ଭୁବନେଶ୍ୱର: ଐତିହ୍ୟସଂପନ୍ନ ପର୍ଯ୍ୟଟନସ୍ଥଳ ଏକାମ୍ର କ୍ଷେତ୍ରରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଥଚ ମୌଳିକ ସୁବିଧା ମିଳୁନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ପର୍ଯ୍ୟଟକମାନେ ଯାତ୍ରୀ ବିଶ୍ରାମାଗାର କିମ୍ବା ଧର୍ମଶାଳା ସୁବିଧା ନପାଇ ଖୋଲା ଆକାଶ ତଳେ ବା ଦୋକାନ ବାରଣ୍ଡା ଓ ରାସ୍ତାକଡ଼ ଫୁଟ୍ପାଥ୍ରେ ରାତି କାଟିବାକୁ ବାଧ୍ୟ ହେଉଛନ୍ତି। ଶୌଚାଳୟ ସମସ୍ୟା ମଧ୍ୟ ଭୋଗୁଛନ୍ତି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗ କିମ୍ବା ବିଏମ୍ସି କର୍ତ୍ତୃପକ୍ଷଙ୍କ ନଜର ନାହିଁ।
ସ୍ଥାନୀୟ ମାର୍କେଟ୍ କଂପ୍ଲେକ୍ସରେ ଏକ ଯାତ୍ରୀ ବିଶ୍ରାମାଗାର ୬ ବର୍ଷ ହେଲା ଅଧପନ୍ତରିଆ ପଡ଼ିରହିଛି। ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଶାସନ କୌଣସି ଆନ୍ତରିକତା ଦେଖାଉ ନାହିଁ। ତେଣୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରତିଦିନ ରାତିରେ ୧୦ରୁ ଉର୍ଦ୍ଧ୍ବ ବସ୍ ପହଞ୍ଚୁଛି। ଯାତ୍ରୀ ନିବାସ ପାଇଁ ଅଳ୍ପ କେତୋଟି ଘର ଥିବା ବେଳେ ସେଥିରୁ ଗୋଟିଏ ପାଖରେ ମନ୍ଦିର କାର୍ଯ୍ୟାଳୟ ଚାଲିଛି। ଅନ୍ୟ ଅଂଶରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ଭଜନ ମଣ୍ଡପ ଓ ପାଠାଗାର ଚାଲିଛି। ଆଉ ଗୋଟିଏ ଅଂଶ ଖାଲି ପଡ଼ିଛି। ଏସବୁ ଭିତରେ ଯାତ୍ରୀମାନେ କିନ୍ତୁ ରାତିରେ ରହିବା ସୁବିଧା ପାଉନାହାନ୍ତି।
ଏବେ ପ୍ରତିଦିନ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଦେଖିବାକୁ ମିଳିଛି ଏହି ବିକଳ ଦୃଶ୍ୟ। ରାତି ୧୦ଟା ପରେ ଦୋକାନ ବଜାର ବନ୍ଦ ହେଉ ହେଉ, ବାରଣ୍ଡାରେ ଶୋଇପଡ଼ୁଛନ୍ତି ପର୍ଯ୍ୟଟକ। ପିଲାଛୁଆଙ୍କୁ ଧରି ମହିଳାମାନେ ଶୋଇପଡ଼ୁଥିବା ବେଳେ ପୁରୁଷମାନେ ଜଗିବସୁଛନ୍ତି। କିଛି ଦିନ ପୂର୍ବେ ଦୁଦୁୱାଲା ଧର୍ମଶାଳା ବିକ୍ରି ହୋଇଯାଇଛି। ତେଣୁ ସେଠାରେ ପର୍ଯ୍ୟଟକମାନେ ରହିବା ସୁବିଧା ପାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ସେହିପରି ମନ୍ଦିର ନିକଟସ୍ଥ ଲିଙ୍ଗରାଜ ମାର୍କେଟ୍ ଉପର ମହଲାରେ ଥିବା ଯାତ୍ରୀ ଆଶ୍ରୟସ୍ଥଳ ମଧ୍ୟ କାମରେ ଆସୁନାହିଁ। ଏହାର ନିର୍ମାଣକୁ ୮ବର୍ଷ ବତିଗଲାଣି, ମାତ୍ର ତାହା କାର୍ଯ୍ୟକ୍ଷମ ହେଉନାହିଁ।
ସୌଜନ୍ୟ ସମ୍ବାଦ
