South Africa: ଗାଡ଼ି ଉପରେ ୫୦% ଶୁଳ୍କ କଷିବ ଦକ୍ଷିଣ ଆଫ୍ରିକା

ଭାରତ ଓ ଚୀନର ଗାଡ଼ି ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ଉପରେ ଦକ୍ଷିଣ ଆଫ୍ରିକା ବିଚାର କରୁଛି। ସ୍ବଦେଶୀ କମ୍ପାନିଗୁଡ଼ିକୁ ସୁରକ୍ଷା ଦେବା ଲାଗି ଦକ୍ଷିଣ ଆଫ୍ରିକା ସରକାର ଆମଦାନୀ ଉପରେ ଚଢ଼ା ଶୁଳ୍କ ଲଗାଇବାକୁ ଚାହୁଛନ୍ତି

ନୂଆଦିଲ୍ଲୀ: ଭାରତ ଓ ଚୀନର ଗାଡ଼ି ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ଉପରେ ଦକ୍ଷିଣ ଆଫ୍ରିକା ବିଚାର କରୁଛି। ସ୍ବଦେଶୀ କମ୍ପାନିଗୁଡ଼ିକୁ ସୁରକ୍ଷା ଦେବା ଲାଗି ଦକ୍ଷିଣ ଆଫ୍ରିକା ସରକାର ଆମଦାନୀ ଉପରେ ଚଢ଼ା ଶୁଳ୍କ ଲଗାଇବାକୁ ଚାହୁଛନ୍ତି। ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତାବ ଉପରେ ବାଣିଜ୍ୟ, ଶିଳ୍ପ ଓ ପ୍ରତିଯୋଗିତା ବିଭାଗ ବିଚାର କରୁଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତିି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବାରୁ ରପ୍ତାନି ପ୍ରଭାବିତ ହୋଇଛି। ତା’ ସହିତ ଦକ୍ଷିଣ ଆଫ୍ରିକା ଶୁଳ୍କ ମିଶିଗଲେ ଭାରତରେ ଗାଡ଼ି ଉତ୍ପାଦନ କରୁଥିବା କମ୍ପାନିଗୁଡ଼ିକର ରପ୍ତାନି ହ୍ରାସ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାର ଅନ୍ତର୍ଜାତୀୟ ବାଣିଜ୍ୟ ପ୍ରଶାସନ କମିସନର କମିସନର ଆୟାବୋଙ୍ଗା କାୱେ କହିଛନ୍ତି ଯେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଥିବା ଗାଡ଼ି ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗିବ।

କିନ୍ତୁ ଉପକରଣ ଓ ଯନ୍ତ୍ରାଂଶ ଉପରେ ଶୁଳ୍କ ୧୦-୧୨ ପ୍ରତିଶତ ଭଳି କମ୍‌ ରହିଛି। ବିଭିନ୍ନ ଦେଶରୁ ଆସୁଥିବା ପାର୍ଟସ୍‌ ଓ ଯନ୍ତ୍ରାଂଶ ଉପରେ ଦକ୍ଷିଣ ଆଫ୍ରିକା ଭିନ୍ନ ଭିନ୍ନ ଶୁଳ୍କ ଲଗାଇବ। ଦକ୍ଷିଣ ଆଫ୍ରିକାର ଗାଡ଼ି ଆମଦାନିରେ ଭାରତ ଓ ଚୀନ୍‌ର ଭାଗ ଯଥାକ୍ରମେ ୫୩ ପ୍ରତିଶତ ଓ ୨୨ ପ୍ରତିଶତ ରହିଛି। ଗତ ଚାରି ବର୍ଷ ମଧ୍ୟରେ ଚୀନରୁ ଗାଡ଼ି ଆମଦାନି ୩୬୮ ପ୍ରତିଶତ ଓ ଭାରତରୁ ୧୩୫ ପ୍ରତିଶତ ବୃଦ୍ଧି ପାଇଛି। ସୁଲଭ ମୂଲ୍ୟର ଗାଡ଼ି କ୍ଷେତ୍ରରେ ପ୍ରତିଯୋଗିତା ତୀବ୍ର ରହିଛି। ସେହି ବର୍ଗରେ ଆମଦାନି ଗାଡ଼ି ସହ ସ୍ଥାନୀୟ କମ୍ପାନିଗୁଡ଼ିକ ପ୍ରତିଦ୍ବନ୍ଦ୍ବିତା କରିପାରୁନଥିବାରୁ ଦକ୍ଷିଣ ଆଫ୍ରିକା ଚିନ୍ତିତ ହୋଇପଡ଼ିଛି। ଦକ୍ଷିଣ ଆଫ୍ରିକାର ବାଣିଜ୍ୟ ବିଭାଗ ଟିକସ ସଂକ୍ରାନ୍ତରେ ଜାତୀୟ ଟ୍ରେଜେରି ସହ ଆଲୋଚନା କରୁଛି। ନୂଆ ବିଳାସପୂର୍ଣ୍ଣ କାର୍‌ ଉପରେ ଟିକସ ବଢ଼ାଇବା ଏବଂ ବର୍ତ୍ତମାନର ରିହାତି କ୍ରେଡିଟ୍‌ ସାର୍ଟିଫିକେଟ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଉପରେ ଦକ୍ଷିଣ ଆଫ୍ରିକା ବିଚାର କରୁଛି।

ସୌଜନ୍ୟ ସମ୍ବାଦ

Exit mobile version