Site icon Swayam News

The Path of Shri Ram: ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ମଧ୍ୟପ୍ରଦେଶ କାହ୍ନା ଜାତୀୟ ଉଦ୍ୟାନ

ମଧ୍ୟପ୍ରଦେଶର କାହ୍ନା ଜାତୀୟ ଉଦ୍ୟାନ ବ୍ୟାଘ୍ର ପ୍ରକଳ୍ପପାଇଁ ପ୍ରସିଦ୍ଧ ହେଲେ ମଧ୍ୟ, ଏହା ରାମଙ୍କ ସହିତ ଜଡ଼ିତ। ଏହି ସ୍ଥାନ ଦୁଇଟି ବିସଦୃଶ ଘଟଣା ନିମିତ୍ତ ପ୍ରସିଦ୍ଧ। ଅନ୍ଧମୁନି ଶାନ୍ତନୁ ଓ ତାଙ୍କ ପତ୍ନୀଙ୍କୁ ଭାରରେ ବହନ କରି ପୁତ୍ର ଶ୍ରବଣକୁମାର ଜଳ ଗ୍ରହଣ କରିବାପାଇଁ ଜଙ୍ଗଲ ମଧ୍ୟରେ ଥିବା ଏକ ପୁଷ୍କରିଣୀକୁ ଯାଇଥିବାବେଳେ, ଦଶରଥଙ୍କ ଶବ୍ଦଭେଦୀ ବାଣର ଶିକାର ହୋଇ ମୃତ୍ୟୁମୁଖରେ ପଡି଼ଥିଲେ। ପୁତ୍ରର ମୁତ୍ୟୁରେ ଦୁଃଖିତ ମୁନି, ଦଶରଥଙ୍କୁ ଅଭିଶାପ ଦେଇଥିଲେ, “ତୁମର ମଧ୍ୟ ଏହିପରି ପୁତ୍ରର ବିରହ ଦୁଃଖରେ ମୃତ୍ୟୁ ହେବ।”

ଦଶରଥ ଥିଲେ ଅପୁତ୍ରକ। ତେଣୁ ପୁତ୍ରର ବିରହ ଦୁଃଖ ତାଙ୍କୁ କିପରି ବା ପ୍ରାପ୍ତ ହେବ ? ଏଣୁ ଏହି ଅଭିଶାପ ଦଶରଥଙ୍କ ପାଇଁ ଆଶୀର୍ବାଦ ହୋଇଯାଇଥିଲା। ଚାରିପୁତ୍ରଙ୍କର ଜନକ ହେଲେ ଦଶରଥ।
ଏହିସ୍ଥାନ ସେଥିପାଇଁ ସ୍ମରଣୀୟ। ଏଠାରେ ‘ଶ୍ରବଣ ତାଲ’ ନାମରେ ଏକ ସରୋବର ଅଛି। ସେହି ସ୍ଥାନରେ ଶ୍ରବଣ କୁମାର ଓ ତାଙ୍କ ପିତାମାତାଙ୍କର ଚିତା ଜଳିଥିଲା। ସେଠାରେ ‘ଶ୍ରବଣଚିତା’ ନାମରେ ମଧ୍ୟ ଏକ ସ୍ମାରକୀ ରହିଛି। ଯେହେତୁ ରାମ-ବନଗମନ-ପଥ ପରିକ୍ରମା ମଧ୍ୟରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସଂଯୁକ୍ତ, ତେଣୁ ମଧ୍ୟପ୍ରଦେଶର କେତେକ ସ୍ଥାନରେ ଶ୍ରୀରାମଙ୍କ ସ୍ମାରକୀ ଦେଖାଯାଏ। ମଧ୍ୟପ୍ରଦେଶର ସତନା ଜିଲାରେ ଏସବୁ ରହିଛି। ଚିତ୍ରକୂଟରେ ଥିବା ସ୍ମାରକୀ ହେଲା- ହନୁମାନଧାରା, ସୀତା ରୋଷେଇ, କାମଦାଗିରି ଇତ୍ୟାଦି। ହନୁମାନଧାରା: ମଧ୍ୟପ୍ରଦେଶର ସତନା ଜିଲା ଅନ୍ତର୍ଗତ ଏକ ପ୍ରସିଦ୍ଧ ଧର୍ମସ୍ଥଳ ହନୁମାନଧାରା। ଏଠାରେ ହନୁମାନଙ୍କର ଏକ ମନ୍ଦିର ଅଛି। ପୌରାଣିକ କଥା ଅନୁସାରେ ଲଙ୍କା ଦହନ ପରେ ହନୁମାନଙ୍କ ପୁଚ୍ଛରେ ଲାଗିଥିବା ଅଗ୍ନିକୁ ଶାନ୍ତ କରିବାପାଇଁ ରାମ ଶର ମାରି ଏକ ଜଳଧାର ପ୍ରକଟ କରାଇଥିଲେ। ତାହାହିଁ ଆଜିର ହନୁମାନଧାରା।

ହନୁମାନଧାରା ମନ୍ଦିର ଏକ ପାହାଡ଼ ଉପରେ ଅବସ୍ଥିତ। ଏଠାରେ ପଞ୍ଚମୁଖୀ ହନୁମାନ ପୂଜିତ। ସେହି ଜଳଧାର ହନୁମାନଙ୍କ ପାଦସ୍ପର୍ଶ କରି ବହୁଛି। ଏହା ବ୍ୟତୀତ ଏହି ମନ୍ଦିରରେ ରାମ, ଲକ୍ଷ୍ମଣ ଓ ସୀତାଙ୍କର ମୂର୍ତ୍ତି ରହିଛି। କାମଦାଗିରି: ରାମାୟଣର ବର୍ଣ୍ଣନା ଅନୁସାରେ, ଚିତ୍ରକୂଟରେ ରହିବା ସମୟରେ ଶ୍ରୀରାମ ପ୍ରତ୍ୟହ ମନ୍ଦାକିନୀରେ ସ୍ନାନ କରି କାମଦାଗିରି ପରିକ୍ରମା କରୁଥିଲେ ଏବଂ ଏହି ପର୍ବତକୁ ଦେବତା ସଦୃଶ ପୂଜନ କରୁଥିଲେ। ଶ୍ରୀରାମ ଯେତେବେଳେ ଚିତ୍ରକୂଟ ପରିତ୍ୟାଗ କରି ପଞ୍ଚବଟୀ ଉଦ୍ଦେଶ୍ୟରେ ବାହାରିଲେ, ସେତେବେଳେ କାମଦାଗିରି ‌ବ୍ୟାକୁଳ ‌ହୋଇ କହିଥିଲେ, ‘‘ଆପଣ ଚାଲିଗଲା ପରେ ମୁଁ ପରିତ୍ୟକ୍ତ ହୋଇଯିବି। ମୋତେ ଆଉ କିଏ ମନେ ରଖିବ ?’’ ଏଥିରେ କରୁଣାର୍ଦ୍ର ହୋଇ ଶ୍ରୀରାମ କାମଦାଗିରିକୁ କହିଥିଲେ, “ ଏଠାକୁ ଆସି ଯେ ତୁମକୁ ପରିକ୍ରମା କରିବ, ତ‌ା’ର ସମସ୍ତ କାମନା ପୂର୍ଣ୍ଣ ହେବ। ଏଣୁ ଏବେ ବି ଶ୍ରଦ୍ଧାଳୁମାନେ ଆସି ମନ୍ଦାକିନୀରେ ସ୍ନାନକରି କାମଦାଗିରି ପରିକ୍ରମା କରି କାମଥନାଥ ଓ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ କରନ୍ତି।

ଏହି ପାଞ୍ଚ କି.ମି. ଦୀର୍ଘ ପରିକ୍ରମା ମାର୍ଗରେ ଭରତ-ରାମ ମିଳାପ ମନ୍ଦିର, ପ୍ରାଚୀନ ମୁଖାରବିନ୍ଦ ମନ୍ଦିର, ଚଉପଦ ମନ୍ଦିର ଆଦି ଦର୍ଶନ କରାଯାଇଥାଏ। ଭରତ କୂପ: କଥିତ ଅଛି ରାମଚନ୍ଦ୍ରଙ୍କୁ ଫେରାଇ ଆଣିବାପାଇଁ ଯାତ୍ରା କଲାବେଳେ ଭରତ ରାମଙ୍କର ଅଭିଷେକ କରିବାପାଇଁ ସମସ୍ତ ତୀର୍ଥର ଜଳ ଏକତ୍ର କରି ସଙ୍ଗରେ ନେଇଯାଇଥିଲେ। କିନ୍ତୁ ରାମଚନ୍ଦ୍ର ଅଯୋଧ୍ୟା ଫେରିଯିବା ନିମନ୍ତେ ଅରାଜି ହେବାରୁ, ଭରତ ଚିତ୍ରକୂଟରେ ଏକ କୂପ ଖନନ କରି ସମସ୍ତ ତୀର୍ଥଜଳକୁ ସେଠାରେ ରଖି ଫେରିଆସିଥିଲେ। ଆଜି ମଧ୍ୟ ସେହି କୂପର ଜଳକୁ ଅତ୍ୟନ୍ତ ପବିତ୍ର ମନେକରି ପାନ କରାଯାଏ। ଏଠାରେ ଏକ ରାମ ମନ୍ଦିର ଅଛି।
ସତୀ ଅନସୂୟା ମନ୍ଦିର: ସତୀ ଅନସୂୟା ପୁରାଣର ଏକ ବହୁଚର୍ଚ୍ଚିତ ଚରିତ୍ର। ରାମଚନ୍ଦ୍ର ଯେତେବେଳେ ଚିତ୍ରକୂଟରେ ଥିଲେ, ସେ ମହର୍ଷି ଅତ୍ରି ଓ ଅନସୂୟାଙ୍କ ଆଶ୍ରମକୁ ଯାଇଥିଲେ। ସେଠାରେ ଅତ୍ରି ରାମ ଓ ଲକ୍ଷ୍ମଣଙ୍କ ସହିତ ବିଶେଷ ପରାମର୍ଶ କଲାବେଳେ, ଅନସୂୟା ସୀତାଙ୍କୁ ସ୍ତ୍ରୀ-ଧର୍ମ ଶିକ୍ଷା ଦେଇଥିଲେ। ସୀତାଙ୍କର ମଧୁର ବ୍ୟବହାରରେ ମୁଗ୍‌ଧ ହୋଇ ସୀତାଙ୍କୁ ନାନାପ୍ରକାରର ଦିବ୍ୟ ଅଳଙ୍କାରରେ ଭୂଷିତ କରିବା ସହିତ ସେ ଅମ୍ଳାନ ବସ୍ତ୍ର ମଧ୍ୟ ପ୍ରଦାନ କରିଥିଲେ। ମନ୍ଦାକିନୀ ନଦୀର ଉପର ମୁଣ୍ଡରେ ଏହି ଆଶ୍ରମ ବିଦ୍ୟମାନ। ଏଠାରେ ମାତା ଅନସୂୟାଙ୍କ ସହିତ ମହାମୁନି ଅତ୍ରିଙ୍କର ପ୍ରତିମୂର୍ତ୍ତି ରହିଛି। ଦର୍ଶନାର୍ଥୀ ସେଠାରେ ଚୁଡ଼ି, ସିନ୍ଦୂର ଓ ଶାଢ଼ି ଆଦି ଅର୍ପଣ କରିଥାନ୍ତି। ଏହିଠାରୁ ଦଣ୍ଡକବନ ଆରମ୍ଭ ହୋଇଥିବା ଜଣାଯାଏ। ବାଲ୍ମୀକି ଆଶ୍ରମ: ‘ରାମାୟଣ’ର ରଚୟିତା ଆଦିକବି ବାଲ୍ମୀକି ରାମାୟଣର ଏକ ପ୍ରମୁଖ ଚରିତ୍ର ଥିଲେ। ଚିତ୍ରକୂଟ ପରିତ୍ୟାଗ କରିବା ପୂର୍ବରୁ ରାମଚନ୍ଦ୍ର ବାଲ୍ମୀକିଙ୍କୁ ଦର୍ଶନ କରିଥିଲେ। ବାଲ୍ମୀକିଙ୍କର ପରାମର୍ଶ ଅନୁସାରେ ରାମଚନ୍ଦ୍ର ପଞ୍ଚବଟୀ ଯାଇ ସେଠ‌ାରେ ରହିଥିଲେ। ପରବର୍ତ୍ତୀକାଳରେ ରାମଙ୍କ ଆଦେଶରେ ସୀତା ଯେତେବେଳେ ବନବାସ କଲେ, ବାଲ୍ମୀକି ତାଙ୍କୁ ଆଣି ନିଜ ଆଶ୍ରମରେ ରଖିଥିଲେ। ଏହିଠାରେ ସୀତାଙ୍କର ଦୁଇପୁତ୍ର ଲବ ଓ କୁଶ ଜନ୍ମଗ୍ରହଣ କରିଥିଲେ।
-ଡକ୍ଟର ତୁଳସୀ ଓଝା

 

ସୌଜନ୍ୟ – ସମ୍ବାଦ

Exit mobile version