ରାଜ୍ୟ

Additional budget of ₹24,150 crore: ୨୪,୧୫୦ କୋଟିର ଅତିରିକ୍ତ ବଜେଟ୍‌: ୭୪% କାର୍ଯ୍ୟକ୍ରମ ବ୍ୟୟ, ୭ଟି ନୂଆ ପଦକ୍ଷେପ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ୨୦୨୫-୨୬ ଆର୍ଥିକ ବର୍ଷରେ ଆଗତ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌...

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୨୪,୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ୨୦୨୫-୨୬ ଆର୍ଥିକ ବର୍ଷରେ ଆଗତ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ତୁଳନାରେ ୬,୭୧୦ କୋଟି ଟଙ୍କା (୩୮.୪୭%) ଅଧିକ। ସବୁ କ୍ଷେତ୍ରକୁ ବ୍ୟାପକ ଭାବେ ଅର୍ଥ ଆବଣ୍ଟନ କରିବା ବଦଳରେ କେବଳ ନିର୍ଦ୍ଦିଷ୍ଟ କିଛି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପ୍ରଶମନକୁ ସିଂହଭାଗ ଆବଣ୍ଟନ କରାଯାଇଛି। ମୋଟ ଅତିରିକ୍ତ ବଜେଟ୍‌ର ୭୪.୪୯% (୧୭,୯୯୦ କୋଟି ଟଙ୍କା) ଅର୍ଥକୁ କାର୍ଯ୍ୟକ୍ରମ ବ୍ୟୟ ପାଇଁ ବରାଦ କରାଯାଇଛି। କୃଷି, ସ୍ବାସ୍ଥ୍ୟସେବା, ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ ବିକାଶକୁ ମଧ୍ୟ ଅର୍ଥ ଆବଣ୍ଟନ କରାଯାଇଛି। ପ୍ରଶାସନିକ ବ୍ୟୟ ବାବଦରେ ୧୦୬୦ କୋଟି ଟଙ୍କା ଓ ବିପର୍ଯ୍ୟୟ ପ୍ରଶମନ ପାଇଁ ୫୧୦୦ କୋଟି ଟଙ୍କା ଦିଆଯାଇଛି। କାର୍ଯ୍ୟକ୍ରମ ବ୍ୟୟବର୍ଗରେ ରାଜ୍ୟସ୍ତରୀୟ ଯୋଜନାକୁ ୧୭,୨୨୮ କୋଟି ଟଙ୍କା, କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାକୁ ୩୪୪୨ କୋଟି ଟଙ୍କା ଓ କେନ୍ଦ୍ରୀୟ ସ୍ତରୀୟ ଯୋଜନାକୁ ୩୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିମଧ୍ୟରୁ ଆଦିବାସୀ ଉପଯୋଜନା ଅଧୀନରେ ୩୭୬୫ କୋଟି ଟଙ୍କା ଓ ଅନୁସୂଚିତ ଜାତି ଉପଯୋଜନାକୁ ୨୬୪୬ କୋଟି ଟଙ୍କା ତଥା ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ୨୩୫୯ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକବର୍ଷ ପାଇଁ ୩.୧୦ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଆଗତ କରିଥିଲେ। ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଓ ନୂଆ ଯୋଜନାଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଏବଂ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ପାଇଁ ଅଧିକ ପାଣ୍ଠି ଆବଶ୍ୟକ ହେବାରୁ ଅତିରିକ୍ତ ବଜେଟ୍‌ ଅଣାଯାଇଛି। ଏହାସତ୍ତ୍ବେ ଓଡ଼ିଶା ରାଜସ୍ବ ବଳକା ରାଜ୍ୟ ହୋଇରହିବ। ‌ବିତ୍ତୀୟ ନିଅଣ୍ଟ ମୋଟ୍‌ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୩% ମଧ୍ୟରେ ସୀମିତ ରହିବ। ଜିଏସ୍‌ଡିପିକୁ ଋଣ ଅନୁପାତ ବର୍ଷ ଶେଷରେ ୨୫% ମଧ୍ୟରେ ରହିବ। ଏହି ଅତିରିକ୍ତ ବଜେଟ୍‌ ରାଜ୍ୟର ବିଭିନ୍ନ ବିକାଶମୂଳକ ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମକୁ ଆଗକୁ ନେବାରେ ସହାୟକ ହେବ ବୋଲି ସରକାର ଜଣାଇଛନ୍ତି। ବିତ୍ତୀୟ ଉତ୍ତରଦାୟିତ୍ବ ଓ ବଜେଟ୍‌ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ନିୟମକୁ ପାଳନ କରି ପ୍ରସ୍ତୁତ କରାଯାଇଥିବା ଅତିିରିକ୍ତ ବଜେଟ୍‌ ପାଇଁ ସଞ୍ଚୟ ଓ ସମର୍ପଣ ଆକାରରେ ସମ୍ବଳର ବ୍ୟବସ୍ଥା କରାଯାଇଛି।

୭୪% କାର୍ଯ୍ୟକ୍ରମ ବ୍ୟୟ ୭ଟି ନୂଆ ପଦକ୍ଷେପ
ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୩% ‘ସୁଭଦ୍ରା’କୁ ୫୫୦ କୋଟି

ଅତିରିକ୍ତ ବଜେଟ୍‌ ୨୦୨୬-୨୭ ଅନୁଯାୟୀ, ସାଧାରଣ ସେବା ପାଇଁ ୯୦୮ କୋଟି ଟଙ୍କା, ସାମାଜିକ ସେବା ପାଇଁ ୯୮୬୮ କୋଟି ଟଙ୍କା ଓ ଅର୍ଥନୈତିକ ସେବା ପାଇଁ ୧୩,୩୪୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମୋଟାମୋଟି ଭାବେ ସ୍ବାସ୍ଥ୍ୟସେବାକୁ ୧୨୪୬ କୋଟି, ଭିତ୍ତିଭୂମି ଉନ୍ନୟନକୁ ୨୩୫୯ କୋଟି, ସହରାଞ୍ଚଳ ଉନ୍ନୟନ ପାଇଁ ୩୭୨ କୋଟି, ଶିକ୍ଷା କ୍ଷେତ୍ରକୁ ୧୭୧୫ କୋଟି, ଏମ୍‌ଏସ୍‌ଏମ୍‌ଇ ଓ ଶିଳ୍ପ କ୍ଷେତ୍ରକୁ ୮୪୩ କୋଟି,  ମହିଳା ସଶକ୍ତୀକରଣ ପାଇଁ ୧୨୪୭ କୋଟି, କୃଷକ କଲ୍ୟାଣ ପାଇଁ ୧୬୭୩ କୋଟି, ସାମାଜିକ ସୁରକ୍ଷା ପାଇଁ ୭୩୩ କୋଟି ଏବଂ ଓଡ଼ିଆ ଭାଷା, ସଂସ୍କୃତି, ହସ୍ତତନ୍ତ, ବୟନ ଶିଳ୍ପ ଓ ପର୍ଯ୍ୟଟନ ପାଇଁ ୧୨୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button