Trees: ପ୍ରଦୂଷଣ ରୋକିବା ସହିତ ଶୋଭା ବଢ଼ାଇଛି ଗଛ

ଭୁବନେଶ୍ୱର: ରାଜଧାନୀର ଉପକଣ୍ଠରେ ସେମିତି କିଛି ବଡ ଧରଣର କଳକାରଖାନା ନଥିଲେ ବି ବର୍ତ୍ତମାନ ଏହା ଦେଶର ପ୍ରଦୂଷିତ ସହର ତାଲିକାରେ ସ୍ଥାନ ପାଇଲାଣି। ଏପରିକି ବିଗତ କିଛି ଦିନ ହେବ ରାଜଧାନୀର ବାୟୁ ପ୍ରଦୂଷଣ ହାରାହାରି ୨୫୦ ଉପରେ ରହୁଛି।  ତେଣୁ କିଛି ଆତ୍ମସଚେତନ ସହରବାସୀ ବର୍ତ୍ତମାନ ପ୍ରଦୂଷଣ ନିୟନ୍ତ୍ରଣ କରିବା ଘରୁ ଆରମ୍ଭ କରି ଦେଲେଣି। ଘର ଭିତରେ, ବାହାରେ ତଥା ବିଭିନ୍ନ କାର୍ଯ୍ୟାଳୟରେ କମ୍‌ ଜଳ, ବାୟୁ, ଜାଗା ସୂର୍ଯ୍ୟାଲୋକରେ ବଢ଼ିବା ସହିତ ପ୍ରଦୂଷଣ ରୋକି ପାରୁଥିବା ଗଛର ଚାହିଦା ବର୍ତ୍ତମାନ ବଢ଼ିବାରେ ଲାଗିଛି।  ଏପରିକି ରୋଷେଇଘର, ବୈଠକଘର, ପୂଜା ଘର ଆଦି ପାଇଁ  ଭିନ୍ନ ଗଛ ଲଗାଇବା ପାଇଁ ପରାମର୍ଶ କେତେକ ନର୍ସରିରେ ବିଭିନ୍ନ ପ୍ରଜାତିର ଗଛ ଉପଲବ୍ଧ ହେଲାଣି।  ଏହି ଗଛଗୁଡ଼ିକ ପରିବେଶ ସୁରକ୍ଷା କରିବା ସହିତ ଘରର ଶୋଭା ବଢ଼ାଉଛନ୍ତି। ନୂଆବର୍ଷ, ଜନ୍ମଦିନ, ବିବାହ ତଥା ଅନ୍ୟାନ୍ୟ ଉତ୍ସବରେ ମଧ୍ୟ ଗଛ ଉପହାର ସ୍ୱରୁପ ପ୍ରଦାନ କରାଯାଉଛି। ଔଷଧୀୟ ତଥା ବିଲୁପ୍ତ ପ୍ରାୟ ବୃକ୍ଷରାଜି ଉପରେ କାର୍ଯ୍ୟ କରୁଥିବା ‘ଦିବ୍ୟଦିଗନ୍ତ’ ଅନୁଷ୍ଠାନ ତଥା ନର୍ସରିର ପ୍ରତିଷ୍ଠାତା ସଭାପତି ଜୟପ୍ରକାଶ ମିଶ୍ର କହିଛନ୍ତି ଯେ ବର୍ତ୍ତମାନ ଘର ଭିତର ପାଇଁ ତୁଳସୀ, ଘିକୁଆଁରି, ସ୍ନେକ୍ ପ୍ଲାଣ୍ଟ, ଲକି ବାମ୍ୱୋ, ଜେଡ୍‌ ଜେଡ୍ ପ୍ଲାଣ୍ଟ, ରବର ପ୍ଲାଣ୍ଟ ଭଲ ବିକ୍ରି ହେଉଛି। ଗତ ହର୍ବାଲ ମେଳାରେ ଏହି ଗଛଗୁଡ଼ିକର ବେଶ୍‌ ଚାହିଦା ରହିଥିଲା। ସେହିପରି ଏରିକାପାମ୍‌, ବ୍ରାହ୍ମୀ, ଥାଲକୁଡ଼ି, ପିସ୍ ଲିଲି, ବଉଳ, ନିମ୍ୱ ଆଦିର ଚାହିଦା ରହିଛି। ବହୁ ଲୋକ ପ୍ରଦୂଷଣ ରୋକିବା ସହିତ ସ୍ୱାସ୍ଥ୍ୟ ଭଲ ପାଇଁ ଔଷଧୀୟ ଗଛ କିଣୁଛନ୍ତି।

ସେହିପରି ‘ଗ୍ରିନ ଆର୍ଥ ନର୍ସରି’ର ସୁଶାନ୍ତ କୁମାର ଜେନା କହିଛନ୍ତି ଯେ ଇନ୍‌ଡୋର ପାଇଁ ବର୍ତ୍ତମାନ ଆଗ୍ଲୋନାମା, ଆନ୍ଥୋରିୟମ, ଚାଇନା ଡଲ, ଡ୍ରାସେଏନା ଡ୍ରାକୋ, ବାମ୍ୱୋ ପାମ୍‌, ମିଲକି୍‌, ମନଷ୍ଟେରା, ସିଙ୍ଗୋନିୟମ ପରି ବୃକ୍ଷର ଚାହିଦା ରହିଛି। ଅଗଣା ପାଇଁ ଆରିକା ପ୍ଲାଣ୍ଟ, ଆରେଲିଆ, ଥୁଜା, ଫାଇକସ, ଜାନିଆ ଆଦିକୁ ସହରବାସୀ ପସନ୍ଦ କରୁଛନ୍ତି। ବିଗତ କିଛି ସମୟ ମଧ୍ୟରେ ଲୋକମାନେ ପ୍ରଦୂଷଣ ରୋକିବା ସହିତ ଘରର ଶୋଭା ବଢ଼ାଇବା ପାଇଁ ଗଛ କିଣୁଛନ୍ତି। ଏପରିକି କିଛି ଗଛ କିପରି ଲଗାଯିବ, ଏହାର ଯତ୍ନ ଆଦି ସମ୍ପର୍କରେ ମଧ୍ୟ ପଚାରୁଛନ୍ତି।

ସୌଜନ୍ୟ ସମ୍ବାଦ