ଭୁବନେଶ୍ୱର: ଆରମ୍ଭ ହେଲା ସାହିତ୍ୟର ମହାକୁମ୍ଭ ‘ସମ୍ବାଦ ସାହିତ୍ୟ ପକ୍ଷ’। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ୧୫ ଦିନିଆ ‘ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ଉଦ୍ଘାଟନ ଉତ୍ସବ ‘ଆମ ଓଡ଼ିଶା’ର ନୂତନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରଥମ ଦିବସର ପ୍ରସଙ୍ଗ ଉପନ୍ୟାସ ସାହିତ୍ୟ ଥିବାବେଳେ ମଞ୍ଚ ମହାନ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କୁ ସମର୍ପିତ କରାଯାଇଥିଲା। ବୃକ୍ଷରେ ଜଳଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ବିଶିଷ୍ଟ ଔପନ୍ୟାସିକା ତଥା ଜ୍ଞାନପୀଠ ବିଜୟିନୀ ପ୍ରତିଭା ରାୟ। ଆଶୀର୍ବଚନ ଦେଇ ଶ୍ରୀମତୀ ରାୟ କହିଥିଲେ, ‘ସମ୍ବାଦ ସାହିତ୍ୟ ପକ୍ଷ’ ଏକ ଅଭିନବ ଉତ୍ସବ। ସାହିତ୍ୟରେ ଶୀତ ନଥାଏ, ସବୁବେଳେ ବସନ୍ତଋତୁ ଥାଏ। ସାହିତ୍ୟିକର ମନ ସବୁବେଳେ ସବୁଜ। ସାହିତ୍ୟର ଗୋଟିଏ ପକ୍ଷ, ତାହା ନିରପେକ୍ଷ। ସାହିତ୍ୟ ଦୂରରୁ ରାଜନୀତିକୁ ଦେଖେ ଓ ଲେଖେ। ସାହିତ୍ୟ ହେଉଛି ଜୀବନ, ସାହିତ୍ୟ ବାଦ୍ ଜୀବନ ନାହିଁ। ସାହିତ୍ୟରେ ନକାରାତ୍ମକ ବୋଲି କିଛି ନାହିଁ। ‘ସମ୍ବାଦ’ର ପ୍ରଶଂସା କରି ସେ କହିଥିଲେ, ଏହି ଖବରକାଗଜରୁ ଅନେକ ସାହିତ୍ୟିକ ଜନ୍ମ ନିଅନ୍ତି। ‘ସାହିତ୍ୟ ପକ୍ଷ’ ପୂର୍ବପୁରୁଷମାନଙ୍କୁ ମନେପକେଇବାର ତର୍ପଣ ପକ୍ଷ। ପ୍ରତି ଲେଖକର ନମ୍ର-ନିର୍ଭୀକ ଅହଂକାର ରହିବା ଦରକାର ବୋଲି ଶ୍ରୀମତୀ ରାୟ କହିଥିଲେ।
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରି ଭାଷା ଓ ଭାବକୁ ନେଇ ମଣିଷ ଯେତେ ପ୍ରକାର ଖେଳ ଖେଳେ ତାହା ହିଁ ସାହିତ୍ୟ ବୋଲି କହିଥିଲେ। ସାହିତ୍ୟ ଖେଳ ପରି ସମସ୍ତଙ୍କୁ ଆମୋଦ ଦେବା ସହିତ ଶୃଙ୍ଖଳିତ ଓ ଏକାଠି କରାଏ। ସମୂହ ହିତସାଧନ ସାହିତ୍ୟ ଓ ରାଜନୀତିର ଏକମାତ୍ର ଲକ୍ଷ୍ୟ। ତେଣୁ ଉଭୟ ଏକାଠି ହୋଇ ଓଡ଼ିଆ ଭାଷା, ସଂସ୍କୃତିର ପକ୍ଷଭୁକ୍ତ ହେବା ଉଚିତ ବୋଲି ସେ କହିଥିଲେ। ‘ସମ୍ୱାଦ’ ଓ ସାହିତ୍ୟର ସମ୍ପର୍କ ମୂଳରୁ ଅତି ନିବିଡ଼ ବୋଲି ସେ କହିଥିଲେ l
ସମୂହ ହିତ ସାହିତ୍ୟ ଓ ରାଜନୀତିର ଲକ୍ଷ୍ୟ: ସୌମ୍ୟରଂଜନ
‘ସାହିତ୍ୟ ପକ୍ଷ’ ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଛି: ତନୟା
ଏହି ଅବସରରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ‘ସମ୍ବାଦ ସାହିତ୍ୟ ପକ୍ଷ’ ସାରା ଓଡ଼ିଶାରେ ଚର୍ଚ୍ଚା ସୃଷ୍ଟି କରିଛି ବୋଲି କହିଥିଲେ। ଏହା ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରେରଣା ଦେଇଛି। ‘ସାହିତ୍ୟ ପକ୍ଷ’ ଏମିତି ଏକ ପରିକଳ୍ପନା, ଯେଉଁଠି ରହିଛି ୧୫ ଦିନର ସାହିତ୍ୟ ଯାତ୍ରା। ଚିନ୍ତାର ଚିତ୍ରଣ, ସ୍ବପ୍ନର ସଂଗୀତ ଓ ସମାଜ ପରିବର୍ତ୍ତନର ମାଧ୍ୟମ। ସେ ପାଠକ ଓ ଦର୍ଶକମାନଙ୍କୁ ଆହୁରି କହିଥିଲେ, ‘ଆପଣମାନେ ଆମ ହାତ ଧରି ଚାଲିଲେ ଆମେ ସାହସର ସହ ଚାଲିବୁ। ‘ସମ୍ବାଦ’ ସମସ୍ତଙ୍କର, ସାହିତ୍ୟ ସମସ୍ତଙ୍କର ଏବଂ ‘ସାହିତ୍ୟ ପକ୍ଷ’ ମଧ୍ୟ ସମସ୍ତଙ୍କର।’ ଏହି ପ୍ରୟାସ ଜରିଆରେ ଓଡ଼ିଆ ସାହିତ୍ୟ ନିହାତି କଡ଼ ଲେଉଟାଇବ ବୋଲି ଶ୍ରୀମତୀ ପଟ୍ଟନାୟକ ଆଶା ପ୍ରକାଶ କରିଥିଲେ l
ଏହାପରେ ‘ଓଡ଼ିଆରେ ବଡ଼ ଉପନ୍ୟାସ ଆଉ ଆସୁନି: ଲେଖକ ଦାୟୀ ନା ପାଠକ’ ପ୍ରସଙ୍ଗରେ ବିଶିଷ୍ଟ କଥାକାର ଯଶୋଧାରା ମିଶ୍ରଙ୍କ ସହ ‘ଆଳାପ’ କରିଥିଲେ ଯୁବ ଲେଖିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ। ସେହିପରି ‘ଉପନ୍ୟାସରେ ସାଂପ୍ରତିକ ଓଡ଼ିଶା ଚରିତ୍ର ଅଛି ଚିତ୍ର ନାହିଁ’ ପ୍ରସଙ୍ଗ ଆଲୋଚନାରେ ଯୋଗ ଦେଇଥିଲେ ତିନିଜଣ ବିଶିଷ୍ଟ କଥାକାର ମାନସୀ ଦାସ, ଜ୍ୟୋତି ନନ୍ଦ, ବିୟତ୍ପ୍ରଜ୍ଞା ତ୍ରିପାଠୀ l ଆଲୋଚନାକୁ ସଂଯୋଜନା କରିଥିଲେ ଔପନ୍ୟାସିକା ସ୍ୱାଗତିକା ସ୍ୱାଇଁ l
ଆଜି ମଞ୍ଚରେ କବିତା ଆବୃତ୍ତି କରିଥିଲେ କବି ମନୁଆ ଦାସ ଓ ପିନାକୀ ମିଶ୍ର। ଗଳ୍ପ ପଠନ କରିଥିଲେ ଗାଳ୍ପିକ ବିଚିତ୍ର ବିଶ୍ୱାଳ। ଏହି ଅବସରରେ ପ୍ରତିଭା ରାୟଙ୍କ ରଚିତ ‘ଯାଜ୍ଞସେନୀ’ ଉପନ୍ୟାସର ଏକ ଅଂଶର ନାଟ୍ୟାୟନ ପରିବେଷଣ କରାଯାଇଥିଲା। ସେଥିରେ ଅଭିନେତ୍ରୀ ବିଏମ୍ ବୈଶାଳୀ, ଶ୍ରୀଚନ୍ଦନ ନାୟକ, ସୁବେଦିତ ସାମଲ ଅଭିନୟ କରିଥିବା ବେଳେ ନାଟକକୁ ପରିଚାଳନା କରିଥିଲେ ବିପ୍ରଞ୍ଜୟ ନାୟକ। ଏହି ଅବସରରେ ‘ସାହିତ୍ୟାୟନ’ର ସମ୍ପାଦକ ସୂର୍ଯ୍ୟମଣି ତ୍ରିପାଠୀ ଏବଂ ସଞ୍ଜୟ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ଅତିଥି ଲେଖକଙ୍କୁ ‘ସମ୍ବାଦ ଓ କନକ ନ୍ୟୁଜ୍’ ସମ୍ପାଦକ ତନୟା ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ମିଲନ ଘଟୁଆରୀ ମଞ୍ଚ ସଂଯୋଜନା କରିଥିବା ବେଳେ ଆର୍.ଜେ. ଅନିଲ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଧନ୍ୟବାଦ ଦେଇଥିଲେ ‘କଥା’ର କାର୍ଯ୍ୟକାରୀ ସମ୍ପାଦକ ଆଶିଷ ଗଡ଼ନାୟକ l
ଆସନ୍ତା ୧୪ ତାରିଖର ‘ସାହିତ୍ୟ ପକ୍ଷ’ ମଞ୍ଚ ପ୍ରେମ ପ୍ରତି ନିବେଦିତ l ସେଦିନ ପ୍ରେମ ଆଧାରିତ ମିନି ଗଳ୍ପ ଏବଂ କବିତା ପାଠ କରାଯିବା କାର୍ଯ୍ୟକ୍ରମ ରହିଛି l ସେଥିପାଇଁ ଲେଖକମାନେ ହ୍ୱାଟ୍ସଆପ୍ ନମ୍ବର ୬୩୭୨୯୦୪୭୧୭ରେ ନିଜ ଲେଖା ପଠାଇ ପାରିବେ। ନିର୍ବାଚିତ ମିନି ଗଳ୍ପ ଓ କବିତା ମୁକ୍ତ ମଞ୍ଚରେ ପାଠ କରାଯିବ l
ସୌଜନ୍ୟ ସମ୍ବାଦ
