ନୂଆଦିଲ୍ଲୀ: ଗାଡ଼ି ଟୋଲ୍ ପ୍ଲାଜା ଅତିକ୍ରମ କରିବା ପରେ ଟୋଲ ଦେଇନଥିବା ଗାଡ଼ିଗୁଡ଼ିକୁ ୭୨ ଘଣ୍ଟା ଭିତରେ ବକେୟା ଦେବାକୁ ପଡ଼ିବ। ସେହି ସମୟ ସୀମା ଅତିକ୍ରମ ହେବାପରେ ତାଙ୍କ ଉପରେ ଅତିରିକ୍ତ ଶୁଳ୍କ ଲଗାଯିବ। ଏନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ରାଜପଥ ଫି ନିୟମରେ ଆବଶ୍ୟକ ସଂଶୋଧନ କରାଯାଇଛି। ତାହା ଗତକାଲିଠାରୁ ଲାଗୁ ହୋଇଛି।
ଏଠାରେ ବକେୟା ଶୁଳ୍କର ଅର୍ଥ ହେଉଛି ଗାଡ଼ି ଟୋଲ୍ ପ୍ଲାଜା ଅତିକ୍ରମ କରିଥିବାର ଦୃଶ୍ୟ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥାରେ ରେକର୍ଡ ହୋଇଥିବ, କିନ୍ତୁ ଟୋଲ୍ କଟିନଥିବ। ଏଭଳି ମାମଲାରେ ଗାଡ଼ି ମାଲିକଙ୍କ ପାଖକୁ ନୋଟିସ୍ ଏସ୍ଏମ୍ଏସ, ଇମେଲ୍, ମୋବାଇଲ୍ ଆପ୍ ଜରିଆରେ ନୋଟିସ୍ ପଠାଯିବ। ନୋଟିସ୍ ପାଇବା ପରେ ବକେୟା ଟୋଲ୍ ବାବଦରେ ଦୁଇ ଗୁଣା ଟଙ୍କା ଦେବାର ବ୍ୟବସ୍ଥା ରହିଛି। କିନ୍ତୁ ଗାଡ଼ି ମାଲିକଙ୍କୁ ଆଶସ୍ତି ପ୍ରଦାନ କରିବା ପରେ ସେମାନଙ୍କୁ ବିନା ଶୁଳ୍କରେ ୭୨ ଘଣ୍ଟା ମଧ୍ୟରେ ମୂଳ ବକେୟା ଟୋଲ ପଇଠ କରିବା ସୁବିଧା ଦିଆଯାଇଛି।
ଗାଡ଼ି ମାଲିକଙ୍କ ଅଭିଯୋଗ ଶୁଣାଣି ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ଇ-ନୋଟିସ୍ ପାଇବାର ୭୨ ଘଣ୍ଟା ଭିତରେ ଗାଡ଼ି ମାଲିକ କିମ୍ବା ଡ୍ରାଇଭର୍ ଆପତ୍ତ ଅଭିଯୋଗ ଦାଖଲ କରିପାରିବେ। ତାହାକୁ ପାଞ୍ଚ ଦିନ ମଧ୍ୟରେ ସମାଧାନ କରିବାକୁ ଉଦ୍ୟମ କରାଯିବ। ସେହି ସମୟ ଭିତରେ ଅଭିଯୋଗର ସମାଧାନ ହୋଇନପାରିଲେ ଫି ବାତିଲ ହୋଇଯିବ। ଯଦି ୧୫ ଦିନ ପର୍ଯ୍ୟନ୍ତ ବକେୟା ଟୋଲ୍ ପଇଠ କରାଯିବ ନାହିଁ ଓ ଗାଡ଼ି ମାଲିକ କୌଣସି ଉତ୍ତର ଦେବେ ନାହିଁ, ତେବେ ବାହାନ ପୋର୍ଟାଲରେ ସେହି ଫି ବକେୟା ତଥ୍ୟ ରେକର୍ଡ ହୋଇଯିବ ଓ ସେହି ଅନୁସାରେ ଗାଡ଼ି ସମ୍ପର୍କିତ ବିଭିନ୍ନ କଟକଣା ଫି ପଇଠ ନ ହେବା ପର୍ଯ୍ୟନ୍ତ ଲାଗିବ।
ସୌଜନ୍ୟ ସମ୍ବାଦ
