US Appeals Court: ଆମେରିକାରେ ଟ୍ରାନ୍ସଜେଣ୍ଡର ସୈନିକଙ୍କୁ ବହିଷ୍କାର କରିବା ଉପରେ ଲାଗିଲା ରୋକ: ଟ୍ରମ୍ପ ପ୍ରଶାସନକୁ ଭର୍ତ୍ସନା କଲେ କୋର୍ଟ

ୱାସିଂଟନ: ଆମେରିକାର ଏକ ଫେଡେରାଲ୍ ଆପିଲ୍ କୋର୍ଟ ଆମେରିକୀୟ ସେନା (ପେଣ୍ଟାଗନ୍)ରୁ ଟ୍ରାନ୍ସଜେଣ୍ଡର ସୈନିକଙ୍କୁ ବହିଷ୍କାର କରିବା ଉପରେ ଅସ୍ଥାୟୀ ଭାବରେ ରୋକ ଲଗାଇଛନ୍ତି। କୋର୍ଟ ତାଙ୍କ ରାୟରେ ଟ୍ରାନ୍ସଜେଣ୍ଡର ସୈନିକଙ୍କ ଉପରେ ପ୍ରତିବନ୍ଧକକୁ ଅଣସାମ୍ବିଧାନିକ ଘୋଷଣା କରିଛନ୍ତି ଏବଂ ସରକାରଙ୍କ ପଦକ୍ଷେପକୁ ପକ୍ଷପାତପୂର୍ଣ୍ଣ ବୋଲି ବିବେଚନା କରିଛନ୍ତି। ବିଚାରପତି ଟ୍ରମ୍ପ ପ୍ରଶାସନକୁ ଭର୍ତ୍ସନା କରି ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏହି ନିଷ୍ପତ୍ତି ସାମରିକ ଶକ୍ତିର ଲାଭ ପାଇଁ ନୁହେଁ, ବରଂ କେବଳ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗକୁ କ୍ଷତି ପହଞ୍ଚାଇବା ପାଇଁ ନିଆଯାଇଛି। ପ୍ରତିରକ୍ଷା ବିଭାଗର ହାତ ବାନ୍ଧି ଦେଇଥିବା ଟ୍ରାଏଲ୍ କୋର୍ଟର ରାୟକୁ କାଏମ୍ ରଖି କୋର୍ଟ ୨-୧ ବହୁମତରେ ଏହି ରାୟ ପ୍ରଦାନ କରିଛନ୍ତି।
ଏହି ରାୟ ପରେ, ସରକାର ଆଉ ସେନାରେ ପୂର୍ବରୁ ଥିବା କୌଣସି ଟ୍ରାନ୍ସଜେଣ୍ଡର ସୈନିକଙ୍କୁ ତାଙ୍କ ଲିଙ୍ଗ ପରିଚୟ ଆଧାରରେ ଚାକିରିରୁ ବହିଷ୍କାର କରିପାରିବେ ନାହିଁ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ସେନାରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସେବା କରିବାକୁ ନିଷେଧ କରି ଯୁକ୍ତି ଦେଇଥିଲେ ଯେ, ଏହା ସେନାର ଯୁଦ୍ଧ କ୍ଷମତାକୁ ପ୍ରଭାବିତ କରୁଛି। ଟ୍ରମ୍ପଙ୍କ ଏହି ପକ୍ଷପାତପୂର୍ଣ୍ଣ ନିଷ୍ପତ୍ତି ସେନା ଭିତରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଟ୍ରାନ୍ସଜେଣ୍ଡର ସୈନିକମାନେ ସେନାରୁ ବହିଷ୍କାର ହେବାର ଭୟରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୌଜନ୍ୟ ସମ୍ବାଦ




