YusufPathan: ୟୁସୁଫ ପଠାନଙ୍କୁ ଇସ୍ତଫା ଦେବାକୁ କୁହାଯିବା ଓ ସେ ମନା କରିବା ଖବର ମିଛ: ଗାଙ୍ଗୁଲି ଓ ପଠାନଙ୍କ ସ୍ପଷ୍ଟୀକରଣ

କୋଲକାତା: ଏକ ଗୁଜବ ପ୍ରଚାରିତ ହୋଇଛି ଯେ, ପଶ୍ଚିମବଙ୍ଗରେ କ୍ଷମତା ହରାଇବା ପରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ସଂସଦ ଯିବାକୁ ଚାହୁଛନ୍ତି। ସେଥିପାଇଁ ସେ ଲୋକସଭା ସାଂସଦ ୟୁସୁଫ୍ ପଠାନଙ୍କୁ କୁଆଡ଼େ ଇସ୍ତଫା ଦେବାକୁ ରାଜି କରାଇବା ପାଇଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଠାଇଥିଲେ, କିନ୍ତୁ ପଠାନ ଇସ୍ତଫା ଦେବାକୁ ମନା କରିଦେଇଥିଲେ। ପଠାନ ଇସ୍ତଫା ଦେଇଥିଲେ ମମତା ଉପନିର୍ବାଚନରେ ଜିତି ସଂସଦ ଯାଇଥାନ୍ତେ। କିନ୍ତୁ ସୌରଭ ଗାଙ୍ଗୁଲି ଏହି କଥାକୁ ଅସ୍ୱୀକାର କରିଛନ୍ତି। ଏପରିକି ପଠାନ ମଧ୍ୟ ଏଭଳି ଖବରକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି।
ତୃଣମୂଳ ମୁଖ୍ୟ ତଥା ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ମମତା ବାନାର୍ଜୀ ନିର୍ବାଚନୀ ପରାଜୟ ପରେ ବିଦ୍ରୋହ ମଧ୍ୟରେ ତାଙ୍କ ଦଳକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଛନ୍ତି। ସେ କେବଳ କ୍ଷମତା ହରାଇ ନାହାନ୍ତି ବରଂ ତାଙ୍କର ଭବାନୀପୁର ଦୁର୍ଗ ମଧ୍ୟ ହାତରୁ ଚାଲିଯାଇଛି। ତେଣୁ ସେ ବର୍ତ୍ତମାନ କୌଣସି ବିଧାନସଭା ସଦସ୍ୟ ନାହାନ୍ତି।
ଗତ ସପ୍ତାହରେ ଏକ ବଙ୍ଗଳା ଦୈନିକ ରିପୋର୍ଟ କରିଥିଲା ଯେ, ବଙ୍ଗଳା ରାଜନୀତିରେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଥିବାରୁ ବାନାର୍ଜୀ ଲୋକସଭା ମାର୍ଗ ନେଇପାରନ୍ତି। କିନ୍ତୁ ଲୋକସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଲେ ତୃଣମୂଳ ଦଳ ଏକ ଖାଲି ପଦବୀ ନିଶ୍ଚିତ କରିବାକୁ ପଡ଼ିବ। ରିପୋର୍ଟରେ ଦାବି କରାଯାଇଛି ଯେ, ପଠାନଙ୍କୁ ତାଙ୍କ ବହରମପୁର ଆସନ ଖାଲି କରିବାକୁ ରାଜି କରାଇବା ପାଇଁ ଦଳ ଗାଙ୍ଗୁଲିଙ୍କ ସାହାଯ୍ୟ ଲୋଡିଛି। କିନ୍ତୁ ପଠାନ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ଅଭିଷେକ ଜାତୀୟ ରାଜନୀତିରେ ପ୍ରାସଙ୍ଗିକ ରହିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଲାଗି ଦିଲ୍ଲୀରେ ସେମାନଙ୍କର ପ୍ରମୁଖ ସହଯୋଗୀଙ୍କ ସହ ଏକ ବୈଠକ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏହି ଦାବି ସାମ୍ନାକୁ ଆସିଛି।
ଗାଙ୍ଗୁଲି ଏହି ରିପୋର୍ଟକୁ ଭୁଲ ଓ ଅସତ୍ୟ ବୋଲି କହି ଖଣ୍ଡନ କରିଛନ୍ତି। ପୂର୍ବତନ କ୍ରିକେଟର ଏକ ବିବୃତିରେ କହିଛନ୍ତି, ମମତା ତାଙ୍କୁ କିଛି କହି ନାହାନ୍ତି କିମ୍ବା ସେ ପଠାନଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କରିନାହାନ୍ତି। ଏ ସମ୍ପର୍କରେ ଯାହା ପ୍ରକାଶ ପାଇଛି ତାହା ମିଥ୍ୟା। ଆଇପିଏଲ୍ରେ ଗାଙ୍ଗୁଲିଙ୍କ ସହ କିଛି ସମୟ ଖେଳିଥିବା ପୂର୍ବତନ କ୍ରିକେଟର ପଠାନ କହିଛନ୍ତି ଯେ, ମମତା ବାନାର୍ଜୀ ତାଙ୍କୁ କେବେ ବି ସାଂସଦ ପଦରୁ ଇସ୍ତଫା ଦେବାକୁ କହି ନାହାନ୍ତି। ପଠାନ ୨୦୨୪ରେ ତୃଣମୂଳ ଟିକେଟ୍ରେ ନିର୍ବାଚନ ଲଢ଼ି ବହରମପୁର ସାଂସଦ ହୋଇଥିଲେ।
ସୌଜନ୍ୟ ସମ୍ବାଦ




