩ଜଣ ପଳାଇ ଆସିଥିଲେ, କିନ୍ତୁ ୬ ବର୍ଷର ଡାଚସଣ୍ଡ୍‌ ପ୍ରଜାତିର ମାଇ ପୋଷା କୁକୁର ଫୋନିର ରାଗ କମିନଥିଲା। ସେ ସାପକୁ ମାରିବା ପର୍ଯ୍ୟନ୍ତ ଲାଗିଥିଲା। ନାଗ ସାପକୁ ମୁହଁରେ ଧରି ବାରମ୍ବାର ଝୁଣି ପକାଇଥିଲା।

 

ଏହି ସମୟରେ ନାଗ ସାପ ଫୋନିକୁ ଚୋଟ ମାରିଥିଲା। ପରେ କିଛି ଯୁବକ ପହଞ୍ଚି ଫୋନିକୁ ସାପଠାରୁ ଅଲଗା କରିଥିଲେ ସିନା, ସେତେବେଳେକୁ ସାପର ବିଷ ତାର ଦେହକୁ ଚହଟି ଯାଇଥିଲା ଓ ସେ ଗୁରୁତର ହେଇ ସାରିଥିଲା।ଝୁନାଙ୍କ ପରିବାର ଲୋକେ ଫୋନିକୁ ସହିଦନଗରସ୍ଥିତ ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ସେତେବେଳକୁ ଫୋନି ଆଖି ବୁଜି ସାରିଥିଲା। ସ୍ନେକ୍‌ ହେଲ୍‌ପ ଲାଇନ୍‌ ଟିମ୍‌ ପହଞ୍ଚିଲା ବେଳକୁ ଉଭୟ ସାପ ଓ କୁକୁରଙ୍କ ମୃତ୍ୟୁ ହୋଇ ସାରିଥିଲା। ଫୋନିର ଛାତି ପାଖରେ ଓ କାନରେ ରକ୍ତ ଦାଗ ଥିବା ସ୍ନେକ୍ ହେଲ୍‌ପ ଲାଇନ ସଦସ୍ୟ ଅରୁଣ ବରାଳ କହିଛନ୍ତି।  କୁକୁରମାନେ ସାପକୁ ମାରି ପାରନ୍ତି, କିନ୍ତୁ ସାପ ସହଜରେ କୁକୁରକୁ ମାରି ପାରେନି ବୋଲି ସ୍ନେକ୍ ହେଲ୍‌ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

 

 

Exit mobile version