ରାଜ୍ୟ

University: ୧୪ଟି ବିଶ୍ୱବିଦ୍ୟାଳୟରେ ୧୧୩ରୁ ୧୦୫ ଲାଇବ୍ରେରି କର୍ମଚାରୀ ପଦ ଖାଲି

ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୧୪ଟି ବିଶ୍ବବିଦ୍ୟାଳୟର ଲାଇବ୍ରେରି କଥା ସରକାର ଚିନ୍ତା କରୁ ନାହାନ୍ତି। ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅନୁମୋଦିତ ୧୧୩ଟି ଲାଇବ୍ରେରି କର୍ମଚାରୀ ପଦ ମଧ୍ୟରୁ ୧୦୫ଟି ଖାଲିପଡ଼ିଛି।

କଟକ: ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୧୪ଟି ବିଶ୍ବବିଦ୍ୟାଳୟର ଲାଇବ୍ରେରି କଥା ସରକାର ଚିନ୍ତା କରୁ ନାହାନ୍ତି। ଏହି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅନୁମୋଦିତ ୧୧୩ଟି ଲାଇବ୍ରେରି କର୍ମଚାରୀ ପଦ ମଧ୍ୟରୁ ୧୦୫ଟି ଖାଲିପଡ଼ିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଅନୁମୋଦିତ ଲାଇବ୍ରେରି କର୍ମଚାରୀ ପଦ ସୃଷ୍ଟି ହୋଇନାହିଁ। ଏଭଳି ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଖଣ୍ଡପୀଠ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ତରଫରୁ ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ୧୪ଟି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ନୋଟିସ୍‌ ଜାରି କରିଛନ୍ତି।

ଓଡ଼ିଆ ବିଶ୍ବବିଦ୍ୟାଳୟ ଓ ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟରେ ନାହିଁ ଲାଇବ୍ରେରି କର୍ମଚାରୀ ପଦ
ହାଇକୋର୍ଟରେ ଜନସ୍ବାର୍ଥ ମାମଲା, ୧୪ ରେଜିଷ୍ଟ୍ରାରଙ୍କୁ ନୋଟିସ୍‌

 

ନଭେମ୍ବର ୨୬କୁ ମାମଲାର ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରାଯାଇଛି। ଜନସ୍ବାର୍ଥ ଆବେଦନରେ ଦର୍ଶାଯାଇଛି ଯେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୪ଟି ବିଶ୍ୱବିଦ୍ୟାଳୟରେ ୧୧୩ଟି ଲାଇବ୍ରେରି କର୍ମଚାରୀଙ୍କ ଅନୁମୋଦିତ ପଦରୁ ୧୦୫ଟି ଖାଲି ଅଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ୨୦୨୫ ନଭେମ୍ବର ୨୮ରେ ବିଧାନସଭାକୁ ଅବଗତ କରାଇଥିଲେ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ(୦୨), ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ (୧୦), ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ(୦୫), ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ(୧୦) ଓ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ(୦୯)ର ସମସ୍ତ ଅନୁମୋଦିତ ପଦ ଖାଲି ପଡ଼ିଛି। ଏହି ବିଶ୍ୱବିଦ୍ୟାଳୟଗୁଡିକ ପ୍ରତିଷ୍ଠା ହେବା ପରେ ଲାଇବ୍ରେରି କର୍ମଚାରୀଙ୍କ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିଭଳି ରେଭେନ୍ସା ବିଶ୍ବବିଦ୍ୟାଳୟର ୧୬ଟି ପଦରୁ ୧୫ଟି, ଉତ୍କଳ ବିଶ୍ୱବିଦ୍ୟାଳୟର ୨୯ଟିରୁ ୧୭ଟି, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୧୧ଟିରୁ ୭ଟି, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ୬ଟିରୁ ୫ଟି, ସମ୍ବଲପୁର ବିଶ୍ୱବିଦ୍ୟାଳୟର ୯ଟିରୁ ୨ଟି ପଦବି ଖାଲିପଡ଼ିଛି। ଶିକ୍ଷା ଓ ଗବେଷଣା ପାଇଁ ଲାଇବ୍ରେରି ଅପରିହାର୍ଯ୍ୟ ହୋଇଥିବାରୁ ୧୪ଟି ବିଶ୍ୱବିଦ୍ୟାଳୟର ଖାଲି ପଡ଼ିଥିବା ଲାଇବ୍ରେରି କର୍ମଚାରୀ ପଦ ପୂରଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button