ତେଲଙ୍ଗାନା: ତେଲଙ୍ଗାନା ବିଧାନସଭାରେ ରବିବାର ଗୃହୀତ ହୋଇଛି ‘ତେଲଙ୍ଗାନା ଏମ୍ପ୍ଲଇଜ୍ ଆକାଉଣ୍ଟାବିଲିଟି ଆଣ୍ଡ୍ ମନିଟରିଂ ଅଫ୍ ପ୍ୟାରେଣ୍ଟାଲ ସର୍ପୋଟ ବିଲ୍୨୦୨୬’ । ବରିଷ୍ଠ ନାଗରିକଙ୍କ ଆର୍ଥିକ ନିରପତ୍ତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି । ଏହା ଅନୁସାରେ, ପିତାମାତାଙ୍କ ଯତ୍ନ ନ ନେଲେ ଉଭୟ ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କ ସମେତ ଜନପ୍ରତିନିଧିଙ୍କ ଦରମା କଟିବ । ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ କହିଛନ୍ତି, ଏହି ବିଲ୍ ଏବେର କେନ୍ଦ୍ରୀୟ ଆଇନଠାରୁ ଆଉ ପାଦେ ଆଗକୁ ଯାଇ କାମ କରିବ ।
ବିଲ୍ରେେ କିଏ କିଏ ଅନ୍ତର୍ଭୁକ୍ତ?
ଦେଶରେ ପୂର୍ବରୁ ‘ପିତାମାତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ-୨୦୦୭’ ରହିଛି । ତେବେ ତେଲଙ୍ଗାନାର ଏହି ନୂଆ ବିଲ୍ରେ ଜନପ୍ରତିନିଧି ଏବଂ ବେସରକାରୀ କର୍ମଚାରୀଙ୍କୁ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଥିବା ରେଡ୍ଡୀ ପ୍ରକାଶ କରିଛନ୍ତି । ଏହି ବିଲ୍ ଅନୁଯାୟୀ, ଜନ ପ୍ରତିନିଧି, ସରକାରୀ ଏବଂ ବେସରକାରୀ କର୍ମଚାରୀମାନେ ସେମାନଙ୍କ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ବାଧ୍ୟତାମୂଳକ । ଏହାର ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଦରମାରୁ ୧୫ ପ୍ରତିଶତ କିମ୍ବା ୧୦ ହଜାର ଟଙ୍କା (ଯେଉଁଟା କମ୍ ଥିବ) କଟିବ । ସେହି ଟଙ୍କା ସେମାନଙ୍କ ପିତାମାତାଙ୍କୁ ପ୍ରଦାନ କରାଯିବ ।
କଣ କହିଲେ ସିଏମ୍?
ମୁଖ୍ୟମନ୍ତ୍ରୀ ରେଡ୍ଡୀ ବ୍ୟବସାୟୀ ବିଜୟପତ ସିଂଘାନିଆଙ୍କ ଉଦାହରଣ ଦେଇଥିଲେ, ଯିଏ କି ତାଙ୍କର ସମସ୍ତ ସମ୍ପତ୍ତି ନିଜ ପୁଅକୁ ଦେଇଥିଲେ । ଏହାପରେ ତାଙ୍କୁ ଘରୁ ବାହାରିଯିବାକୁ ପଡ଼ିଥିଲା । ରେଡ୍ଡୀ ଆହୁରି କହିଛନ୍ତି, ରାଜ୍ୟ ସରକାର ସାମାଜିକ ଦାୟିତ୍ୱବୋଧ ଭାବେ ଏହି ବିଲ୍ ଆଣିଛନ୍ତି । ଏହା ଅନ୍ୟ ସାଧାରଣ ଆଇନ ପରି ନୁହେଁ । ଏହା ଲୋକଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ଜାଗ୍ରତ କରିବ । ଯେଉଁମାନେ ନିଜ ପିତାମାତାଙ୍କୁ ଅବହେଳା କରିବେ ସେମାନେ ଆଇନ ପରିସରକୁ ଆସିବେ । ଏପରି ହେଲେ ସେମାନେ ପିତାମାତାଙ୍କ ଯତ୍ନ ନେବାକୁ ବାଧ୍ୟ ହେବେ ।
ବିଲ୍ ଆସିବା ପଛର କାରଣ?
ଯେଉଁ ସନ୍ତାନମାନେ ପିତାମାତାଙ୍କୁ ଅବହେଳା କରୁଛନ୍ତି ସେମାନଙ୍କୁ ସଜାଡ଼ି ଠିକ୍ ବାଟକୁ ଆଣିବା ସମାଜର ଦାୟିତ୍ୱ । କିନ୍ତୁ ରାଜ୍ୟକୁ ଏଭଳି ଆଇନ ପ୍ରଣୟନ କରିବାକୁ ପଡ଼ିବା ଦୁର୍ଭାଗ୍ୟଜନକ । ଯେଉଁମାନେ ନିଜ ମାତାପିତାଙ୍କୁ ଅବହେଳା କରନ୍ତି ସେମାନଙ୍କର ସମାଜରେ ବଞ୍ଚି ରହିବାର ଅଧିକାର ନାହିଁ ବୋଲି ରେବନ୍ତ ରେଡ୍ଡୀ କହିଛନ୍ତି । ବିଜେପି ମଧ୍ୟ ଏହି ବିଲ୍କୁ ସମର୍ଥନ କରିଛି । ବିଜେପି ବିଧାୟକ ପାୟଲ ଶଙ୍କର କହିଛନ୍ତି, ଏପରି ବିଲ୍ ଅଣାଯିବା ପ୍ରଥମ ଘଟଣା । ତେବେ ଦଣ୍ଡ ବାବଦ ଆର୍ଥିକ ରାଶି ଅଧିକ ବୃଦ୍ଧି କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
ସୌଜନ୍ୟ Prameya News7
