Suspended: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ ବରିଷ୍ଠ ଅଧିକାରୀ ନିଲମ୍ବିତ, ୪୮ ଘଣ୍ଟାରୁ ଅଧିକ ଜେଲ୍ରେ ଥିଲେ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନକ୍ରମେ ୪୮ ଘଣ୍ଟାରୁ ଅଧିକ ସମୟ ଜେଲ୍ରେ ରହିଥିବା ଦୁଇ ବରିଷ୍ଠ ଅଧିକାରୀ ଅରୁଣ କୁମାର ବିଶ୍ୱାଳ ଓ ସୁଜିତ କୁମାର ରାଉଳ ନିଲମ୍ବିତ ହୋଇଛନ୍ତି।

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଦୁଇଟି ଭିନ୍ନ ଘଟଣାରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ୱିତ କରାଯାଇଛି। ଏହି ନିଲମ୍ୱନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
ଗିରଫ ହୋଇ ଜେଲ୍ କଷ୍ଟୋଡିରେ
ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର ବିଶ୍ୱାଳ ଗିରଫ ହୋଇ ଜେଲ୍ରେ ଥିଲେ। ସହକର୍ମୀ ଯୁବତୀଙ୍କ ଅଭିଯୋଗ ଆଧାରରେ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ ବିଶ୍ୱାଳଙ୍କୁ ଖାରବେଳ ନଗର ଥାନା ପୁଲିସ ଗିରଫ କରିଥିଲା। ଯୁବତୀ ଜଣକ ତାଙ୍କ ବିରୋଧରେ ଦୁଷ୍କର୍ମ, ଅପହରଣ ଓ ହତ୍ୟା ଅଭିଯୋଗ ଆଣିଥିଲେ। ଅଭିଯୋଗ ପରେ ପୁଲିସ ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। ଏହାପରେ ଅରୁଣ ବିଶ୍ୱାଳଙ୍କୁ ଗିରଫ କରାଯାଇ ଡାକ୍ତରୀ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।
ସେହିପରି, କଟକ ସର୍କଲ ଜେଲ୍ର ସିନିଅର ସୁପରିନ୍ଟେଣ୍ଡେଣ୍ଟ ସୁଜିତ କୁମାର ରାଉଳ ମଧ୍ୟ ଗିରଫ ହୋଇ ଜେଲ୍ କଷ୍ଟୋଡିରେ ଅଛନ୍ତି। ଜେଲ୍ରୁ ୨ ଅପରାଧୀ ଫେରାର ମାମଲାରେ ଗିରଫ ହୋଇ ଚୌଦ୍ବାର ସର୍କଲ ଜେଲ୍ ଯାଇଥିଲେ ସୁଜିତ୍। ସରକାରଙ୍କ ନିୟମ ଦୃଷ୍ଟିରୁ ଏହି ଉଭୟ ଅଧିକାରୀ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଜେଲ୍ରେ ରହିଥିବାରୁ ଉଭୟଙ୍କୁ ନିଲମ୍ୱିତ କରାଯାଇଛି।
ସୌଜନ୍ୟ ସମ୍ବାଦ




