Supremecourt: ଭୋଟର ତାଲିକାରୁ ନିର୍ବାଚନ ଦାୟିତ୍ବ‌ରେ ଥିବା ଅଧିକାରୀଙ୍କ ନାଁ କଟିବା ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ପଶ୍ଚିମବଙ୍ଗରେ ନିର୍ବାଚନ ଦାୟିତ୍ବରେ ଥିବା ୬୫ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କର ଆବେଦନ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଯେଉଁମାନଙ୍କର ନାଁ ଏସ୍‌ଆଇଆର ପ୍ରକ୍ରିୟା ଦ୍ବାରା ଭୋଟର ତାଲିକାରୁ କଟିଯାଇଛି। ଏସ୍ଆଇଆର ପ୍ରକ୍ରିୟାରେ ଭୋଟର ତାଲିକାରୁ ନାଁ କଟିଥିବା ଲୋକଙ୍କ ପକ୍ଷ ରଖିଥିବା ବରିଷ୍ଠ ଆଇନଜୀବୀ ଏମଆର ଶାମଶାଦଙ୍କ ପକ୍ଷ ଶୁଣିବାପରେ ଖଣ୍ଡପୀଠ ଏହି ଆବେଦନର ଶୁଣାଣି ପାଇଁ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ ଏବଂ ବିପୁଲ ଏମ ପଞ୍ଚୋଲିଙ୍କ ଖଣ୍ଡପୀଠ କର୍ତ୍ତୃପକ୍ଷଙ୍କୁ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଡ୍ୟୁଟିରେ ଥିବା ଅଧିକାରୀଙ୍କ ନାଁ ଭୋଟର ତାଲିକାରେ ନଥିବାରୁ ସେମାନେ ସୁପ୍ରିମକାର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଶୁଣାଣି ସମୟରେ ଶାମଶାଦ କହିଛନ୍ତି, ୬୫ ଜଣ ଆବେଦନକାରୀ ନିର୍ବାଚନ ଡ୍ୟୁଟିରେ ଅଛନ୍ତି। ସେମାନଙ୍କ ଡ୍ୟୁଟି ଅର୍ଡରରେ ଏପିକ୍‌ ନମ୍ବର ଲେଖାଅଛି। କିନ୍ତୁ ଏବେ ଏହି ନମ୍ବର ଗୁଡ଼ିକୁ କାଟି ଦିଆଯାଇଛି। ନିର୍ବାଚନ ଦାୟିତ୍ବରେ ଥିବା ଏହି ଅଧିକାରୀମାନେ ଭୋଟ୍ ଦେଇପାରିବେନି। ତେବେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିବାକୁ ମନା କରିବା ସହ ଅପିଲେଟ୍‌ ଟ୍ରିବୁନାଲରେ ଆବେଦନ କରିବାପାଇଁ କହିଛନ୍ତି।

ସୌଜନ୍ୟ ସମ୍ବାଦ