ତେହେରାନ: ମଧ୍ୟପ୍ରାଚ୍ୟର ଭୂ-ରାଜନୈତିକ ସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିବା ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧର ୩୩ତମ ଦିବସରେ ଇରାନର ପୂର୍ଣ୍ଣ ନିୟନ୍ତ୍ରଣ ଏହାର ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପସ (ଆଇଆର୍ଜିସି) ହାତକୁ ଯାଇଛି। ଆଜିଠାରୁ ସେନା ପ୍ରତ୍ୟକ୍ଷ ଶାସନ କ୍ଷମତା ହାସଲ କରିବା ସହ ଏହି ଇସ୍ଲାମିକ ରାଷ୍ଟ୍ର ସାମରିକ ଶାସନ ଅଧୀନରେ ରହିବ। ଏଭଳି ସ୍ଥିତିରେ କୂଟନୈତିକ ରାସ୍ତା ଏବେ ସଂପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ଆମେରିକା ଏବଂ ଇସ୍ରାଏଲ ସେନା ଇରାନର ଶିଳ୍ପ ଭିତ୍ତିଭୂମିକୁ ଧ୍ୱଂସ କରୁଥିବା ବେଳେ ଏହି ଆଭ୍ୟନ୍ତରୀଣ କ୍ଷମତା ଦଖଲ ଇରାନକୁ ଏକ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ କରାଇବ। ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କ ଅବସ୍ଥିତି ସଂପର୍କରେ କୌଣସି ସୂଚନା ପ୍ରକାଶ କରାଯାଉନଥିବା ବେଳେ ବର୍ତ୍ତମାନ ୱାସିଂଟନ ସ୍ଥଳସେନା ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଏଭଳି ସମୟରେ ଇରାନରେ ଏକ ଛାୟା ସରକାରର ଉଦୟ ବିଶ୍ୱ ଗୁଇନ୍ଦା ସଂସ୍ଥାଗୁଡିକୁ ସ୍ତବ୍ଧ କରିଦେଇଛି।
ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ, ଯିଏ କି ସରକାର ଚଳାଇବାକୁ ଚେଷ୍ଟା କରୁଥିଲେ, ତାଙ୍କ କ୍ଷମତା ସଙ୍କୁଚିତ କରିଦିଆଯାଇଛି। ସେ କେବଳ ନାମକୁ ମାତ୍ର ରାଷ୍ଟ୍ରପତି ରହିବେ। ତେହେରାନରୁ ମିଳିଥିବା ସୂଚନା ଅନୁଯାୟୀ, ଇସ୍ଫାହାନ ଇସ୍ପାତ କାରଖାନା ଉପରେ ହୋଇଥିବା ଆକ୍ରମଣ ପରେ ସାମରିକ ନେତୃତ୍ୱ ଅନୁଭବ କଲା ଯେ ରାଷ୍ଟ୍ରପତିଙ୍କ କାମଚଳା ଶାସନ ଆମେରିକାକୁ ଜବାବ ଦେବାରେ ଅସମର୍ଥ। ସେନାର କ୍ଷମତା ନିୟନ୍ତ୍ରଣ ସହିତ ସର୍ବୋଚ୍ଚ ନେତା ମୋଜତବାଙ୍କ ସ୍ଥିତିକୁ ନେଇ ରହସ୍ୟ ଘନୀଭୂତ ହୋଇଛି। ମାତ୍ର କିଛି ସପ୍ତାହ ପୂର୍ବରୁ ପିତାଙ୍କ ମୃତ୍ୟୁ ପରେ ଶାସନ ଗାଦିରେ ବସିଥିବା ମୋଜତବା ନିଖୋଜ ଅଛନ୍ତି। କେତେକଙ୍କ ମତରେ ସେ ହତ୍ୟା ଭୟରେ ବଙ୍କରରେ ଲୁଚିଛନ୍ତି ତ ଆଉ କେତେକଙ୍କ ମତରେ ସେ ଗୁରୁତର ଅସୁସ୍ଥ ବା କୋମାରେ ଅଛନ୍ତି।
ଆଇଆର୍ଜିସି ନିୟନ୍ତ୍ରଣରେ ଇରାନ
ନାଟୋ ସହଯୋଗୀଙ୍କୁ ନେଇ ନିରାଶା ବ୍ୟକ୍ତ କଲେ
୬ ମାସ ପାଇଁ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ: ଆରାଘଚି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସମୟ ବୁଧବାର ସକାଳ ସାଢ଼େ ୬ଟାରେ ଇରାନ ଯୁଦ୍ଧ ନେଇ ଦେଶକୁ ସମ୍ବୋଧିତ କରିବେ। ଏହା ଉପରେ ପୂରା ବିଶ୍ବର ନଜର ରହିଥିବା ବେଳେ ଆଜି ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେ ଖୁବ୍ଶୀଘ୍ର ଇରାନ ଛାଡ଼ିବୁ ଏବଂ ଆବଶ୍ୟକସ୍ଥଳେ ନିର୍ଦ୍ଧାରିତ ସ୍ଥଳରେ ଆକ୍ରମଣ ପାଇଁ ପୁଣି ଫେରିବୁ। ଇରାନ ଏବେ ଯୁଦ୍ଧବିରତି ଚାହୁଛି ଏବଂ ଆମେ ଆମ ରଣନୀତିରେ ପରିବର୍ତ୍ତନ ଆଣିଛୁ। ଇରାନର ଆଣବିକ ଏବଂ କ୍ଷେପଣାସ୍ତ୍ର କ୍ଷମତାକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ଆମର ଲକ୍ଷ୍ୟ ବୋଲି ଟ୍ରମ୍ପ କହିଛନ୍ତି। ଏହି ଘୋଷଣା ପରେ ଇରାନର ଖାର୍ଗ ଦ୍ୱୀପ କିମ୍ବା ଅନ୍ୟାନ୍ୟ ତୈଳ କେନ୍ଦ୍ରଗୁଡ଼ିକୁ ଦଖଲ କରିବା ପାଇଁ ସ୍ଥଳସେନା ଆକ୍ରମଣର ସମ୍ଭାବନା ବହୁତ ବଢ଼ିଯାଇଛି। ଟ୍ରମ୍ପ କହିଛନ୍ତି ଯେ ଇରାନର ସାମରିକ ଶକ୍ତିକୁ ପ୍ରସ୍ତର ଯୁଗରେ ପହଞ୍ଚାଇଦେବା ପାଇଁ ମାତ୍ର ୨୧ ଦିନ ସମୟ ଲାଗିବ। ଏହି ଅବସରରେ ଟ୍ରମ୍ପ ନାଟୋ ସହଯୋଗୀମାନଙ୍କ ଅସହଯୋଗ ନୀତିକୁ ନେଇ ନିରାଶା ବ୍ୟକ୍ତ କରିଛନ୍ତି। ସେମାନଙ୍କ ଆଭିମୁଖ୍ୟ ନୈରାଶ୍ୟଜନକ ଏବଂ ଆମେରିକା ନାଟୋକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବ ବୋଲି ଟ୍ରମ୍ପ କହିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ବୟାନକୁ ଚ୍ୟାଲେଞ୍ଜ କରି ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ଇରାନ ୬ ମାସ ପର୍ଯ୍ୟାନ୍ତ ପୂର୍ଣ୍ଣ କ୍ଷମତାର ସହ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ରହିଛି।
ଏହି ଆଞ୍ଚଳିକ ଯୁଦ୍ଧ ମଧ୍ୟରେ ଭାରତ ଏକ ବଡ଼ ଭୂ-ରାଜନୈତିକ ପଦକ୍ଷେପ ନେଇଛି। ମେ’ ୨୦୧୯ ପରେ ପ୍ରଥମ ଥର ପାଇଁ ଭାରତ ପୁଣି ଇରାନରୁ ଅଶୋଧିତ ତୈଳ ଆମଦାନି ଆରମ୍ଭ କରିଛି। ଆମେରିକାର ଏକ ସ୍ୱତନ୍ତ୍ର ରିହାତିର ସୁଯୋଗ ନେଇ ଭାରତ ଏହି ପ୍ରକ୍ରିୟା ଆରମ୍ଭ କରିଛି। ପ୍ରାୟ ୬ ଲକ୍ଷ ବ୍ୟାରେଲ୍ ତେଲ ବହନ କରୁଥିବା ଏକ ଜାହାଜ ଗୁଜରାଟରେ ପହଞ୍ଚିବ ବୋଲି ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ
