The self-respecting: ସ୍ବାଭିମାନ ହରାଉଛି ସ୍ବାଭିମାନ ଅଞ୍ଚଳ

ବହୁ ବର୍ଷର ଅବହେଳା। ପରିସ୍ଥିତି ବଦଳିବା ପରେ ପ୍ରଶାସନିକ ଉଦାସୀନତା। ତେଣୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଏବେ ମଧ୍ୟ ପଛୁଆ ଅଞ୍ଚଳ ହୋଇ ରହିଛି। ଯୋଗାଯୋଗ....

ମାଲକାନଗିରି: ବହୁ ବର୍ଷର ଅବହେଳା। ପରିସ୍ଥିତି ବଦଳିବା ପରେ ପ୍ରଶାସନିକ ଉଦାସୀନତା। ତେଣୁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଏବେ ମଧ୍ୟ ପଛୁଆ ଅଞ୍ଚଳ ହୋଇ ରହିଛି। ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆସନି। ତେଲୁଗୁ ଭାଷାର ପ୍ରଭାବ ବଢ଼ିବାରେ ଲାଗିଛି। ମୌଳିକ ସୁବିଧାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।
ଗୁରୁପ୍ରିୟା ସେତୁ ବିଚ୍ଛିନ୍ନାଞ୍ଚଳର କାୟାକଳ୍ପରେ ବଡ଼ ଭୂମିକା ନେବ ବୋଲି ଆଶା ରହିଥିଲା। ତେବେ ସେତୁ କାର୍ଯ୍ୟକ୍ଷମ ହେବାପରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ବିଚ୍ଛିନ୍ନାଞ୍ଚଳକୁ ଯଦିଓ ସ୍ବାଭିମାନ ଅଞ୍ଚଳ ବୋଲି କୁହାଯାଉଛି କିନ୍ତୁ ରାଲଗେଡ଼ା ଓ ଧୂଳିପୁଟ ପଞ୍ଚାୟତର ୧୫ରୁ ଅଧିକ ଗାଁକୁ ରାସ୍ତା ନାହିଁ। ରାଲଗେଡା ପଞ୍ଚାୟତର ୨୦ଗାଁକୁ ଯିବାକୁ ହେଲେ ନାରେଡପାଲି ନଦୀ ପାର ହେବାକୁ ପଡୁଛି। ବର୍ଷା ଦିନେ ଜଳବନ୍ଦି ଜୀବନ ବିତାଉଛନ୍ତି ଗ୍ରାମବାସୀ। ପାହାଡ଼ିଆ ନଦୀକୁ ପାର ହେବା ପାଇଁ ଲୋକେ ମାନବଶୃଙ୍ଖଳ କରି କିମ୍ବା ଦେଶୀ ଡଙ୍ଗାରେ ଅତିକ୍ରମ କରୁଛନ୍ତି। ସେହିପରି ଧୂଳିପୁଟ ପଞ୍ଚାୟତର ଅନେକ ଗାଁକୁ ଯୋଗାଯୋଗର କୌଣସି ସାଧନ ନାହିଁ। ଖଚର କିମ୍ବା ବାଇକ୍‌ ଯୋଗେ ଲୋକେ ଯାତାୟାତ କରୁଛନ୍ତି।

ଆନ୍ଧ୍ର ସୀମାନ୍ତ ଏହି ଦୁର୍ଗମ ଅଞ୍ଚଳରେ ବିଦ୍ୟାଳୟ ସ୍ଥାପନ ହୋଇଛି, ଶିକ୍ଷକଙ୍କୁ ମଧ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ବିଡ଼ମ୍ବନା ହେଲା ଶିକ୍ଷକ ମାସ ମାସ ଧରି ବିଦ୍ୟାଳୟ ମାଟି ମାଡ଼ୁନାହାନ୍ତି। ଏମିତି ସ୍ଥିତିରେ ପିଲା ଆନ୍ଧ୍ର ମୁହାଁ ହୋଇଛନ୍ତି। ବହୁ ବର୍ଷର ଅବହେଳା କାରଣରୁ ଜୀବନ ସହ ଜୀବିକା ପାଇଁ ଆନ୍ଧ୍ର ଉପରେ ଅଞ୍ଚଳବାସୀ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇସାରିଲେଣି। ଯାହାଫଳରେ କେବଳ ତେଲୁଗୁ ସଂସ୍କୃତି ନୁହଁ ତେଲୁଗୁ ଭାଷାର ଗଭୀର ପ୍ରଭାବ ଏହି ଅଞ୍ଚଳରେ ପଡ଼ିଛି। ଲୋକେ ଆନ୍ଧ୍ର ମନସ୍କ ହେଉଥିବା ଦେଖି ପଡ଼ୋଶୀ ସରକାର ମଧ୍ୟ ପକ୍କା ରାସ୍ତାର ଜାଲ ବିଛାଇ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ରାସନ ଆଣିବା ପାଇଁ ୩୦କିମି ଯିବାକୁ ପଡ଼ୁଛି, ଚୁଆ ପାଣିରେ ଶୋଷ ମେଣ୍ଟୁଛି। ସରକାର ବିଚ୍ଛିନ୍ନାଞ୍ଚଳର ପରିଚୟ ବଦଳାଇଦେଲେ କିନ୍ତୁ ବାସ୍ତବ ଚିତ୍ର ବଦଳିଲା ନାହିଁ। ଏମିତି ସ୍ଥିତିରେ ଲୋକେ କେବେ ନିଜ ହକ୍ ପାଇବେ ଦେଖିବାକୁ ବାକି ରହିଲା।

ସୌଜନ୍ୟ ସମ୍ବାଦ

Exit mobile version