ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପ୍ରଥମ ଦିନ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଛି। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ସବୁ ଭଲରେ ହୋଇଛି। ବିରୋଧୀ ଗୃହ କାର୍ଯ୍ୟରେ ସହଯୋଗ କରିଛନ୍ତି। କିନ୍ତୁ ବିରୋଧୀ ଦଳର ଆଭିମୁଖ୍ୟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଧିବେଶନର ପ୍ରଥମ ପର୍ଯ୍ୟାୟକୁ ବାଧାପ୍ରାପ୍ତ କରାଇବା ପଛରେ କ’ଣ ଯୁକ୍ତି ଥିଲା, ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଗତ ମାସରେ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ସାତ ଦିନ ଚାଲିଥିଲା। ସେଥିରୁ କୌଣସି ଗୋଟିଏ ଦିନ ଗୃହ ସ୍ବାଭାବିକ ହୋଇ ନଥିଲା। ଅଧିବେଶନ ପୂର୍ବରୁ ମୁଖ୍ୟ ବିରୋଧୀ ଦଳ ବିଜେଡି ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା, ସେଥିରେ ମୁଖ୍ୟ ଅଂଶ ଥିଲା ଗୃହକୁ ଅଚଳ କରିବା। ସେହି ଅନୁଯାୟୀ ଗୃହ କାର୍ଯ୍ୟରେ ସେମାନେ ବାଧା ପହଞ୍ଚାଇଥିଲେ। ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗୃହ ହୁଲସ୍ତୁଲ କରିଥିଲେ। ଗୋଟିଏ ଥର ସର୍ବଦଳୀୟ ବୈଠକ ଡକାଯାଇଥିଲେ ବି ତାହା ବିଫଳ ହୋଇଥିଲା।
ବିରୋଧୀଙ୍କ ଦାବି ଥିଲା, ଚାଷୀଙ୍କୁ ନ୍ୟାୟ ମିଳୁ। ସେମାନଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିରୋଧୀ ପ୍ରତିବାଦ କରିବେ। ଆଜିର ଦିନରେ ବି ଚାଷୀଙ୍କୁ ସେମାନଙ୍କ ହକ୍ ମିଳିନି। ଧାନ ଉଠୁ ନଥିବା ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଚାଷୀଙ୍କ ଆନ୍ଦୋଳନ ଚାଲିଛି। ଧାନକିଣା ଅବ୍ୟବସ୍ଥା ନେଇ ବହୁ ସ୍ଥାନରୁ ଗଦାଗଦା ଅଭିଯୋଗ ଆସୁଛି। କିନ୍ତୁ ବିଧାନସଭାରେ ବିରୋଧୀ ପୂରା ଶାନ୍ତ ପଡ଼ିଯାଇଛନ୍ତି। ଯଦି ଅବ୍ୟବସ୍ଥା ଚରମ ସୀମାରେ ଥିଲା ବେଳେ ବିରୋଧୀ ସୁନାପିଲା ପରି ଗୃହ କାର୍ଯ୍ୟରେ ଭାଗ ନେଉଛନ୍ତି, ତେବେ ପ୍ରଥମ ପର୍ଯ୍ୟାୟରେ ବାରମ୍ବାର ଗୃହରେ ପ୍ରତିବାଦ କରିବା ପଛର ଯୁକ୍ତି କ’ଣ ଥିଲା? ଉଭୟ ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ ବିଚିତ୍ର।
ଗୃହ କାର୍ଯ୍ୟ ଅଚଳ କରାଇବା କଦାପି ଯୁକ୍ତିଯୁକ୍ତ ଘଟଣା ନୁହେଁ। ବିଧାନସଭାରେ ଯେତେ ବୌଦ୍ଧିକ ଆଲୋଚନା ହେବ, ସେତେ ଭଲ। ଆଲୋଚନାରେ ହିଁ କୌଣସି ପ୍ରସଙ୍ଗରେ ନିଷ୍କର୍ଷ ବାହାରେ। ଯଦି ଗୃହରେ ଆଲୋଚନାକୁ ବିରୋଧୀ ଠିକ୍ ଭାବୁଛନ୍ତି, ତେବେ ପ୍ରଥମ ପର୍ଯ୍ୟାୟରେ ଗୃହ କାର୍ଯ୍ୟକୁ ବରବାଦ କଲେ କାହିଁକି? ଆଉ ଯେଉଁ ପ୍ରସଙ୍ଗ ଧରିଥିଲେ, ସେହି ପ୍ରସଙ୍ଗ ଅସମାହିତ ରହିଥିଲା ବେଳେ ପ୍ରତିବାଦରୁ ଓହରିଗଲେ କାହିଁକି, ତାହାକୁ ନେଇ ରାଜ୍ୟବାସୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଗୃହକୁ ସ୍ବାଭାବିକ କରିବା ପାଇଁ ଶାସକ ଦଳ ପକ୍ଷରୁ ବି ଯଥେଷ୍ଟ ଉଦ୍ୟମ ହୋଇ ନଥିଲା। ବିରୋଧୀଙ୍କ ହଟ୍ଟଗୋଳ ଶାସକ ଦଳକୁ ବେଶ୍ ସୁହାଇଥିଲା।
ସୌଜନ୍ୟ ଧରିତ୍ରୀ
