Tarique Rahman Will Be PM: ୧୭ ବର୍ଷର ନିର୍ବାସନ ପରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ତାରିକ ରହମାନ୍‌, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

ବାଂଲାଦେଶରେ ତାରିକ୍‌ ରହମାନଙ୍କ ନେତୃତ୍ବାଧୀନ ବିଏନ୍‌ପି ବୃହତ ବିଜୟ ଅଭିମୁଖେ ଅଗ୍ରସର ହେଉଛି। ଶେଖ୍‌ ହସିନା ଗାଦିଚ୍ୟୁତ ହେବା ପରେ ବାଂଲାଦେଶରେ ପ୍ରଥମ ଥର ଗୁରୁବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଢାକାବାଂଲାଦେଶରେ ତାରିକ୍‌ ରହମାନଙ୍କ ନେତୃତ୍ବାଧୀନ ବିଏନ୍‌ପି ବୃହତ ବିଜୟ ଅଭିମୁଖେ ଅଗ୍ରସର ହେଉଛି। ଶେଖ୍‌ ହସିନା ଗାଦିଚ୍ୟୁତ ହେବା ପରେ ବାଂଲାଦେଶରେ ପ୍ରଥମ ଥର ଗୁରୁବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମତଦାନ ପରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିଲା। ବିଏନ୍‌ପିର ବିଜୟ ପରେ ତାରିକ୍‌ ରହମାନ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ। ବିଏନ୍‌ପିର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାରିକ୍‌ ରହମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ବିଜୟ ବାଂଲାଦେଶର ଲୋକଙ୍କର ତାଙ୍କ ନେତୃତ୍ବ ପ୍ରତି ବିଶ୍ବାସକୁ ଦର୍ଶାଉଛି
ମୋଦୀ କହିଛନ୍ତି, ଏହି ବିଜୟ ବାଂଲାଦେଶର ଲୋକଙ୍କର ତାଙ୍କ ନେତୃତ୍ବ ପ୍ରତି ବିଶ୍ବାସକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ସର୍ବଦା ଏକ ଗଣତାନ୍ତ୍ରିକ, ପ୍ରଗତିଶୀଳ ଏବଂ ଅନ୍ତର୍ଭୁକ୍ତ ବାଂଲାଦେଶର ସମର୍ଥନରେ ରହିବ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭାରତ-ବାଂଲାଦେଶ ବହୁମୁଖୀ ସମ୍ପର୍କକୁ ଆହୁରି ମଜଭୁତ କରିବା ଏବଂ ଉଭୟ ଦେଶର ସହଭାଗୀ ବିକାଶ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ସେ ତାରିକ ରହମାନଙ୍କ ସହ କାମ କରିବାକୁ ଅପେକ୍ଷା କରିଛନ୍ତି। ତାରିକ୍‌ ୧୭ ବର୍ଷ ନିର୍ବାସନରେ ବ୍ରିଟେନରେ ରହିବା ପରେ ବାଂଲାଦେଶ ଫେରିଥିବାବେଳେ ଉଭୟ ଢାକା-୧୭ ଓ ବୋଗୁରା-୬ ଆସନରୁ ବିଜୟୀ ହୋଇଥିବା ନିର୍ବାଚନ କମିଶନଙ୍କ ଅନୌପଚାରିକ ଫଳାଫଳରୁ ଜଣାପଡ଼ିଛି।

ଆମେରିକା ଜଣାଇଲା ଅଭିନନ୍ଦନ
ଆମେରିକା ମଧ୍ୟ ରହମାନଙ୍କୁ ତାଙ୍କର ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଇଛି। ବାଂଲାଦେଶରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ବ୍ରେଣ୍ଟ ଟି କ୍ରିଷ୍ଟେନସେନ୍ ‘ଏକ୍ସ’ ରେ ସଫଳତାର ସହିତ ନିର୍ବାଚନ ଅନୁଷ୍ଠିତ ହେବା ବାଂଲାଦେଶର ଜନସାଧାରଣଙ୍କୁ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାରିକ ରହମାନଙ୍କୁ ତାଙ୍କର ଐତିହାସିକ ବିଜୟ ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଦୁଇ ଦେଶର ସମୃଦ୍ଧି ଏବଂ ସୁରକ୍ଷା ପାଇଁ ଆପଣଙ୍କ ସହିତ କାମ କରିବାକୁ ଆମେରିକା ଆଗ୍ରହୀ ବୋଲି କହିଛନ୍ତି।

ବିଏନପି ନିର୍ବାଚନ କମିଟି ମୁଖପାତ୍ର ମହଦି ଅମିନ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଦଳ ଅତି କମରେ ଦୁଇ-ତୃତୀୟାଂଶ ଆସନ ଜିତିବା ଦିଗରେ ବଢ଼ୁଛି, ସେ ଆହୁରି ମଧ୍ୟ କହିଛନ୍ତି ଯେ ତାରିକ ରହମାନ ଯେଉଁ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ସେ ଦୁଇଟି ଆସନ ଜିତିଛନ୍ତି। ବାଂଲାଦେଶରେ ୩୦୦ ଆସନରୁ ଗତକାଲି ୨୯୯ ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version