ଛତ୍ରପୁର ୧୯/୦୩ : ଟମାଟୋ ଦର ତଳକୁ । କିଲୋ ୨ ଟଙ୍କା । ଚାଷୀ ମୁଣ୍ଡରେ ଚଡକ ପଡିଛି । ମାଟିରେ ମିଶୁଛି ଝାଳ ବୁହାଇ ଅମଳ କରିଥିବା ଟମାଟୋ । ବର୍ତମାନ ବଜାରରେ ଟମାଟୋ ଦର ଏଭଳି ସ୍ତରକୁ ଖସି ଆସିଛି ଯେ ଚାଷୀଟିଏ ତାର ଅମଳ ଖର୍ଚ୍ଚ ବି ଉଠାଇ ପାରୁନାହିଁ । ଏପରିକି ମଜୁରୀ ଦେବାକୁ ଅକ୍ଷମ ହେଉଥିବାରୁ ଚାଷୀ ଗଛରୁ ଟମାଟୋ ତୋଳିବାକୁ ବି ଅମଙ୍ଗ ହେଉଛନ୍ତି ।
ଖତ ସାର ଓ ରକ୍ତ ଭିଜା ପରିଶ୍ରମ ଦେଇ ଯେଉଁ ଫସଲକୁ ଚାଷୀ ବଢାଇଥିଲା ଆଜି ସେହି ଫସଲ ଉପରେ କୋହଭରା ମନରେ ଟ୍ରାକ୍ଟର ଚଲାଇବାକୁ ବାଧ୍ୟ ହୋଇଛି । ବଜାରରେ ଟମାଟୋ ଦର ଆଶାତୀତ ଭାବେ ହ୍ରାସ ପାଇବା ଫଳରେ ଚାଷୀର ଅଣ୍ଟା ଭାଙ୍ଗିଯାଇଛି । ଏପରିକି ଦୁଇ ଟଙ୍କା କିଲୋ ହୋଇଯାଇଥିଲା । ଶେଷରେ ଗଞ୍ଜାମ ବ୍ଲକର ମଧୁରଚୁଆ ଗ୍ରାମରେ ବହୁ ଚାଷୀ ନିଜ ଟମାଟୋ ଚାଷ କ୍ଷେତରେ ଟ୍ରାକ୍ଟର ବୁଲାଇ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଟମାଟୋ ଅମଳ ଅଧିକ ହୋଇଥିଲା । ଅମଳ ଅଧିକ ହେତୁ ତାହା ଉଚିତ ଦରରେ ବିକ୍ର ହୋଇପାରୁନଥିଲା ।
ଏପରିକି ଦର ହ୍ରାସ ପାଇ ୨ ଟଙ୍କା ହୋଇଯାଇଥିବା ଚାଷୀ କହିଛନ୍ତି । ଜମିରେ ଲାଲ ଟକଟକ ଫଳି ଥିବା ଟମାଟୋ ତୋଳିବା ପାଇଁ ମୂଲିଆ ଖର୍ଚ୍ଚ ମଧ୍ୟ ବାହାରିବ ନାହିଁ । ବାଧ୍ୟହୋଇ ଚାଷୀ ଜମିରେ ଥିବା ଟମାଟ କୁ ଗାଇକୁ ଖାଇବା କିମ୍ବା ନଷ୍ଟ କରିବା ଛଡା ଆମ ପାଖରେ ଅନ୍ୟ କୈାଣସି ବିକଳ୍ପ ନଥିବା କହିଥିଲେ । ଯଦି ପ୍ରଶାସନ କିମ୍ବା ସରକାର ଯଦି ସିଧାସଳଖ ଚାଷୀଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କ୍ରୟ କରିଥାନ୍ତେ ହୁଏତ ଆଜି ଏହି ଦୃଶ୍ୟ ଦେଖିବାକୁ ମିଳିନଥାନ୍ତା ବୋଲି କହିଥିଲେ ।
ଅଧିକାଂଶ ଚାଷୀ ଧାର କରଜ କରି ଟମାଟ ଚାଷ କରିଥିଲେ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ କରିବାକୁ ଦାବୀ ହୋଇଛି । ଉଚିତ ମୂଲ୍ୟ ଅଭାବରୁ ଲକ୍ଷ ଲକ୍ଷ ଟଙ୍କାର ଫସଲ ନଷ୍ଟ । ଗୋଟିଏ ଟ୍ରେ ରେ ୨୭ କେଜି ରହୁଥିବା ବେଳେ ବେପାରି ୬୦ ଟଙ୍କାରେ ମାଗୁଛି । କିନ୍ତୁ ତୋଲିବାକୁ ଜଣେ ମୂଲିଆ ପିଛା ୩ଶହ ଟଙ୍କା ଦେବାକୁ ପଡୁଛି । ଟମାଟ ତୋଳିବା ଅପେକ୍ଷା ଜମିରେ ନଷ୍ଟ କରିଦେବା ଭଲ ବୋଲି ଚାଷୀ କହିଛନ୍ତି ।
ଏହା କେବଳ ଆଜିର ସମସ୍ୟା ନାହିଁ ପ୍ରତିବର୍ଷ ଚାଷୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ ସୁଦ୍ଧା ସରକାରୀ ସ୍ତରରେ କୈାଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ । ହତାଶ ହୋଇପଡିଥିବା ଚାଷୀମାନେ ସରକାରଙ୍କ ନିକଟରେ କ୍ଷତିପୂରଣ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଦାବୀ ହୋଇଛି । ଯଦି ସରକାର ଆଗାମୀ ଦିନରେ ଚାଷୀଙ୍କ ଠାରୁ ସିଧାସଳଖ ଟମାଟ କିଣିବା ପାଇଁ ବ୍ୟବସ୍ଥା ନକରନ୍ତି ତେବେ ଚାଷୀ ଆର୍ଥିକ କ୍ଷତିଗସ୍ତ ସହିବେ । ଅନ୍ୟ ପକ୍ଷରେ ଗଞ୍ଜାମ ପ୍ରଶାସନ ପକ୍ଷରୁ ମଧ୍ୟ ଓରମାସ ଜରିଆରେ ଚାଷୀଙ୍କ ଠାରୁ ଟମାଟୋ କ୍ରୟ କରାଯାଇଛି ବୋଲି ଜିଲାପାଳ ଭି.କିର୍ତି ଭାସନ ସୂଚନା ଦେଇଛନ୍ତି ।
ସୌଜନ୍ୟ Prameya News7
