ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ଋତୁସ୍ରାବକାଳୀନ ଛୁଟି ଆବେଦନକୁ ଶୁକ୍ରବାର ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ବାଧ୍ୟତାମୂଳକ ଋତୁସ୍ରାବ ଛୁଟି ମହିଳାମାନଙ୍କ ନିଯୁକ୍ତି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଯଦି ଆମେ ଏପରି ଆଇନ କରୁ ତେବେ ନିଯୁକ୍ତିଦାତାମାନେ ମହିଳାମାନଙ୍କୁ ନିଯୁକ୍ତି ଦେବେ ନାହିଁ। ସେମାନେ ତାଙ୍କୁ ଭିନ୍ନ ଦୃଷ୍ଟିକୋଣରେ ଦେଖିବେ। ଏଭଳି ଆଇନ କର୍ମଜୀବୀ ମହିଳାମାନଙ୍କ ମଧ୍ୟରେ ମାନସିକ ଭୟ କିମ୍ବା ପୁରୁଷଙ୍କ ତୁଳନାରେ ସେମାନେ ‘କମ୍’ ବୋଲି ସଙ୍କେତ ଯିବ। ଏହି ପ୍ରସଙ୍ଗରେ ପ୍ରଧାନ ବିଚାରପତି ଆବେଦନକାରୀଙ୍କୁ ଚେତାବନୀ ଦେଇ କହିଥିଲେ, ଆପଣ ନିଯୁକ୍ତିଦାତାଙ୍କ ମାନସିକତା ଜାଣି ନାହାନ୍ତି। ସଚେତନତା ଓ ସମ୍ବେଦନଶୀଳତା ଭିନ୍ନ କଥା। କିନ୍ତୁ ଯେଉଁ ମୁହୂର୍ତ୍ତରେ ଆପଣ ଋତୁସ୍ରାବ ଛୁଟିକୁ ବାଧ୍ୟତାମୂଳକ କରିବେ, ତା ପରବର୍ତ୍ତୀ ସ୍ଥିତି କର୍ମଜୀବୀ ମହିଳାଙ୍କ ପାଇଁ ଭଲ ହେବ ନାହିଁ।
ବିଶେଷ ଭାବରେ ଆବେଦନକାରୀ ଚାହୁଥିଲେ, ସୁପ୍ରିମ୍କୋର୍ଟ ମହିଳା କର୍ମଚାରୀ କିମ୍ବା ଛାତ୍ରୀମାନଙ୍କୁ ଋତୁସ୍ରାବ ସମୟରେ ଛୁଟି ଦେବାକୁ ନିଶ୍ଚିତ କରନ୍ତୁ। କିନ୍ତୁ ପ୍ରଧାନ ବିଚାରପତି ଏପରି ନିଷ୍ପତ୍ତି ମହିଳାମାନଙ୍କ ବିରୋଧରେ ହିଁ ଯିବ କହି ଖାରଜ କରିଦେଇଛନ୍ତି। ବରିଷ୍ଠ ଆଇନଜୀବୀ ଏମ୍ଆର୍ ସମ୍ସାଦ ଦର୍ଶାଇଥିଲେ, ୨୦୧୩ରେ କେରଳ ସରକାର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କୁ ଋତୁସ୍ରାବ ଛୁଟି ପ୍ରଦାନ କରିଥିଲେ। କିଛି ଘରୋଇ କମ୍ପାନି ମଧ୍ୟ ସମାନ ସୁବିଧା ଦେଇଛନ୍ତି। ଏହାର ଉତ୍ତରରେ ପ୍ରଧାନ ବିଚାରପତି କହିଥିଲେ, ଏହା ସ୍ୱେଚ୍ଛାକୃତ ବ୍ୟାପାର। ସ୍ବେଚ୍ଛାକୃତ ଭାବେ କେହି ବି ମହିଳାମାନଙ୍କୁ ଏପରି ସୁବିଧା ଦେବାରେ ବାରଣ ନାହିଁ। କିନ୍ତୁ ଏହାକୁ ଆଇନରେ ବାଧ୍ୟତାମୂଳକ କରିବା ଅର୍ଥ ସେମାନଙ୍କ କ୍ୟାରିୟର ପ୍ରଭାବିତ ହେବ।
