ଦେଶ ବିଦେଶ

Kerala Congress: କେରଳ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତୀବ୍ର ବିବାଦ, ରାହୁଲ ଗାନ୍ଧୀ କ୍ଷୁବ୍ଧ

ନୂଆଦିଲ୍ଲୀ: କେରଳ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଏହି ସଙ୍କଟର ସମାଧାନ ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଦିଲ୍ଲୀ ବାସଭବନରେ ଏକ ତିନି ଘଣ୍ଟିଆ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ କେ.ସି. ବେଣୁଗୋପାଳ ନିଜ ପକ୍ଷ ରଖି କହିଥିଲେ ଯେ, କଂଗ୍ରେସ ବିଧାୟକ ଦଳର ୬୩ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣଙ୍କ ସମର୍ଥନ ତାଙ୍କ ସହ ରହିଛି। ଅନ୍ୟପଟେ ରମେଶ ଚେନ୍ନିଥାଲା ନିଜର ବରିଷ୍ଠତାକୁ ଆଧାର କରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଥିଲେ। ଭି.ଡି. ସତୀଶନ ୟୁଡିଏଫ୍ ସହଯୋଗୀ ଦଳ ଏବଂ ଜନମତ ତାଙ୍କ ସପକ୍ଷରେ ଥିବା ଦର୍ଶାଇଥିଲେ। ଏପରିକି ସୂଚନା ଅନୁସାରେ, ସତୀଶନ ହାଇକମାଣ୍ଡଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ନମିଳେ, ତେବେ ସେ ଅନ୍ୟ କୌଣସି ପଦବି ଗ୍ରହଣ କରିବେ ନାହିଁ।

ଏହି ବିବାଦ ବଢ଼ୁଥିବା ଦେଖି ତିନି ନେତା ସର୍ବସାଧାରଣରେ ବିରୋଧ ପ୍ରଦର୍ଶନ ନକରିବାକୁ ନିଜ ସମର୍ଥକମାନଙ୍କୁ ନିବେଦନ କରିବାକୁ ସହମତ ହୋଇଛନ୍ତି। ଭି.ଡି. ସତୀଶନ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା ଫ୍ଲେକ୍ସ ବୋର୍ଡ ଓ ବ୍ୟାନର ହଟାଇବାକୁ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଆଇସିସି ସାଧାରଣ ସମ୍ପାଦକ ତଥା କେରଳ ପ୍ରଭାରୀ ଦୀପା ଦାସମୁନସୀ କହିଛନ୍ତି ଯେ, ଉପଯୁକ୍ତ ସମୟରେ ଖୁବ୍ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। କର୍ମୀମାନଙ୍କ ଏଭଳି ଆଚରଣକୁ ସେ ନିନ୍ଦା କରିବା ସହ ଏହା କଂଗ୍ରେସ ସଂସ୍କୃତିର ବିରୋଧୀ ବୋଲି କହିଛନ୍ତି। ଏହି ବୈଠକରେ ଏଆଇସିସି ପର୍ଯ୍ୟବେକ୍ଷକ ଅଜୟ ମାକେନ ଏବଂ ମୁକୁଲ ୱାସନିକ ମଧ୍ୟ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Show More
Back to top button